କାହିଁକି ହାରୁଛି କଂଗ୍ରେସ? ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆଲେଖ୍ୟକୁ ନେଇ ଚର୍ଚ୍ଚା

207

କନକ ବ୍ୟୁରୋ: ଜାତୀୟ ସ୍ତରରେ ହେଉ ଅବା ରାଜ୍ୟ ସ୍ତରରେ ହେଉ, କଂଗ୍ରେସର ବିପର୍ଯ୍ୟୟକୁ ନେଇ ଅନେକ ସମୀକ୍ଷା ଚାଲିଥିବା ବେଳେ ଦୈନିକ ଖବରକାଗଜ ସମ୍ବାଦରେ ଏକ ଲେଖା ଲେଖି ଅନେକ ଦିଗକୁ ସାମ୍ନାକୁ ଆଣିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ସେ ଲେଖିଛନ୍ତି,

– କଂଗ୍ରେସ କ୍ଷମତାରେ ଥିବା ବେଳେ ରାଜ୍ୟ ସରକାରଙ୍କ ଆର୍ଥିକ ସମ୍ବଳ ସୀମିତ ଥିଲା
– ୧୯୯୧ରେ ଆର୍ଥିକ ସଂସ୍କାର ପରେ କେନ୍ଦ୍ରର ଆୟ ବଢିଲା, ରାଜ୍ୟ ଅଧିକ ଅର୍ଥ ପାଇଲା
– ବିଜେଡିର ଦୈନିକ ଅର୍ଥ ଖର୍ଚ୍ଚ ଯେତିକି,କଂଗ୍ରେସ ମାସକୁ ସେତେ ଅର୍ଥ ଖର୍ଚ୍ଚ କରିପାରୁନି
– ସରକାରୀ ଓ ବେସରକାରୀ ଅର୍ଥ ଖର୍ଚ୍ଚ କରି ନିଜ ସପକ୍ଷରେ ପ୍ରଚାର କରିପାରୁଛନ୍ତି

ଦୀର୍ଘ ୨୨ ବର୍ଷ ଧରି ରାଜ୍ୟରେ କଂଗ୍ରେସ କ୍ଷମତାରୁ ବାହାରେ ରହିଛି । ଭୋଟ୍ ହାର କମିଚାଲିଛି । ପ୍ରମୁଖ ବିରୋଧୀ ଦଳରୁ , କଂଗ୍ରେସ ତୃତୀୟ ସ୍ଥାନକୁ ଖସିଆସିଛି । ଏଭଳି ସମୟରେ ନେତା ମଧ୍ୟ ଦଳ ପ୍ରତି ବିତୃଷ୍ଣା ଭାବ ଦେଖାଇ, ଅନ୍ୟ ଦଳକୁ ଚାଲି ଯାଉଛନ୍ତି । ଯାହା ଦଳକୁ ଆହୁରି ଦୁର୍ବଳ କରିଚାଲିଛି ।
ଭୋଟ୍ ବ୍ୟାଙ୍କ ପଲିଟିକ୍ସର ବଡ ଦିଗକୁ ପିସିସି ସଭାପତି, ସାମ୍ନାକୁ ଆଣିଛନ୍ତି । ତାଙ୍କ ହିସାବରେ,

– ବିଭିନ୍ନ ସୁବିଧା ସୁଯୋଗ ପାଇ ଏକ ବିଶାଳ ଲାଭାର୍ଥୀ ବର୍ଗ ସୃଷ୍ଟି ହୋଇଛନ୍ତି
– ପୁରା ରାଜ୍ୟ ବଜେଟ, ଭୋଟରଙ୍କୁ ଆକୃଷ୍ଟ କରିବାକୁ ଖର୍ଚ୍ଚ ହେଉଛି
– ବିରୋଧୀ ଦଳ କେବଳ ପ୍ରତିଶ୍ରୁତି ଦେବେ, ସରକାର ସୁବିଧା ଦେଉଛନ୍ତି
– ପଂଚାୟତ ନିର୍ବାଚନ ଆଗରୁ ରକାର ୧୦ ହଜାର କୋଟି ଖର୍ଚ୍ଚ କଲେ
– ସରକାରଙ୍କ ଠାରୁ ସୁବିଧା ପାଇ ଲୋକ ଭୋଟ୍ ଅଜାଡି ଦେଉଛନ୍ତି

ପିସିସି ସଭାପତିଙ୍କ ଲେଖାରେ ଆଉ ଏକ ସମ୍ବେଦନଶୀଳ ଦିଗ ରହିଛି, ଯାହା ରାଜନୀତିର ମୁଳଦୁଆକୁ ଦର୍ଶାଉଛି । ଯଦି ଶକ୍ତିଶାଳୀ ବିରୋଧୀ ଦଳ ରହିବେ ନାହିଁ ତେବେ ଗଣତନ୍ତ୍ର ପାଇଁ ଏହା ଶୁଭଙ୍କର ନୁହେଁ । ଅନେକ ନେତା ଦଳରେ ଧୈର୍ଯ୍ୟହରା ହୋଇ କ୍ଷମତା ଆଶାରେ ଅନ୍ୟ ଦଳକୁ ଚାଲିଯାଉଛନ୍ତି । ରାଜ୍ୟରେ କଂଗ୍ରେସ ଯେତିକି ଦୁର୍ବଳ ହେବ, ଗଣତନ୍ତ୍ର ସେତିକି ବିପଦ ଭିତରକୁ ଠେଲିହେବ ।

ବଡ କଥା ହେଉଛି, ନୀତି ନୈତିକତାର ଏହି କଥା କହି କଂଗ୍ରେସ କଣ ଆଗାମୀ ଦିନରେ ଲୋକଙ୍କ ଭରସା ଜିତିପାରିବ? ଗଣମାଧ୍ୟମକୁ ଶାସକ ଦଳ ନିଜ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ କରୁଥିବା ନେଇ ଅଭିଯୋଗ ଭିତରେ, କଂଗ୍ରେସ କିନ୍ତୁ ନିଜ ଦୋଷ ଦୁର୍ବଳତାକୁ କେବେ ଖୋଜିବାକୁ ଚେଷ୍ଟା କରୁଛି କି ନାହିଁ, ତାର ମଧ୍ୟ ବିଶ୍ଳେଷଣ ଦଳ ସ୍ତରରେ ହେବାର ଆବଶ୍ୟକତା ରହୁଛି ।