ଆର୍ୟଲାଣ୍ଡ ପକ୍ଷରୁ ଖେଳିବେ କି ସଞ୍ଜୁ ସାମସନ? ଜାଣନ୍ତୁ ଭାଇରାଲ ଖବରର କଣ ରହିଛି ସତ୍ୟତା?

671

କନକ ବ୍ୟୁରୋ : ୱିକେଟ କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ଟିମ୍ ଇଣ୍ଡିଆ ପାଇଁ ଖେଳିବାକୁ ସେଭଳି ଲଗାତାର ସୁଯୋଗ ମିଳୁନାହିଁ । ସାମସନ ୨୦୧୫ରୁ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିଲେ ମଧ୍ୟ ଏଯାବତ୍ ମାତ୍ର ୨୭ଟି ମ୍ୟାଚ୍ ଖେଳିବାରେ ସକ୍ଷମ ହୋଇଛନ୍ତି । ଲଗାତାର ସାମସନଙ୍କୁ ଦଳରୁ ବାଦ୍ ଦେବାକୁ ନେଇ ମଧ୍ୟ ଟିମ୍ ଇଣ୍ଡିଆର ମ୍ୟାନେଜମେଣ୍ଟ ଓ ଚୟନକର୍ତ୍ତା ବାରମ୍ବାର ସମାଲୋଚନାର ଶିକାର ହୋଇଛନ୍ତି । ଆଉ ଏସବୁ ଭିତରେ ସଞ୍ଜୁ ସାମସନ ଆର୍ୟଲାଣ୍ଡ ପକ୍ଷରୁ ଖେଳିବା ନେଇ ସୋସିଆଲ ମିଡ଼ିଆରେ ଖବର ଭାଇରାଲ ହେବାରେ ଲାଗିଛି । ସାମସନଙ୍କୁ ଆର୍ୟଲାଣ୍ଡ ପକ୍ଷରୁ ଖେଳିବାକୁ ଅଫର ମିଳିଥିବା ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି । ଯାହା ଭାରତୀୟ କ୍ରିକେଟପ୍ରେମୀଙ୍କୁ ନିରାଶ କରିଥିଲା । କିନ୍ତୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଖବରର ସତ୍ୟତା ଜାଣିବା ପରେ ଭାରତୀୟ କ୍ରିକେଟପ୍ରେମୀଙ୍କ ମନରେ ଆଉ ସାମସନଙ୍କୁ ନେଇ ଦ୍ୱନ୍ଦ୍ୱ ନାହିଁ ।

ଆର୍ୟଲାଣ୍ଡର ଜାତୀୟ ଦଳ ପକ୍ଷରୁ ଖେଳିବା ଏତେ ସହଜ ମଧ୍ୟ ନୁହେଁ । ଆର୍ୟଲାଣ୍ଡ ଜାତୀୟ ଟିମ୍ ପକ୍ଷରୁ ଖେଳିବାକୁ ହେଲେ ପ୍ରଥମେ ଆର୍ୟଲାଣ୍ଡରେ ୩ ବର୍ଷ ଘରୋଇ ମ୍ୟାଚ୍ ଖେଳିବାକୁ ପଡିବ । ଏହାପରେ ଦଳରେ ସ୍ଥାନ ପାଇପାରିବେ କୌଣସି ଖେଳାଳୀ । କିନ୍ତୁ ସଞ୍ଜୁ ସାମସନଙ୍କ କ୍ଷେତ୍ରରେ ଏହା ସମ୍ଭବ ନୁହେଁ । କାରଣ ସଞ୍ଜୁ ଏବେ ୨୮ ବର୍ଷରେ ପାଦ ଦେଇ ସାରିଲେଣି । ଆଗାମୀ ୫ ବର୍ଷ ସଞ୍ଜୁଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏଭଳି ସ୍ଥିତିରେ ୩ ବର୍ଷ ଘରୋଇ ମ୍ୟାଚ୍ ଖେଳି ଆଦୌ ସମୟ ନଷ୍ଟ କରିବେ ନାହିଁ ସଞ୍ଜୁ । ଏହି ସମୟରେ ନିଜର କ୍ୟାରିୟରକୁ କିଭଳି ଆହୁରି ଆଗକୁ ନେବେ ତାହାକୁ ସଞ୍ଜୁ ଅଧିକ ଗୁରୁତ୍ୱ ଦେବା ସ୍ୱାଭାବିକ । ଏହାବାଦ୍ ଆର୍ୟଲାଣ୍ଡ ପକ୍ଷରୁ ଖେଳିବାକୁ ହେଲେ ପ୍ରଥମତଃ ଭାରତୀୟ ଟିମର ଅବସର ନେବାକୁ ପଡିବ । ଯାହା ସଞ୍ଜୁଙ୍କ ଭଳି ଖେଳାଳୀ ଆଦୌ ଚାହିଁବେ ନାହିଁ । ସେହିଭଳି ଅନ୍ୟ ଦେଶ ପକ୍ଷରୁ ଖେଳିବାକୁ ହେଲେ ଆଇପିଏଲ ମଧ୍ୟ ସଞ୍ଜୁଙ୍କୁ ଛାଡିବାକୁ ପଡିବ । ଯେହେତୁ ସଞ୍ଜୁଙ୍କୁ ଆଇପିଏଲ ପରିଚୟ ଦେଇଛି ତେଣୁ ଏହି ଫର୍ମାଟ ଏତେ ଶୀଘ୍ର ଛାଡିବା ସଞ୍ଜୁଙ୍କ ପକ୍ଷେ ସମ୍ଭବ ନୁହେଁ । ଏହାଛଡା ରାଜସ୍ଥାନ ରୟାଲ୍ସର ଅଧିନାୟକ ରହିଥିବାରୁ ସଞ୍ଜୁଙ୍କୁ ଉପରେ ଗୁରୂଦାୟିତ୍ୱ ମଧ୍ୟ ରହିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତ ବ୍ୟତୀତ ଅନ୍ୟ କୌଣସି ଦେଶ ପକ୍ଷରୁ ଅର୍ନ୍ତଜାତୀୟ କ୍ରିକେଟ ଖେଳିବାକୁ କେବେ ହେଲେ ଚିନ୍ତା ମଧ୍ୟ କରିନଥିବା କହିଛନ୍ତି ସଞ୍ଜୁ । କାରଣ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ହିଁ ମୋର ସବୁଠୁ ବଡ ଉପଲବ୍ଧି ଓ ପ୍ରାଥମିକତା । ଆଉ ସଞ୍ଜୁ ସାମସନଙ୍କ ଏହି ପଦିଏ କଥା ସୋସିଆଲ ମିଡ଼ିଆରେ ଭାଇରାଲ ଖବର ଉପରେ ପରଦା ପକାଇ ଦେଇଛି । ଏହାବାଦ୍ ସଞ୍ଜୁ ସାମସନ ଯେଉଁଭଳି ପ୍ରଦର୍ଶନ ଜାରି ରଖିଛନ୍ତି ଖୁବଶୀଘ୍ର ତାଙ୍କୁ ପୁଣିଥରେ ଟିମ୍ ଇଣ୍ଡିଆରୁ ଡାକରା ଆସିପାରେ । ଯେହେତୁ ଆଗକୁ ଦିନିକିଆ ବିଶ୍ୱକପ ରହିଛି ତେଣୁ ବିଶ୍ୱକପ ଦଳରେ ସ୍ଥାନ ପାଇବା ସଞ୍ଜୁଙ୍କର ଫୋକସରେ ରହିଛି । ଏବେ ସୁଦ୍ଧା ସାମସନ ଭାରତ ପାଇଁ ୧୬ଟି ଟି-୨୦ ଓ ୧୧ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି । କିନ୍ତୁ ଏଯାବତ ଟିମର ନିୟମିତ ସଦସ୍ୟ ହୋଇପାରିନାହାନ୍ତି ।