ରାଜ୍ୟରେ ଚାଲିଛି ଅନ୍ଧାରୀ ଶାସନ: ସଚିବଙ୍କୁ ପ୍ରଶ୍ନ କରିବାରୁ ପ୍ରତିଶୋଧ ପରାୟଣ ହେଲେ ସରକାର

249

କନକ ବ୍ୟୁରୋ: ଅନ୍ଧାର କାହାକୁ ଭଲ ଲାଗେନି, ସ୍ୱାଧୀନ ଦେଶରେ ମୁହଁ ବନ୍ଦ ରଖିଲେ ଛାତି ଭିତରଟା ରୁନ୍ଧି ହୋଇଯାଏ । ଦୁର୍ବିସହ ଲାଗେ ଜୀବନ । କିନ୍ତୁ କ୍ଷମତା ଲୋଭୀ, କ୍ରୁର, ନିଷ୍ଠୁର, ଏକଛତ୍ରବାଦ ଉପରେ ବିଶ୍ୱାସ ରଖୁଥିବା ବ୍ୟକ୍ତିଙ୍କର ସବୁବେଳେ ଗୋଟିଏ ଇଚ୍ଛା, ଅନ୍ଧାର ଭିତରେ ସମସ୍ତେ ରୁହନ୍ତୁ, ମୁହଁ ବନ୍ଦ କରି ରୁହନ୍ତୁ । କାରଣ ଏହାରି ଭିତରେ ହିଁ ସ୍ୱାର୍ଥର ଇମାରତ ଗଢିବା ସହଜ ହୋଇଯାଏ । ସ୍ୱାଧୀନ ଦେଶର ନାଗରିକଙ୍କୁ ପରାଧୀନତାର ଶୃଙ୍ଖଳାରେ ବାନ୍ଧି ଦୁର୍ନୀତି, ଅନୀତି, ଅତ୍ୟାଚାର କରି କ୍ଷମତାକୁ ଜାବୁଡ଼ି ରଖିବା ସହଜ ହୋଇଥାଏ ବୋଲି ଭାବି ନେଇଥାଆନ୍ତି କିଛି ବ୍ୟକ୍ତି ।

ହେ ନିଷ୍ଠୁର ବ୍ୟବସ୍ଥା, ତମର ଜାଣି ରଖିବା ଉଚିତ ଯେ ଅନ୍ଧାରର ବି ସ୍ୱର ଅଛି । କାରଣ ଆମେ ସ୍ୱାଧୀନ ଦେଶର ନାଗରିକ, ସ୍ୱାଧୀନ ଦେଶର ଗଣମାଧ୍ୟମ । ଯେତେ ଚାପିବାକୁ ଉଦ୍ୟମ କରିବ, ସେତେ ଜୋରରେ ପ୍ରତିବାଦର ସ୍ୱର ଉଠିବ । ଓଡ଼ିଶାକୁ ଅନ୍ଧାରରେ ରଖିବା ପାଇଁ ଯେତେ ଉଦ୍ୟମ କରିବ, ଆଲୋକର କିରଣ ସେତିକି ଜୋରରେ ଜଳିବ ।

ଆପଣ ଭାବୁଥିବେ, ଏକଥା ଆମେ ଆଜି କାହିଁକି କହୁଛୁ, ତା’ର କାରଣ ହେଉଛି ଓଡ଼ିଶାର ଗଣତାନ୍ତ୍ରିକ ଇତିହାସରେ ଆଜି ଏକ କଳାଦିନ । ହାତୀ ଯେମିତି ପାଗଳ ହୋଇଗଲେ କ’ଣ କରୁଛି ଜାଣିପାରେ ନାହିଁ, ଜନଜୀବନ ବିପଦରେ ପଡିଯାଏ, ସେହିଭଳି ଅବସ୍ଥା ସୃଷ୍ଟି ହୋଇଛି ଓଡ଼ିଶାରେ ।

ସଚିବଙ୍କ ନେତା ଠାଣି ଉପରେ ପ୍ରଶ୍ନ ଉଠିବାରୁ ହୋଇଯାଇଛି ସବୁ ସୀମାର ଉଲଂଘନ । ରାଜ୍ୟର ଏକ ନମ୍ବର ମିଡିଆ ହାଉସର ସ୍ୱର ବନ୍ଦ କରିବାକୁ ଗଳା ଚିପିବା ପାଇଁ ମଧ୍ୟ ପଛଘୁଂଚା ଦେଉନାହାନ୍ତି ରାଜ୍ୟରେ ଚାଲିଥିବା ଛାୟା ସରକାର । ଜଣେ ଦି’ ଜଣଙ୍କୁ ପ୍ରଲୋଭିତ କରି ମିଛ ମାମଲା କରିବା ପରେ ସମ୍ବାଦ ଅଫିସରେ ରେଡ୍ ମାରିଛି ଇଓଡବ୍ଲୁ । ଘଂଟା ଘଂଟା ଅଫିସ ଭିତରେ ରହି କେବଳ ସମ୍ବାଦ ଗ୍ରୁପର କର୍ମଚାରୀଙ୍କ ମନରେ ଭୟ ସଂଚାର କରିବାକୁ ଉଦ୍ୟମ କରାଯାଉଛି, ତା’ ନୁହେଁ, ପ୍ରତ୍ୟେକ ସ୍ୱାଭିମାନୀ ଓଡ଼ିଆଙ୍କୁ ଗୋଟିଏ ବାର୍ତା ଦିଆଯାଉଛି, ଯାହା ଚାଲିଛି ସବୁ ଦେଖ, କିନ୍ତୁ ଚୁପ ହୋଇ ରୁହ, ପାଟି ଖୋଲିଲେ କାହାରିକୁ ଛଡ଼ା ଯିବନି । ଭୟର ବାତାବରଣ ସୃଷ୍ଟି କରି ଚାପ କେତେ ଅଧିକ ସୃଷ୍ଟି କରାଯାଇ ପାରିବ, ସେଥିପାଇଁ ପୂରା ବ୍ୟବସ୍ଥାକୁ ସମ୍ବାଦ ବିରୋଧରେ ଲଗାଇ ଦେଇଛନ୍ତି ଛାୟା ସରକାର । ଏହି ଉଦ୍ଦେଶ୍ୟରେ କିଛି ପୁଲିସ ବାବୁ ସମ୍ବାଦ ଓ କନକ ନ୍ୟୁଜ ଅଫିସ ଚାରିପଟେ ପଇଁତରା ମାରିଛନ୍ତି । ନିଜର ପ୍ରଚାର ପାଇଁ ଯେଉଁ ମିଛ ଗଣମାଧ୍ୟମ ଗଢ଼ିଥିଲେ, ତାକୁ ଏବେ ଏହି କାମରେ ଲଗାଇ ଦିଆଯାଇଛି । ଗୋଟିଏ ଉଦ୍ଦେଶ୍ୟ, ରାଜ୍ୟ ଶାସନ କିପରି ଚାଲିଛି ଓଡ଼ିଶାବାସୀ ନ ଜାଣନ୍ତୁ, ସତ କାହା ସାମ୍ନାକୁ ନଆସୁ । ଆଉ ଶହ ଶହ କୋଟି ଟଙ୍କା ଶ୍ରାଦ୍ଧ କରି ପାଣ୍ଡିଆନ୍ ସାହେବ ନିଜକୁ ନେତା ବନାଇବାକୁ ସରକାରୀ କଳର ଅପବ୍ୟବହାର କରିବା ନେଇ କେହି ମୁହଁ ଖୋଲନ୍ତୁ ନାହିଁ । ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ଏ ନେଇ ପ୍ରଶ୍ନ ଉଠାଇବାରୁ ଚିହିଁକି ଉଠିଛନ୍ତି ସଚିବ । ସଚିବଙ୍କୁ ପ୍ରଶ୍ନ ପରେ ‘ସମ୍ବାଦ’ରେ ଇଓଡବ୍ଲୁ ରେଡ୍ କରିଛି । ପ୍ରତିଶୋଧର ରକ୍ତଚାଉଳ ଚୋବାଉଛନ୍ତି ଛାୟା ସରକାର ।

କାଳେ କାହାର ଶବ୍ଦ ଶୁଭିବ, ସମସ୍ତଙ୍କ ମୁହଁ ବନ୍ଦ କରିବା ପାଇଁ ଆରମ୍ଭ ହୋଇଯାଇଛି ଉଦ୍ୟମ । ଏ ଅନ୍ଧାର, କେବଳ ରାଜ୍ୟର ଏକ ନମ୍ବର ଗଣମାଧ୍ୟମ ‘ସମ୍ବାଦ’ ଗ୍ରୁପର ମୁହଁ ବନ୍ଦ କରିବା ପାଇଁ ଉଦ୍ୟମ ନୁହେଁ । ଏହା ରାଜ୍ୟବାସୀଙ୍କ ଭବିଷ୍ୟତକୁ ଅନ୍ଧାରରେ ରଖିବା ପାଇଁ ଉଦ୍ୟମ । ଏବେ ସଚେତନ ହେବାର ବେଳ । ନହେଲେ ଆମର ଭବିଷ୍ୟତ ପିଢ଼ି ଆମକୁ ପ୍ରଶ୍ନ ପଚାରିବ ।

ଏପରି ଅନ୍ଧାରୀ ଶାସନ ସ୍ୱାଧୀନ ଭାରତରେ ଏକ ବିରଳ ଘଟଣା ହୋଇପାରେ । କିନ୍ତୁ ବ୍ରିଟିଶ ସରକାର ଅମଳରେ ଏହା ଥିଲା ନିତିଦିନିଆ ଘଟଣା । କ୍ରୁର ବ୍ରିଟିଶ ଶାସକ ଭାବୁଥିଲେ ଜନତାଙ୍କ ସ୍ୱର ଚାପି, ସେମାନଙ୍କ ଅଧିକାରକୁ ମାଡିମକଚି ଦେଇ ଦେଶକୁ ଲୁଣ୍ଠନ କରିଚାଲିଥିବେ । କିନ୍ତୁ ଏହା ସମ୍ଭବ ହୋଇନଥିଲା । ଶାସକ ଯେତେ ଶକ୍ତିଶାଳୀ ହେଲେ ବି ପ୍ରତିବାଦର ସ୍ୱର ଉଠାଇଥିଲେ କୋଟି କୋଟି ଦେଶବାସୀ । ଏହା ପରେ ଯାହା ହୋଇଥିଲା, ତାହା ଆମେ ସମସ୍ତେ ଜାଣିଛୁ । ଏମିତି ଏକ ପରୀକ୍ଷାର ସମୟରେ ଆମେ ଏବେ ପହଁଚି ଯାଉଛୁ ।