ଆଜି ବିଶ୍ୱ ଛେନାପୋଡ଼ ଦିବସ : ଜିଆଇ ମାନ୍ୟତା ପାଇଁ ଜୋର ଧରିଲା ଦାବି

219

କନକ ବ୍ୟୁରୋ : ଆଜି ବିଶ୍ୱ ଛେନାପୋଡ଼ ଦିବସ । ଏପ୍ରିଲ ୧୧ ତାରିଖରେ ଛେନାପୋଡ଼ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନ । ଗତବର୍ଷ ଏହି ଦିନକୁ ବିଶ୍ୱ ଛେନାପୋଡ ଦିବସ ଭାବେ ପାଳନ କରିଥିଲା ହେଲପିଙ୍ଗହ୍ୟାଣ୍ଡ ସଙ୍ଗଠନ । ଚଳିତ ବର୍ଷ ଏହି ଦିବସକୁ ବ୍ୟାପକ ଭାବରେ ପାଳନ କରାଯାଉଛି । ସରକାରୀ ଭାବରେ ଏହାକୁ ପାଳନ ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି କରିଛି । ସରକାରୀ କାର୍ଯ୍ୟାଳୟରେ ଛେନାପୋଡ କେକ୍ କାଟି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ତେବେ ଛେନାପୋଡ଼ ପଛରେ ରହିଛି ଏକ ରୋଚକ କାହାଣୀ । ଦିନେ ସୁଦର୍ଶନ ସାହୁଙ୍କ ଦୋକାନରେ ଛେନା ବଳି ପଡ଼ିବାରୁ ସେଥିରେ କିଛି ଚିନି ମିଶାଇ ପତ୍ରରେ ବାନ୍ଧି, ଲିଭିଲା ଚୁଲିରେ ପକାଇ ଦେଇଥିଲେ ସୁଦର୍ଶନ । ସକାଳେ ପୋଡ଼ି ଯାଇଥିବା ପତ୍ରକୁ କାଢ଼ି, ତାକୁ ଚାଖିବା ପରେ ସେ ଚକିତ ହୋଇଯାଇଥିଲେ । ଏହା ଏତେ ସ୍ୱାଦିଷ୍ଟ ଥିଲା ଯେ ଏହାର ବିକାଶ ପାଇଁ ଲାଗି ପଡ଼ିଥିଲେ ସୁଦର୍ଶନ । ଏହାର ନାଁ ଦେଇଥିଲେ ଛେନାପୋଡ଼ । ସେଦିନ ସୁଦର୍ଶନଙ୍କ ଏହି ପ୍ରୟାସ, ଓଡ଼ିଶାର ମିଠା ପସରାରେ ଯୋଡ଼ି ଦେଇଥିଲା ଆଉ ଏକ ଅଦ୍ୱିତୀୟ ମିଠା ।

ସୁଦର୍ଶନ ସାହୁଙ୍କ ଜନ୍ମ ହୋଇଥିଲା ୧୯୩୧, ଏପ୍ରିଲ ୧୧ ତାରିଖରେ । ତାଙ୍କରି ଜନ୍ମଦିନକୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି । ଛେନାପୋଡକୁ ଜିଆଇ ଟ୍ୟାଗ ପାଇଁ ଦାବି ଜୋରଦାର ହୋଇଛି । ପ୍ରଶାସନ ନିକଟରେ ଏକାଧିକ ସଂଗଠନ ଦାବିପତ୍ର ଦାଖଲ କରିଛନ୍ତି । ଜିଆଇ ଟ୍ୟାଗ୍ ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ଆବେଦନ କରି ସାରିଛି । ବିଶ୍ୱ ଛେନାପୋଡ ଦିବସ ପାଳନ ନେଇ ନୟାଗଡ଼ ସମେତ ସାରା ଓଡିଶାରେ ଉତ୍ସାହ ସୃଷ୍ଟି ହୋଇଛି ।