ଅସହାୟ ହୋଇପଡିଲେଣି କି ବିଜେପିର ଯୁବରାଜ ଜ୍ୟୋତିରାଦିତ୍ୟ ସିନ୍ଧିଆ? ୨ମାସ ମଧ୍ୟରେ ଦଳ ଛାଡିଲେଣି ୭ରୁ ଅଧିକ ନିକଟତର ବରିଷ୍ଠ ନେତା

5,102

କନକ ବ୍ୟୁରୋ : ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନିକଟତର କୁହାଯାଉଥିବା ୭ଜଣ ନେତା ୨ମାସ ମଧ୍ୟରେ ବିଜେପି ଛାଡି ସାରିଲେଣି । ଶୁକ୍ରବାର ଦିନ ନିମଚର ବରିଷ୍ଠ ବିଜେପି ନେତା ତଥା ସିନ୍ଧିଆଙ୍କ ଅତି ଘନିଷ୍ଠ କୁହାଯାଉଥିବା ସମନ୍ଦର ପଟେଲ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି । ଗତ ୨ମାସ ମଧ୍ୟରେ ମଧ୍ୟ ପ୍ରଦେଶର ଭିନ୍ନ ଭିନ୍ନ ଅଞ୍ଚଳରୁ ୭ ଜଣ ବରିଷ୍ଠ ବିଜେପି ନେତା ଦଳ ଛାଡିସାରିଛନ୍ତି । ଏହି ନେତାମାନେ ସିନ୍ଧିଆଙ୍କ ଅତି ନିକଟତର ବୋଲି କୁହାଯାଉଥିଲା ।

ସିନ୍ଧିଆଙ୍କ ସହ ଯେଉଁ ସମର୍ଥକମାନେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଗ୍ୱାଲିଅର, ଚମ୍ବଲ, ସମ୍ଭାଗ ଅଞ୍ଚଳର । ଗ୍ୱାଲିୟର-ଚମ୍ବଲକୁ ସିନ୍ଧିଆ ରାଜପରିବାରର ରାଜନୈତିକ ଗଡ ବୋଲି କୁହାଯାଇଥାଏ । ସେମାନେ ଦଳ ଛାଡିବା ପରେ କମଲନାଥଙ୍କ ନେତୃତ୍ୱରେ କଂଗ୍ରେସରେ ଯୋଗ ଦେଉଛନ୍ତି ।

ନିର୍ବାଚନୀ ବର୍ଷରେ ଏଭଳି ଭାବେ ସିନ୍ଧିଆଙ୍କ ସହ ସଂପର୍କ ତୁଟାଇ ଘନିଷ୍ଠମାନେ କଂଗ୍ରେସରେ ଯୋଗ ଦେଉଥିବାରୁ ଏହାକୁ ନେଇ ଏବେ ଅନେକ ପ୍ରଶ୍ନ ଠିଆ ହୋଇଛି । କ୍ଷମତା ବର୍ଗରେ ଏହି ପ୍ରଶ୍ନ ଉଠୁଛି କି ସିନ୍ଧିଆ ତାଙ୍କ ସମର୍ଥକମାନଙ୍କୁ ବାନ୍ଧିରଖିବାରେ କାହିଁକି ସମର୍ଥ ହେଉନାହାଁନ୍ତି । ସେପଟେ ସିନ୍ଧିଆଙ୍କ ସମର୍ଥକମାନେ କହୁଛନ୍ତି ଯେ ଯେଉଁନେତାମାନେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଉଛନ୍ତି ସେମାନଙ୍କ ପଛରେ ଜନାଧାର ନାହିଁ ।

ସମନ୍ଦର ପଟେଲ : ନିମଚ ଜାବଦରୁ ୨୦୧୮ ମସିହାରେ ସମନ୍ଦର ପଟେଲ ନିର୍ବାଚନ ଲଢିଥିଲେ । ପଟେଲ ନିର୍ବାଚନ ହାରିଥିଲେ ବି ୩୩ ହଜାର ଭୋଟ ନେଇ କଂଗ୍ରେସର ଖେଳ ବିଗାଡିଦେଇଥିଲେ । ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ବେଳେ ପଟେଲ ମଧ୍ୟ ସିନ୍ଧିଆଙ୍କ ସମର୍ଥନରେ ବିଜେପିରେ ଯୋଗ ଦେଇଥିଲେ ।

ବୈଜନାଥସିଂ ଯାଦବ : ଗୁନା-ଶିବପୁରୀରେ ସିନ୍ଧିଆଙ୍କ ଘନିଷ୍ଠ ଥିବା ବୈଜନାଥ ଯାଦବ ଜୁନମାସରେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ବୈଜନାଥ ଯାଦବଙ୍କ ପତ୍ନୀ କମଲା ଯାଦବ ଶିବପୁରୀ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ଥିଲେ । ଯାଦବ ଯେତେବେଳେ ବିଜେପି ଛାଡି କଂଗ୍ରେସରେ ଯୋଗଦେଲେ ୪୦୦ ଗାଡିରେ ଏକ ରାଲି କରି ଆସି ସମସ୍ତଙ୍କୁ ଚମକାଇ ଦେଇଥିଲେ ।

ଜୟପାଲ ସିଂ ଯାଦବ : ସିନ୍ଧିଆ ସମର୍ଥକ ଜୟପାଲ ସିଂ ଯାଦବ ଚନ୍ଦେରୀ ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ । ଏବେ ସେ ନିଜ ସମର୍ଥକଙ୍କ ସହ କଂଗ୍ରେସରେ ଯୋଗ ଦେଇଛନ୍ତି ।

ୟଦୁରାଜ ସିଂ ଯାଦବ : ଚନ୍ଦେରୀର ଜଣେ ଲୋକପ୍ରିୟ ନେତା । ଏହାସହ ଜଣେ ଭଲ ସଂଗଠକ ଭାବେ ସେ ବେଶ୍ ଜଣାଣୁଣା । ସିନ୍ଧିଆଙ୍କ ନିର୍ବାଚନୀ ରଣନୀତିକାର ଭାବେ ତାଙ୍କର ବେସ୍ ନାମ ରହିଛି । ହେଲେ ଏବେ ସେ ଜୟପାଲଙ୍କ ସହ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି ।

ରାକେଶ ଗୁପ୍ତା : ଶିବପୁରୀରେ ରାକେଶ ବିଜେପି ଜିଲ୍ଲା ଉପାଧ୍ୟକ୍ଷ ପଦରେ ଥିଲେ । ସେ ଶବପୁରୀ ଲୋକସଭା ଆସନରେ ସିନ୍ଧିଆଙ୍କର ମ୍ୟାନେଜମେଣ୍ଟ କାମ ଦେଖୁଥିଲେ ।

ଏହିଭଳି ଭାବେ ଜଣଙ୍କ ପରେ ଜଣେ ସିନ୍ଧିଆଙ୍କ ଘନିଷ୍ଠ ନେତା ବିଜେପି ଛାଡି କଂଗ୍ରେସରେ ଯୋଗ ଦେଉଛନ୍ତି । ଏହାକୁ ନେଇ କଂଗ୍ରେସ ବିଧାୟକ ବୈଜନାଥ କୁଶୱାହା ଦାବି କରିଛନ୍ତି କି ଆହୁରି ଅନେକ ସିନ୍ଧିଆ ସମର୍ଥକ କଂଗ୍ରେସ ସହ ଯୋଗାଯୋଗରେ ରହିଛନ୍ତି ।