ମହିଳା ସଂରକ୍ଷଣ ବିଲକୁ ନେଇ ସଂସଦରେ ତର୍କ, ସୋନିଆଙ୍କ ଦାବି ଉପରେ ଏଭଳି ମନ୍ତବ୍ୟ ଦେଲେ ସ୍ମୃତି ଇରାନୀ

296

କନକ ବ୍ୟୁରୋ : ସଂସଦର ବିଶେଷ ଅଧିବେଶନରେ ମହିଳା ସଂରକ୍ଷଣ ବିଧେୟକକୁ ନେଇ ଚର୍ଚ୍ଚା ଚାଲିଛି । ସଂସଦର ବରିଷ୍ଠ ନେତାମାନେ ଏହା ଉପରେ ଯୁକ୍ତି କରୁଛନ୍ତି । ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମହିଳା ସଂରକ୍ଷଣ ବିଲ ଉପରେ ଆଲୋଚନା କରିବା ବେଳେ କହିଛନ୍ତି କି, ଜନସଂଘ ପ୍ରଥମେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଥିଲା ଓ ଏବେ ବିଜେପି ଏହାକୁ ସାକାର କରିବାକୁ ଯାଉଛି । ଅଳ୍ପସଂଖ୍ୟକ ମହିଳାଙ୍କୁ ସଂରକ୍ଷଣ ଦେବା ଦାବି ଉପରେ ସ୍ମୃତି ଇରାନୀ କହିଛନ୍ତି କି, ସମ୍ବିଧାନରେ ଧର୍ମ ଆଧାରରେ ସଂରକ୍ଷଣ ବର୍ଜିତ ଅଟେ ।

କଂଗ୍ରେସକୁ ଟାର୍ଗେଟ କରି ସ୍ମୃତି ଇରାନୀ କହିଛନ୍ତି କି, କଂଗ୍ରେସ ଦୀର୍ଘଦିନ କ୍ଷମତାରେ ଥିଲା, ଯଦି ସେମାନେ ଚେଷ୍ଟା କରିଥାନ୍ତେ ତେବେ ଏହି ବିଧେୟକ କେବେଠାରୁ ପାରିତ ହୋଇସାରିଥାନ୍ତା । ୟୁପିଏ ସରକାର ଏକ ଦୁର୍ବଳ ବିଲ ଆଣିଥିଲେ । ଏହାକୁ ନେଇ ଏବେ ବିରୋଧୀ ବିଭ୍ରାନ୍ତ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଯଦି ଆମେ ଏହାକୁ ସମ୍ବିଧାନର ମର୍ଯ୍ୟାଦା ଦୃଷ୍ଟିକୋଣରେ ଦେଖୁ, ତେବେ ଏହି ବିଲ ଜରିଆରେ ଦେବୀ ଲକ୍ଷ୍ମୀ ଏକ ସାମ୍ବିଧାନିକ ରୂପ ନେଇଛନ୍ତି ବୋଲି ସେ କହିଛନ୍ତି ।

ସୋନିଆ ଗାନ୍ଧୀଙ୍କ ନାମ ନ ନେଇ ସ୍ମୃତି ଇରାନୀ ତାଙ୍କୁ ଟାର୍ଗେଟ କରିଛନ୍ତି । ଇରାନୀ କହିଛନ୍ତି କି କିଛି ଲୋକ କହୁଛନ୍ତି କି, ଏହି ବିଲ୍ ଆମର । ହେଲେ ପ୍ରଧାନମନ୍ତ୍ରୀଙ୍କ ପାଇଁ ମହିଳା ସଶକ୍ତିକରଣ କେବଳ ଏକ ଯୋଜନା ନୁହେଁ , ବରଂ ୨୦୧୪ ମସିହାରୁ ନରେନ୍ଦ୍ର ମୋଦୀ ମହିଳାଙ୍କ ଉନ୍ନତି ପାଇଁ ଚେଷ୍ଟା ଚଳାଇଥିବା କଥା ସେ କହିଛନ୍ତି । ସେପଟେ କିଛି ଲୋକ ସଂଖ୍ୟାଲଘୁଙ୍କୁ ମଧ୍ୟ ସଂରକ୍ଷଣରେ ସାମିଲ କରାଯିବାକୁ ନେଇ ଦାବି ରଖୁଛନ୍ତି । ଏହା ଉପରେ ସ୍ମୃତି ଇରାନୀ କହିଛନ୍ତି କି ସମ୍ବିଧାନ କହୁଛି ଧର୍ମ ଆଧାରରେ ସଂରକ୍ଷଣ ଦିଆଯାଇପାରିବ ନାହିଁ ।