ବିଜେବି କଲେଜରୁ ଆସିଲା ରାଗିଂର ଆଉ ଏକ ଅଭିଯୋଗ: ବାଣିଜ୍ୟ ବିଭାଗ ଛାତ୍ର କହିଲେ ରାଗିଂ କାହାଣୀ

120

କନକ ବ୍ୟୁରୋ: ପାଠ ପଢା ନୁହେଁ ବରଂ କ୍ୟାମ୍ପସରେ ଚାଲିଛି ରାଗିଂ । ସିନିୟର ନୁହନ୍ତି ସହପାଠୀ ଦେଉଛନ୍ତି ନିର୍ଯାତନା । କେତେବେଳେ ଗାଡି ଛଡାଇ ନେଉଛନ୍ତି ତ କେତେବେଳେ କ୍ୟାମ୍ପସ ଭିତରେ କରୁଛନ୍ତି ଉଠବସ । ଆଉ ତା ସାଙ୍ଗକୁ ଅଭିଯୋଗ ଆଣିଲେ ରାସ୍ତାରୁ ହଟାଇ ଦେବାକୁ ଧମକ । ବିଜେବି କଲେଜ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣି ବଡଗଡ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁକ୍ତ ଦୁଇ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର ।

ଗୋଟିଏ ପଟେ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଘଟଣା ରହସ୍ୟମୟ ହୋଇ ରହିଥିବା ବେଳେ ଏବେ ବି ସେହି ତିନି ସିନିୟର ଛାତ୍ରୀଙ୍କ ଚେହେରା ସାମ୍ନାକୁ ଆଣିବାରେ ସକ୍ଷମ ହୋଇନି ପୋଲିସ । ମୃତ୍ୟୁର ଶେଷ ଚିଠିରେ ରାଗିଂ ଯୋଗୁଁ ପ୍ରାଣ ହରାଇଥିବା ସ୍ପଷ୍ଟ କରିଥିଲେ ବି କଲେଜରେ ରାଗିଂ ହୁଏନାହିଁ ବୋଲି ସିଧାସଳଖ ଗଣମାଧ୍ୟମ ଆଗରେ କହିଥିଲେ କଲେଜର ପ୍ରିନସିପାଲ ନିରଞ୍ଜନ ମିଶ୍ର । ହେଲେ ଛାତ୍ର ଆଣିଥିବା ରାଗିଂ ଅଭିଯୋଗ କଲେଜର ଭିତିରି କଥାକୁ ପଦାରେ ପକାଇଛି ।

କୁହାଯାଏ ମେଧାବୀ ଛାତ୍ରଛାତ୍ରୀ ହିଁ ବିଜେବି କଲେଜରେ ପାଠ ପଢିବାକୁ ସୁଯୋଗ ପାଆନ୍ତି । ଆଉ ବାପା ମା ମାନେ ପିଲାଙ୍କୁ ଆଖିବୁଜି କଲେଜରେ ନାମଲେଖାଇବା ସହିତ ହଷ୍ଟେଲରେ ଛାଡି ଦିିଅନ୍ତି । କିନ୍ତୁ ବିଜେବି କଲେଜର ସତ ରୁଚିକାଙ୍କ ମୃତ୍ୟୁ ପରେ ରାଗିଂ ଚିତ୍ର ସାମ୍ନାକୁ ଆସିଛି ।