ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାର ସନ୍ଦେହ ବଢ଼ାଉଛି ରହସ୍ୟମୟ ଭିଡିଓ କ୍ଲିପ୍ । ଘଟଣାରେ ସାମ୍ନାକୁ ଆସିଲା ନୂଆ ଚେହେରା ।

167

କନକ ବ୍ୟୁରୋ : ମାନସଙ୍କ ହତ୍ୟାକାଣ୍ଡ ପଛରେ ଦୁଇ ନୂଆ ଚେହେରା । ଶର୍ମିଷ୍ଠାଙ୍କୁ ସହଯୋଗ କରିଥିଲେ ରହସ୍ୟମୟୀ ମହିଳା । କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟା ପଛରେ ଆଉ ଜଣେ ରହସ୍ୟମୟୀ ମହିଳାଙ୍କୁ ନେଇ ଚାଞ୍ଚଲ୍ୟ । ଯେଉଁ ମହିଳା ଶର୍ମିଷ୍ଠାଙ୍କୁ ରାଜନେତାଙ୍କ ସହ ସମ୍ପର୍କ ବଢାଇବାରେ ମୁଖ୍ୟ ଭୂମିକା ତୁଲାଉଥିଲେ । ପୋଲିସକୁ ମିଳିଥିବା ତଥ୍ୟ ଅନୁସାରେ ଅପହରଣ ଦିନ ଶର୍ମିଷ୍ଠାଙ୍କ ସହ ଭୁବନେଶ୍ୱରରୁ ଚାନ୍ଦବାଲି ଯାଇଥିଲେ ଉକ୍ତ ମହିଳା । ଏପରିକି, ବିବାଦୀୟ ଭିଡିଓ କ୍ଲିପ ହାତେଇବା ପାଇଁ ଶର୍ମିଷ୍ଠା ଯେତିକି ବ୍ୟଗ୍ର ଥିଲେ, ତାଠାରୁ ବେଶୀ ବିବ୍ରତ ଥିଲେ ଏହି ରହସ୍ୟମୟୀ ମହିଳା । ଆଉ ଅପହରଣ, ହତ୍ୟା ଓ ପ୍ରମାଣ ନଷ୍ଟ କରିବା ପର୍ଯ୍ୟନ୍ତ ଶର୍ମିଷ୍ଠାଙ୍କ ସହ କ୍ରାଇମ ସିନରେ ଉପସ୍ଥିତ ଥିଲେ । ଏ ସବୁ ପଛରେ ସମସ୍ତଙ୍କୁ ସାଥ ଦେଇଥିଲା ଫେରାର ଥିବା ରାଜ ନାମକ ଆଉ ଜଣେ ସହଯୋଗୀ ।

ମାନସ ହତ୍ୟା ମାମଲାର ତଦନ୍ତ କରୁଥିବା ଚାନ୍ଦବାଲି ପୁଲିସ କଲ୍ ରେକର୍ଡରୁ କିଛି ଗୁରୁତ୍ୱପୂର୍ଣ୍ଣ ସୁରାଗ ପାଇଛି । ଯେଉଁଥିରେ ନିରଞ୍ଜନ ସେଠୀ ନାମକ ଜଣେ ବ୍ୟକ୍ତିଙ୍କ ଆଡକୁ ଯାଉଛି ମାମଲାର ଦିଗ । ଶର୍ମିଷ୍ଠାଙ୍କ କଲ ରେକର୍ଡରେ ସେଠୀ ସାର କିଏ ? ଘଟଣା ପୂର୍ବରୁ ଆଉ ପରେ ଶର୍ମିଷ୍ଠା କାହିଁକି ଫୋନ୍ କରିଥିଲେ ? ପୋଲିସକୁ ମିଳିଥିବା ତଥ୍ୟ ଅନୁସାରେ ହତ୍ୟାକାଣ୍ଡ ପୂର୍ବରୁ ଏବଂ ପରେ ଶର୍ମିଷ୍ଠା ନିରଞ୍ଜନ ସେଠୀ ନାମକ ଜଣେ ବ୍ୟକ୍ତିଙ୍କୁ ବାରମ୍ବାର ଫୋନ କରି କଥା ହୋଇଥିଲେ । ଆଉ କୁହାଯାଉଛି ନିରଞ୍ଜନ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରୁ ଅବସର ନେଇଥିବା ଜଣେ ପ୍ରଭାବଶାଳୀ ଅଫିସର । ତେଣୁ ଏବେ ପ୍ରଶ୍ନ ଉଠୁଛି,
– ଶର୍ମିଷ୍ଠାଙ୍କ ସହ ନିରଞ୍ଜନ ସେଠୀଙ୍କ ସମ୍ପର୍କ କଣ ?
– ହତ୍ୟାକାଣ୍ଡ ପୂର୍ବରୁ ଆଉ ପରେ ଫୋନରେ କଣ କଥା ହୋଇଥିଲେ ?

ଶର୍ମିଷ୍ଠାଙ୍କ ବାବଦରେ ଯେତିକି ଅନୁସନ୍ଧାନ କରାଯାଉଛି, ସେତିକି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୂଚନା ଅନୁସାରେ, ଶର୍ମିଷ୍ଠାଙ୍କ ଗଣମାଧ୍ୟମ ସଂସ୍ଥା ପାଇଁ ଅହେତୁକ ଅନୁକମ୍ପା ଦେଖାଇବାକୁ ବିଧାୟକ, ମନ୍ତ୍ରୀ, ଅଫିସରଙ୍କ ସୁପାରିଶ ରହୁଥିଲା । ଏପରିକି ଏହି ସଂସ୍ଥା କିଭଳି ସରକାରୀ ବ୍ୟବସ୍ଥାରେ ଏମପ୍ୟାନେଲ ହୋଇପାରିବ ସେଥିପାଇଁ ଅନେକ ଉଦ୍ୟମ ହୋଇଥିଲା । ଯାହା ଦର୍ଶାଉଥିଲା, ଶର୍ମିଷ୍ଠାଙ୍କ ଚେର କିଭଳି ମାଡି ଚାଲିଥିଲା ।
– ଶର୍ମିଷ୍ଠାଙ୍କ ପାଇଁ କାହିଁକି ଓକିଲାତି କରୁଥିଲେ ପ୍ରଭାବଶାଳୀ ?
– ଅନୁକମ୍ପା ଦେଖାଇ କେଉଁ ଫାଇଦା ହାସଲ ପାଇଁ ଥିଲା ମସୁଧା ?

ଏହି ପୁରା ତଦନ୍ତର ପ୍ରକ୍ରିୟା ଭିତରେ, ଉକ୍ତ ଭିଡିଓ କ୍ଲିପ ଏବେ କେଉଁଠି, ତାହା ସନ୍ଦେହ ଘେରରେ ରହିଛି । ଯେଉଁଥିପାଇଁ ମାନସଙ୍କୁ ହତ୍ୟା କରାଗଲା । ସେହି ଭିଡିଓରେ କେଉଁ ପ୍ରଭାବଶାଳୀଙ୍କ ଚେହେରା ରହିଛି, ଯେଉଁଥିପାଇଁ ଶର୍ମିଷ୍ଠା ବ୍ୟତିବ୍ୟସ୍ତ ହୋଇ ହତ୍ୟା କରିବାର ବ୍ଲୁ-ପ୍ରିଣ୍ଟ ରଚିଥିଲେ ।