କୋଲକାତାରେ ଓଡ଼ିଆ ଯବାନଙ୍କ ଗୁଳିବର୍ଷା: କାହିଁକି କଲେ ଗୁଳିମାଡ଼, ଏବେ ବି ଖୋଲିନି ରହସ୍ୟ

294

କନକ ବ୍ୟୁରୋ: କୋଲକାତାର ଜାତୀୟ ମ୍ୟୁଜିୟମରେ ଓଡିଆ ଯବାନଙ୍କ ଆଖିବୁଜା ଗୁଳିମାଡ ଘଟଣା ଚାଂଚଲ୍ୟ ଖେଳାଇ ଦେଇଛି । ଗୁଳିମାଡରେ ସିଆଇଏସଏଫ ଏଏସଆଇ ରଂଜିତ ଷଡଙ୍ଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆସିଷ୍ଟାଂଟ କମାଣ୍ଡର ର୍ୟାଙ୍କର ଅଧିକାରୀ ସୁବୀର ଘୋଷ ଆହତ ହୋଇଛନ୍ତି । ଏହି କାଣ୍ଡ ଭିଆଇଥିବା ଓଡିଆ ଯବାନ ହେଉଛନ୍ତି ସିଆଇଏସଏଫ ହେଡ କନେଷ୍ଟବଳ ଅକ୍ଷୟ ମିଶ୍ର, ଘର ଓଡିଶାର ଢେଙ୍କାନାଳ ଜିଲ୍ଲା ମାଛିଆ ଘୋଡାଡିଆଁ ଗାଁରେ । ପଶ୍ଚିମବଙ୍ଗ ପୁଲିସ ଅକ୍ଷୟ ମିଶ୍ରଙ୍କୁ କାବୁ କରି କୋର୍ଟରେ ହାଜର କରିଛି ।

କୋଲକାତା ମ୍ୟୁଜିୟମରେ ଓଡିଆ ଯବାନଙ୍କ ଉନ୍ମତକାଣ୍ଡ ଖବର ପରେ ଅକ୍ଷୟ ମିଶ୍ରଙ୍କ ପୈତୃକ ଗାଁ ଢେଙ୍କାନାଳ ଜିଲ୍ଲାର ମାଛିଆ ଘୋଡାଡିଆଁ ଗାଁରେ ପହଂଚିଥିଲା କନକ ନ୍ୟୁଜ ଟିମ୍ । ଅକ୍ଷୟ ମିଶ୍ରଙ୍କ କାରନାମାକୁ ଗାଁ ଲୋକେ ବିଶ୍ୱାସ କରିପାରୁ ନାହାନ୍ତି । ଶାନ୍ତ ସ୍ୱଭାବର ପିଲା ଏଭଳି କରିଥିବ ସେମାନେ ଚିନ୍ତା କରିପାରୁ ନାହାନ୍ତି ।

ବାପାଙ୍କ ମୃତ୍ୟୁ ପରେ ଅକ୍ଷୟଙ୍କୁ ଛୁଟ ନମିଳିବାରୁ ସେ ଉଚ୍ଚ ଅଧିକାରୀଙ୍କୁ ଗୁଳ କରିଥିବା ସୂଚନା ମିଳିଥିଲା । ହେଲେ ଗ୍ରାମବାସୀ କହୁଛନ୍ତି, ତିନି ମାସ ତଳେ ଅକ୍ଷୟଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା ଓ ଶୁଦ୍ଧି କାମ ପାଇଁ ଅକ୍ଷୟ ଗାଁକୁ ଆସି ମାସେ ଛୁଟିରେ ରହିଥିଲେ ।

ଚର୍ଚ୍ଚା ହେଉଛି କାର୍ଯ୍ୟକ୍ଷେତ୍ରରେ ହେଡ କନେଷ୍ଟବଳ ଅକ୍ଷୟ ମିଶ୍ରଙ୍କୁ ହଇରାଣ କରାଯାଉଥିଲା । ବିଶେଷ କରି ଓଡିଆ ଯବାନ ସିଆଇଏସଏଫ ରଂଜିତ କୁମାର ଷଡଙ୍ଗୀ ଓ ଆସିଷ୍ଟାଂଟ କମାଣ୍ଡାଂଟ ସୁବୀର ଘୋଷଙ୍କ ତାଙ୍କୁ ଟାର୍ଗେଟ କରୁଥିଲେ । ଏଥିରେ ଅତିଷ୍ଠ ହୋଇ ସେ ଦୁଇ ସହକର୍ମୀଙ୍କ ଉପରେ ଗୁଳି ମାଡ କରି ମ୍ୟାଗଜିନ ଖାଲି କରିଦେଇଥିଲେ । ଗିରଫ ପରେ ପୁଲିସ ଆଗରେ ଅଭିଯୁକ୍ତ ଅକ୍ଷୟ ମିଶ୍ର ଏହା କହିଥିବା ଜଣାପଡିଛି ।