ବାସ ସ୍ଥାନ ପାଲଟିଛି ଉଈ ହୁଙ୍କା: ଦିନେ କି ମାସେ ନୁହେଁ ୯ ବର୍ଷ ହେଲା ଉଈହୁଙ୍କାରେ ରହୁଛନ୍ତି ପାଟଣାଗଡର ପେଣ୍ଠଦେଇ ବିଶି

130

କନକ ବ୍ୟୁରୋ: ‘ମୋତେ କିଛି କୁହନ୍ତୁ ନାହିଁ ବାବୁ, ମୋ ଘରକୁ ମୟୂର ଭାଙ୍ଗି ଦେଉଛି । ମୁଁ ଏଇ ଘରେ ହିଁ ରହିବି । ଭଲ ଘରେ ହରିବାକୁ ଚାହେଁ ନାହିଁ । ଏହା ହିଁ ମୋ ପାଇଁ ସ୍ୱର୍ଗ ।’ ଏହା କୌଣସି ନାଟକ କିମ୍ବା ଚଳଚ୍ଚିତ୍ରର ସଂଳାପ ନୁହେଁ, ବରଂ ବଲାଙ୍ଗିର ପାଟଣାଗଡ ବ୍ଲକ ବାଲିପଟା ଗାଁରେ ଉଇ ହୁଙ୍କାରେ ରହୁଥିବା ବୃଦ୍ଧା କଣ୍ଠଦେଇ ବିଶିଙ୍କ କଥା । ପାଟଣାଗଡ ସହର ଠାରୁ ୮ କିଲୋମିଟର ଦୂର ବାଲିପଟା ଗାଁରେ ଏମିତି ରୁହନ୍ତି କଣ୍ଠଦେଇ ବିଶି । ଅନେକ ବର୍ଷ ତଳୁ ଆରପାରିକୁ ଚାଲିଗଲେଣି ସ୍ୱାମୀ । ୩ ଝିଅଙ୍କ ମଧ୍ୟରୁ ଦୁଇ ଜଣ ବାହା ହୋଇସାରିଛନ୍ତି । ସାନ ଝିଅ ଧୁମାଭଟା ଅନ୍ତର୍ଗତ ଦେଗାଁରେ ଥିବା ମାମୁଁଘରେ ରହୁଛି । ଝିଅକୁ ମାମୁଁ ଘରେ ଛାଡି ୯ ବର୍ଷ ହେଲା ଏହିଠାରେ ରହୁଛନ୍ତି କଣ୍ଠଦେଇ । ମାସକୁ ୬ଶହ ଟଙ୍କାର ବାର୍ଦ୍ଧକ୍ୟ ଭତା ଓ ୧୦ କେଜି ଚାଳଉରେ ବଂଚିଛି କଣ୍ଠଦେଇଙ୍କ ଜୀବନ । ୨୦୦୯-୧୦ରେ ତାଙ୍କୁ ଏକ ଇନ୍ଦିରା ଆବାସ ଘର ମିଳିଥିଲେ ମଧ୍ୟ ତାହା ସଂପୂର୍ଣ୍ଣ ହୋଇପାରିନାହିଁ । ତେବେ ସଂପର୍କୀୟ ସେହି ଘରକୁ ସଂପୂର୍ଣ୍ଣ କରିବାକୁ ଚାହୁଁଥିଲେ ମଧ୍ୟ ଉଈହୁଙ୍କାରୁ ବାହାରି ଭଲ ଘରେ ରହିବାକୁ ଚାହୁଁନାହାନ୍ତି କଣ୍ଠଦେଇ । ସେପଟେ ପାଟଣାଗଡ ବିଡିଓ, ବୃଦ୍ଧାଙ୍କୁ ଭେଟିଛନ୍ତି । କଣ୍ଠଦେଇଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି, ପରୀକ୍ଷା ନୀରିକ୍ଷା କରିବା ପରେ ତାଙ୍କୁ ଜରା ନିବାସକୁ ସ୍ଥାନାନ୍ତର କରାଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି ।