ସେପ୍ଟେମ୍ବର ମାସରେ ଭାଙ୍ଗିପାରେ ଓଡିଶା ବିଧାନସଭା । ମୌସୁମୀ ଅଧିବେଶନ ଭଙ୍ଗ ପାଇଁ ଆସିପାରେ ପ୍ରସ୍ତାବ । ଡିସେମ୍ବର ମାସରେ ରାଜ୍ୟରେ ହୋଇପାରେ ଆଗୁଆ ନିର୍ବାଚନ

446

କନକ ବ୍ୟୁରୋ: ସେପ୍ଟେମ୍ବର ମାସରେ ଭାଙ୍ଗିପାରେ ଓଡିଶା ବିଧାନସଭା । ଆଗକୁ ବସିବାକୁ ଯାଉଥିବା ମୌସୁମୀ ଅଧିବେଶନରେ ବିଧାନସଭା ଭଂଗ ପାଇଁ ପ୍ରସ୍ତାବ ଆସିପାରେ । ଆଉ ଯଦି କେନ୍ଦ୍ର ସରକାର ସହମତି ହୁଅନ୍ତି, ଡିସେମ୍ବର ମାସରେ ଆଗୁଆ ନିର୍ବାଚନ ହୋଇପାରେ । ଏଥିପାଇଁ ବର୍ଷ ଶେଷକୁ ହେବାକୁ ଥିବା ୫ରାଜ୍ୟର ନିର୍ବାଚନ ତାରିଖ ସହ ଓଡିଶାର ବି ତାରିଖ ଘୋଷଣା ହୋଇପାରେ । ଅର୍ଥାତ ମଧ୍ୟପ୍ରଦେଶ, ତେଲେଂଗାନା, ଛତିଶଗଡ, ରାଜସ୍ଥାନ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ସହ ଓଡିଶା ବିଧାନସଭା ନିର୍ବାଚନ ହୋଇପାରେ ।

ଏଥିପାଇଁ ଶାସକ ଦଳ ବିଜେଡି ଜୋରଦାର ପ୍ରସ୍ତୁତି ଚଳାଇଥିବା ଚର୍ଚ୍ଚା ହେଉଛି । ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଦଳୀୟ ବିଧାୟକ ଓ ନେତାମାନଙ୍କୁ ପାଖାପାଖି ଦୁଇ ମାସ ପୂର୍ବରୁ ଇସାରା ଦିଆଯାଇଛି । ଆଲୋଚନା ହେଉଛି, ନିର୍ବାଚନ ମଣ୍ଡଳୀ ଗୁଡିକରେ ଦଳୀୟ ସଂଗଠନକୁ ସଜାଡିବାକୁ, ବିକାଶ କାମକୁ ତଦାରଖ କରିବାକୁ ଓ ଲୋକଙ୍କ ସହ ଯୋଡି ହେବାକୁ ନେତାଙ୍କୁ କୁହାଯାଇଛି । ଏଥିସହ କେଉଁ ନେତା କିମ୍ବା ବିଧାୟକଙ୍କ ଜିତିବା ସମ୍ଭାବନା ଅଧିକ ରହିଛି, ତାହାର ଆକଳନ କରାଯାଉଛି । ତେବେ କେନ୍ଦ୍ର ସରକାର ରାଜି ହୋଇଗଲେ ରାଜ୍ୟରେ ଆଗୁଆ ଅର୍ଥାତ ଡିସେମ୍ବର ମାସରେ ନିର୍ବାଚନ ହୋଇପାରେ ।