୩ ବର୍ଷ ତଳୁ ସରିଲାଣି ନିର୍ମାଣ ଅବଧି, କେବେ ସରିବ କାମ? କେବେ ନିରବଛିନ୍ନ ଭାବେ ମିଳିବ ବିଜୁଳି?

117

କନକ ବ୍ୟୁରୋ: ଧାଡ଼ି ଧାଡ଼ି ହୋଇ ବିଦ୍ୟୁତ ଟାୱାର ବସିଛି, ଅଧା ତାର ଟଣା ହୋଇଛି ତ ଆଉ ଅଧା ନାହିଁ । ଆଉ କିଛି ତାର ଗଛରେ ବନ୍ଧା ହୋଇଛି । ପାୱାର ଗ୍ରୀଡ ଭିତରେ କାମ ବି ଚାଲୁଛି ହେଲେ କେବେ ସରିବ ତା’ର ଠିକଣା ନାହିଁ । ୨୦୧୬ ମସିହାରୁ ମାଲକାନଗିରି ଜିଲ୍ଲାର ଉପାନ୍ତ କାଲିମେଳା ପାୱାର ଗ୍ରୀଡ଼ କାମ ଆରମ୍ଭ ହୋଇଛି । ୪ ବର୍ଷରେ ଅଧା କାମ ହୋଇଥିବା ବେଳେ କେବେ ସରିବ ତାକୁ ନେଇ ପ୍ରଶ୍ନ ଉଠିଛି । କାଲିମେଳା ଓ ପଡିଆ ବ୍ଳକର ପ୍ରାୟ ୨ ଲକ୍ଷ ଲୋକଙ୍କ ପାଇଁ କାଲିମେଳାରେ ୨୨୦/୩୩ କେଭିର ପାୱାର ଗ୍ରୀଡ଼ ସ୍ଥାପନ କରିବାକୁ ୨୦୧୬ରେ ନିଷ୍ପତି ନେଇଥିଲେ ରାଜ୍ୟ ସରକାର । ପ୍ରାୟ ୪୬ କୋଟି ଟଙ୍କା ବ୍ୟୟରେ ଗ୍ରୀଡ଼ ନିର୍ମାଣ ଦାୟିତ୍ୱ ଓପିଟିସିଏଲ୍ ସଂସ୍ଥାକୁ ଦିଆଯାଇଛି ।

୨୦୧୬ରେ ଏହି ଗ୍ରୀଡ଼ ନିର୍ମାଣ କାମ ଆରମ୍ଭ କରି ୨୦୧୯ରେ ସଂପୂର୍ଣ୍ଣ କରି ବିଦ୍ୟୁତ୍ ବିଭାଗକୁ ହସ୍ତାନ୍ତର କରିବା କଥା । ୨୦୧୯ ସରି ୨୦୨୨ ଅଧା ହେଲାଣି, କିନ୍ତୁ ଗ୍ରୀଡ଼ କାର୍ଯ୍ୟ ସଂପୂର୍ଣ୍ଣ ହୋଇନାହିଁ । କି କାଲିମେଳା ଓ ପଡ଼ିଆ ବ୍ଲକବାସୀ ନିରବଛନ୍ନ ବିଦ୍ୟୁତ୍ ସେବା ପାଇପାରୁନାହାଁନ୍ତି । କେନ୍ଦ୍ର ସରକାରଙ୍କ ପରିବେଶ ମଂଜୁରୀ ମିଳିବାରେ ବିଳମ୍ବ ଯୋଗୁଁ ଗ୍ରୀଡ଼ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରୁନଥିବା କୁହାଯାଇଛି । ତେବେ ପ୍ରକୃତରେ ଏହା ପଛରେ ପରିବେଶ ମଂଜୁରୀ ନା ଆଉ କିଛି ସମାସ୍ୟା ରହିଛି ସେ ସଂପର୍କରେ ଜାଣିବା ପାଇଁ ଓପିଟିସିଏଲ କର୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।