ଶିକୁଳିରେ ବନ୍ଧା ପଡିଛନ୍ତି ଜଗନ୍ନାଥ: ମହାକାଳପଡା କାକଟପୁରର ନିଆରା କିମ୍ବଦନ୍ତି

129

କନକ ବ୍ୟୁରୋ: ଲୁହା ଶିକୁଳିରେ ବନ୍ଧା ହୋଇ ପୂଜା ପାଉଛନ୍ତି ଭକ୍ତ ବତ୍ସଳ କାଳିଆ ସାଆନ୍ତ । ବନ୍ଧା ହୋଇଛନ୍ତି ଜଗନ୍ନାଥ । ଭକ୍ତ ଏବଂ ଭଗବାନଙ୍କର ଅନାବିଳ ପ୍ରେମର ଡୋରିରେ ବନ୍ଧା, ଏପରି ଏକ ନିଆରା କିମ୍ବଦନ୍ତି ଦେଖିବାକୁ ମିଳିଛି କେନ୍ଦ୍ରାପଡା ମହାକାଳପଡା ବ୍ଲକ କାକଟପୁର ଜଗନ୍ନଥ ମନ୍ଦିରରେ । ବାଇଗେଣୀ ରଙ୍ଗର ସୁନ୍ଦର ସାଢି ପିନ୍ଧିଛନ୍ତି ମହାବାହୁ । ହେଲେ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ସାଢି ତଳେ ଜଗନ୍ନାଥଙ୍କୁ ଲୁହା ଶିକୁଳିରେ ବନ୍ଧା ଯାଇଛି । ଯାହାକୁ କେବଳ ପୂଜକ ଦେଖିଥାନ୍ତି । ସାଧାରଣ ଶ୍ରଦ୍ଧାଳୁ ଏହାକୁ ଦେଖି ପାରନ୍ତି ନାହିଁ । ତେବେ ଅନ୍ୟ ମନ୍ଦିର ଭଳି ଏଠାରେ ମଧ୍ୟ ମଙ୍ଗଳ ଆଳତି, ବାଲ୍ୟଧୁପ , ସକାଳ ଧୂପ, ମଧ୍ୟାହ୍ନ ଧୁପ, ଭାଗବତ ପାଠ , ସଂଧ୍ୟା ଆଳତି ଏବଂ ରାତି ୯ଟାରେ ଶେଜ ଆଳତି ପରି ସବୁ ନୀତିକାନ୍ତି କରାଯାଏ । ତେବେ କିମ୍ବଦନ୍ତି ଅନୁସାରେ, ଶହଶହ ବର୍ଷ ପୁର୍ବରୁ ଚମ୍ପାଗଡରୁ ଜଗନ୍ନଥ ଏକ ରଥରେ ବସି କାକଟପୁର ଗାଁ ନିକଟ ଗୋବରି ନଦୀ କୁଳକୁ ଆସିଥିଲେ । ସେତେବେଳେ ରଥରେ ଏକ ଲୁହା ଶିକୁଳି ଲାଗିଥିଲା । ସେହି ଲୁହା ଶିକୁଳି ଆଜି ବି ଅକ୍ଷତ ଅବସ୍ଥାରେ ଅଛି । କାଳେ କାଳିଆ ଠାକୁର ପୁଣି ଅନ୍ୟ କେଉଁ ଆଡେ ଚାଲିଯିବେ ସେଥିପାଇଁ ତାଙ୍କୁ ଏକ ଲୁହା ଶୁକୁଳିରେ ବାନ୍ଧି ପୁଜା କରାଯାଉଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ସେପଟେ ଏଠାରେ ଜଗନ୍ନାଥଙ୍କ ରଥଯାତ୍ରା ହୁଏ । ଅନ୍ୟ ସବୁଠି ରଥକୁ ଦଉଡି ସାହାଯ୍ୟରେ ଟଣା ଯାଉଥିବା ବେଳେ କାକଟପୁରରେ ଲୁହା ଜଂଜିର ସହାଯ୍ୟରେ ରଥ ଟଣା ହୁଏ ।