ବିଚ୍ ରାସ୍ତାରେ ଇଞ୍ଜିନିୟରଙ୍କୁ ଚାପୁଡା ମାରିଲେ ବିଧାୟିକା । ଭାଇରାଲ ହେଉଛି ଭିଡିଓ

13,010

କନକ ବ୍ୟୁରୋ: ଜଣେ ବିଧାୟିକା ଦୁଇଜଣ ଯୁବ ଇଞ୍ଜିନିୟରଙ୍କୁ ବିଚ୍ ରାସ୍ତାରେ ସର୍ବସମକ୍ଷରେ ଚାପୁଡା ମାରିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ ଥାଣେରେ । ମୀରା ଭୟାନ୍ଦରର ବିଧାୟିକା ଗୀତା ଜୈନ୍ ମ୍ୟୁନିସିପାଲ କର୍ପୋରେସନର ଯୁବ ଇଞ୍ଜିନିୟରଙ୍କୁ ଚାପୁଡା ମାରିବା ଘଟଣା ଏବେ ଚର୍ଚ୍ଚାରେ ରହିଛି ।

ସୂଚନା ମୁତାବକ, ମ୍ୟୁନିସିପାଲ କର୍ପୋରେସନର କିଛି ଇଞ୍ଜିନିୟରଙ୍କ ଉପସ୍ଥିତିରେ ସରକାରୀ ଜମି ଉପରେ ଘର ରହିଥିବା ଲୋକଙ୍କ ଘରକୁ ହଠାତ ଭଙ୍ଗାଯାଇଥିଲା । ହେଲେ ଏବେ ଦେଶର ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବାବେଳେ ବାସହୀନ ଲୋକେ ନିଜରୀ ଛୋଟ ପିଲାମାନଙ୍କୁ ନେଇ ରାସ୍ତା କଡରେ ଆଶ୍ରୟ ନେଇଛନ୍ତି । ଏକଥା ଜାଣିବା ମାତ୍ରେ ଦୁଇ ଯୁବ ଇଞ୍ଜିନିୟରଙ୍କୁ ଡକାଇ ଗାଲିଗୁଲଜ କରିବା ସହ ସମସ୍ତଙ୍କ ସାମ୍ନାରେ ତାଙ୍କୁ ଚାପୁଡା ମାରିଥିଲେ ବିଧାୟିକା ଗୀତା ଜୈନ୍ ଏବଂ ଦୁଇ ଇଞ୍ଜିନିୟରଙ୍କୁ ଘର ଭଙ୍ଗା ପାଇଁ ସରକାରୀ ନୋଟିସ୍ ଦେଖାଇବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ଘଟଣା ପରେ ବିଧାୟିକାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଯୁବ ଇଞ୍ଜିନିୟରଙ୍କୁ ବିଧାୟିକା ଚାପୁଡା ମାରିବା ଓ ଗାଳିଦେବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଗୀତା ଜୈନ୍ ପୂର୍ବରୁ ସହରର ‘ବିଜେପି’ ମେୟର୍‌ ଥିଲେ ଏବଂ ୨୦୧୯ ବିଧାନସଭା ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥିନୀ ଭାବେ ବିଜୟୀ ‌ହୋଇ ବିଧାୟିକା ହୋଇଥିଲେ। ସମ୍ପ୍ରତି ସେ ‘ବିଜେପି-ଶିବସେନା’ ସରକାରଙ୍କୁ ସମର୍ଥନ କରୁଛନ୍ତି।