ବାରିପଦାରେ ୨ ଦିନ ଚାଲେ ରଥଟଣା : ଦେବୀ ସୁଭଦ୍ରାଙ୍କ ରଥ ଟାଣନ୍ତି କେବଳ ମହିଳା

158

କନକ ବ୍ୟୁରୋ : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ହେବ ରଥଟଣା । ଗତକାଲି ପହଣ୍ଡି ନିତୀ ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁଯାୟୀ ଗୋଟି ପହଣ୍ଡି କରି ତିନିଠାକୁରଙ୍କୁ ରଥାରୂଢ କରାଯାଇଛି । ଏବଂ ଆଜି ଠାରୁ ଦୁଇଦିନ ଧରି ରଥଟଣା ହେବ ୧୫୭୫ ମସିହାରୁ ଆରମ୍ଭ ହୋଇଥିବା ରଥଯାତ୍ରା ୪୪୮ ବର୍ଷ ଧରି ଚାଲିଛି । ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ ବିଜେଙ୍କର ପରମ୍ପରା ବେଶ୍ ନିଆରା ।

ପରମ୍ପରା ଅନୁସାରେ ପୁରୀରେ ଗୋଟିଏ ଦିନରେ ପହଣ୍ଡି ଓ ରଥଟଣା ହେଉଥିବା ବେଳେ ବାରିପଦାରେ ଗୁଣ୍ଡିଚା ଦିନ କେବଳ ପହଣ୍ଡି କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ କରାଯାଏ । ଏବଂ ତା ପରଦିନ ଠାରୁ ୨ ଦିନ ଧରି ରଥଟଣା ହୋଇଥାଏ । ଏଠାରେ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ପ୍ରଥମେ ବଡଭାଇ ବଳଭଦ୍ରଙ୍କ ରଥଟଣା ହେଉଥିବା ବେଳେ ବାହୁଡାରେ କିନ୍ତୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପ୍ରଥମେ ଟଣାଯାଏ । ଆଉ ଏକ ସ୍ୱତନ୍ତ୍ରତା ହେଉଛି, ବାରିପଦାରେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳା ଭକ୍ତମାନେ ଟାଣିଥାନ୍ତି ।

ଆଜି ବଡଭାଇ ବଳଭ୍ରଦଙ୍କ ରଥ ମାଉସୀ ମା ମନ୍ଦିର ପାଖରେ ପହଞ୍ଚିବ, ସେହିଭଳି ଦେବୀ ସୁଭଦ୍ରାଙ୍କ ରଥ ଅଧରାସ୍ତାରେ ଅଟକିବ । ଏବଂ ଆସନ୍ତାକାଲି ଅର୍ଥାତ୍ ରଥଟଣାର ଦ୍ୱିତୀୟ ପୁଣି ରଥଟଣା ହେବ । ଅଧରାସ୍ତାରେ ଅଟକିଥିବା ହଳଦିମୁଖୀଙ୍କ ରଥକୁ ଟାଣିନେବେ ମହିଳା ଭକ୍ତ । ସେହିଭଳି କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ ମଧ୍ୟ ଆସନ୍ତାକାଲି ଟଣାହେବ । ଏହି ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସିଛି । ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥଯାତ୍ରାକୁ ବ୍ୟବସ୍ଥିତ କରିବା ଲାଗି ସବୁ ପ୍ରକାର ବ୍ୟବସ୍ଥା କରିିଛି ପୋଲିସ ପ୍ରାଶାସନ । ସବୁବର୍ଷ ପରି ଏବର୍ଷ ମଧ୍ୟ ଶାନ୍ତିଶୃଙ୍ଖଳା ସହିତ ପରିମଳ ବ୍ୟବସ୍ଥାକୁ ଅଧିକ ଧ୍ୟାନ ଦେଇ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ଓ ବାରିପଦା ପୌରାଧ୍ୟକ୍ଷ ।