ମାତ୍ର ୧୨ ଦିନରେ ଭାଙ୍ଗିଗଲା ନୂଆବୋହୂର ସ୍ୱପ୍ନ: କ୍ୟାନସର ସନ୍ଦେହରେ ତଡ଼ିଦେଲେ ଶାଶୂଘର ଲୋକ, ରଶି ଲଗାଇ ଜୀବନ ହାରିଦେଲେ ପ୍ରଜ୍ଞା

594

କନକ ବ୍ୟୁରୋ: ସ୍ୱାମୀଙ୍କ ହାତ ଧରି ନୂଆ ସଂସାର ଗଢିବା ପାଇଁ ଆଖିରେ ଆଖିଏ ସ୍ୱପ୍ନ ଦେଖିଥିଲେ । କଟକ ଜିଲ୍ଲା ନିଆଳୀ ଥାନା ଲୁଣିଗାଁରେ ପ୍ରଜ୍ଞାଙ୍କ ଘର । ଧୁମଧାମରେ ବିବାହ ହୋଇଥିଲା ଭୁବନେଶ୍ୱର ପଟିଆ ନିବାସୀ ପ୍ରଶାନ୍ତ ପାତ୍ରଙ୍କ ସହ । ବିବାହକୁ ୨ ସପ୍ତାହ ପୂରିନାହିଁ, ପାଣି ଫୋଟକା ଭଳି ମିଳାଇଗଲା ପ୍ରଜ୍ଞା ପାରମିତାଙ୍କ ସବୁ ସ୍ୱପ୍ନ । ଜୀବନରେ ଘୋଟି ଆସିଲା କଳା ବାଦଲ ।
ପ୍ରଜ୍ଞାଙ୍କ ଦୋଷ ଏତିକି ଥିଲା, ତାଙ୍କର ଦାନ୍ତରେ ଯନ୍ତ୍ରଣା ହୋଇଥିଲା । ଯାହାକୁ କ୍ୟାନସର ବୋଲି କେହି ଜଣେ କହିବା ପରେ ଆରମ୍ଭ ହୋଇ ଯାଇଥିଲା ନିର୍ଯାତନା । ଶାଶୂ, ନଣନ୍ଦ, ସ୍ୱାମୀ ଏକାଠି ହୋଇ ଅତ୍ୟାଚାର କଲେ, ଆଉ ପ୍ରଜ୍ଞାଙ୍କ ବାପଘରକୁ ଫୋନ କରି ରୋଗିଣା ଝିଅକୁ ନେଇଯାଅ ବୋଲି କହିଲେ । କିଛି ଉପାୟ ନପାଇ ଜୁନ ୨୦ ତାରିଖ ଦିନ, ପ୍ରିୟବ୍ରତ, ଭଉଣୀ ପ୍ରଜ୍ଞାଙ୍କୁୁ ଆଣି ରସୁଲଗଡ଼ ଅଂଚଳରେ ନେଇଥିବା ଭଡାଘରେ ରଖିଥିଲେ ।

ଏକ ଘରୋଇ ହସପିଟାଲରେ ଦେଖାଇବା ପରେ ଜଣାପଡିଲା, ପ୍ରଜ୍ଞାଙ୍କୁ କ୍ୟାନସର ହୋଇନାହିଁ । ଦନ୍ତ କ୍ଷୟ ରୋଗ ରହିଛି, ଯାହା ଏକ ମାଇନର ଅପରେସନରେ ଭଲ ହୋଇ ଯାଇଥିଲା । କିନ୍ତୁ ସେତେବଳେକୁ ପ୍ରଜ୍ଞାଙ୍କ ଫୋନ ନମ୍ବର ବ୍ଳକ କରି ଦେଇଥିଲେ ଶାଶୂଘର ଲୋକ । ଏପଟେ ବିବାହ ମଧ୍ୟସ୍ଥି ହାତରେ ଖବର ପଠାଇଲେ ସେମାନେ ଆଉ ବୋହୂକୁ ନେବେ ନାହିଁ । ଏହା ଶୁଣିବା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ପ୍ରଜ୍ଞା ।

ଭାଇ ପ୍ରିୟବ୍ରତ କାର୍ଯ୍ୟକ୍ଷେତ୍ରକୁ ବାହାରିଯିବା ପରେ ମଂଚେଶ୍ୱର ଥାନା ମଳୟ ବିହାର ସ୍ଥିତ ଭଡ଼ାଘରେ ଜୀବନ ହାରିଦେଲେ ପ୍ରଜ୍ଞା ପାରମିତା । ଯାହାର ହାତ ଧରି ସାତ ଜନ୍ମ କାଟିବାକୁ ଶପଥ ନେଇଥିଲେ, ସେ ପଛକୁ ହଟିଯିବାରୁ ଦୁର୍ବିସହ ହୋଇପଡ଼ିଥିଲା ଜୀବନ । ବିବାହକୁ ୨ ମାସ ପୂରିନି, ନେଇଗଲେ ଚରମ ନିଷ୍ପତି ।

ଏବେ ପ୍ରଶ୍ନ ଉଠୁଛି, ପ୍ରଜ୍ଞାଙ୍କ ମୃତ୍ୟୁ ପାଇଁ ଦାୟୀ କିଏ?
କ୍ୟାନସର ହୋଇଛି ବୋଲି ପ୍ରଜ୍ଞାଙ୍କ ଶାଶୂଘର ଲୋକଙ୍କୁ କିଏ କହିଲା?
କିଛି ପରୀକ୍ଷା ହୋଇଥିଲା ନା’ ବିନା ପରୀକ୍ଷାରେ ଏପରି କୁହାଯାଇଥିଲା?
ଏପଟେ ପ୍ରଜ୍ଞାଙ୍କ ସ୍ୱାମୀ ଓ ଶାଶୂଘର ଲୋକଙ୍କ ଆଚରଣ ସେମାନଙ୍କୁ କାଠଗଡ଼ାକୁ ଟାଣିଛି ।
କ୍ୟାନସର ବାହାନାରେ ନବବଧୂଙ୍କୁ ତଡ଼ିଦେବା ଅଧିକାର କାହାର ଅଛି?
କାହିଁକି ପ୍ରଜ୍ଞାଙ୍କୁ ଘରକୁ ନେଲେ ନାହିଁ ସ୍ୱାମୀ ପ୍ରଶାନ୍ତ ପାତ୍ର?

ପୁଲିସ ଶବ ଜବତ କରିବା ସହ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ଭଉଣୀ ପ୍ରଜ୍ଞା ପାରମିତା ଆତ୍ମହତ୍ୟା ପାଇଁ ତାଙ୍କ ସ୍ୱାମୀ ଏବଂ ଶାଶୂଘର ଲୋକ ଦାୟୀ ବୋଲି ମଂଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ଭାଇ ।