କାହିଁକି ଏତେ ଆକ୍ରୋଶ, କାହିଁକି ଏହି ରେଡ୍? ସରକାର ନେଲେ ପ୍ରତିଶୋଧ, ରାଗିଲେ ଜନତା

172

କନକ ବ୍ୟୁରୋ: ସଚିବଙ୍କୁ ପ୍ରଶ୍ନ କଲେ, ସରକାରଙ୍କୁ ବାଧୁଛି । ଆଉ ସତ ଲେଖିଲେ, ଆଉ ସମ୍ବାଦପତ୍ରରେ ପ୍ରଶ୍ନ କଲେ ପ୍ରତିଶୋଧପରାୟଣ ହେଉଛନ୍ତି ସରକାର । କଳ, ବଳ ଓ କୌଶଳ ଲଗାଯାଉଛି । ମିଛ ମାମଲା କରି ହଇରାଣ କରାଯାଉଛି । ସତ କହୁଥିବା ସଂସ୍ଥା ଉପରେ ରେଡ କରାଯାଉଛି । ସମ୍ବାଦ ଉପରେ ସୋମବାରର ଇଓଡବ୍ଲୁ ରେଡକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମିଛ ମାମଲାରେ ମିଛ ଦଫା ଲଗାଇ ଯେଉଁଭଳି ଭାବେ ପ୍ରତିଶୋଧ ନେବାକୁ ଉଦ୍ୟମ କରାଯାଇଛି ତାକୁ ସବୁ ମହଲେ ନିନ୍ଦା କରାଯାଇଛି । ସାଧାରଣ ଲୋକେ ଏହାକୁ ନେଇ ତାତିଛନ୍ତି । କହିଛନ୍ତି ଏଭଳି ପ୍ରତିଶୋଧକୁ ବରଦାସ୍ତ କରାଯିବନି ।

ଗତ କିଛି ଦିନଧରି ଉଦ୍ଦେଶ୍ୟମୂଳକ ଭାବେ ସମ୍ବାଦ ଗ୍ରୁପ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମିଛ ମାମଲା ହୋଇଛି । ପ୍ରଶ୍ନ ଉଠୁଛି, ଜଣେ ସଚିବଙ୍କୁ ଏତେ ଡର କାହିଁକି ? କୁଆଡେ ଗଲେ ରାଜ୍ୟର ଆଗ ଧାଡିର ନେତା । ଯେଉଁ ନେତା ଛାତ୍ର ରାଜନୀତିରୁ ଏତେ ବାଟ ଆସିଛନ୍ତି ସେମାନେ ଆଜି ଚୁପ୍ କାହିଁକି । ଖବରକାଗଜରେ ସରକାରଙ୍କ ଦୁର୍ବଳତା ଦେଖାଇବା ଭୁଲ କି ? ନିରପେକ୍ଷ ସାମ୍ବାଦିକତାର ଯୁଗ ଶେଷ ହୋଇଗଲା କି ? ଏଭଳି ପ୍ରଶ୍ନରେ ସରକାରଙ୍କୁ ଘାଇଲା କରିଛନ୍ତି ସାଧାରଣ ଜନତା । ଲୋକେ ସଚିବଙ୍କ ଏକପାଖିଆ ରାଜଙ୍କୁ କେତେଦିନ ସହିବେ ବୋଲି ବି ପ୍ରଶ୍ନ କରିଛନ୍ତି । ଏହାର ଉଚିତ ଜବାବ ଦିଆଯିବ ବୋଲି ବି ସାଧାରଣ ଜନତା କହିଛନ୍ତି ।

ଯେେତେବେଳେ ସମ୍ବାଦ ଭବନରେ ମିଛ ମାମଲାରେ ସତ ରେଡ୍ ଚାଲିଥିଲା, ସେ ସମୟରେ ଚାରିଆଡୁ ପ୍ରତିବାଦର ସ୍ୱର ଶୁଭିଥିଲା । ଲାଗୁଥିଲା ସତେ ଯେମିତି, ସରକାରଙ୍କୁ ଜବାବ ଦେବେ ଜନତା? ହାତରେ ନ ମାରି କାହିଁକି ଭାତରେ ମାରୁଛନ୍ତି ସରକାର?

ରେଡ୍ ପଛରେ କାହାର ହାତ ରହିଛି ? ଏଭଳି ଆକ୍ରୋଶମୂଳକ ରେଡ କରି କି ସନ୍ଦେଶ ଦେବାକୁ ଚାହୁଁଛନ୍ତି ସରକାର ? ଏଭଳି ଆଭିମୁଖ୍ୟ ଗଣତନ୍ତ୍ର ପ୍ରତି ବିପଦ ନୁହେଁ କି ? ନିରପେକ୍ଷ ସାମ୍ବାଦିକତାକୁ ବଦନାମ କରିବାକୁ ପେଡ୍ ମିଡିଆକୁ କାହିଁକି ବ୍ୟବହାର କରାଯାଉଛି? ମିଛ ଖବରକୁ କାହିଁକି ପ୍ରଶ୍ରୟ ଦିଆଯାଉଛି । ମିଛ ଖବରକୁ କେତେ ଗ୍ରହଣ କରିବେ ଜନତା ? କ୍ଷମତାରେ ଅନ୍ଧ ସଚିବଙ୍କୁ ବାଟ ଦେଖାଇବ କିଏ? ଏଭଳି ତମାମ ପ୍ରଶ୍ନ ସାମ୍ନାକୁ ଆସିଛି ଯାହାର ଉତର ଖୋଦ୍ ସରକାର ଓ ଉଦ୍ଦେଶ୍ୟମୂଳକ ରେଡ ପଛରେ ଥିବା ଲୋକ ହିଁ ଦେଇପାରିବେ ।