କାହିଁକି ମନ୍ତ୍ରୀଙ୍କୁ ଗୁଳି ମାରିଲା ଗୋପାଳ? କ୍ରାଇମବ୍ରାଞ୍ଚକୁ କ’ଣ କହିଲା ଅଭିଯୁକ୍ତ?

607

କନକ ବ୍ୟୁରୋ: କାହିଁକି ମନ୍ତ୍ରୀଙ୍କୁ ଗୁଳି ମାରିଲା ଗୋପାଳ? ଏହି ରହସ୍ୟ ଏବେ ବି ଭେଦିବାରେ ସକ୍ଷମ ହୋଇ ପାରିନି କ୍ରାଇମବ୍ରାଞ୍ଚ ଟିମ୍ । ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରିବା କଥା ଗୋପାଳ ସ୍ୱୀକାର କରିଥିଲେ ବି କାହିଁକି ମାରିଲେ ସେ କଥା ସ୍ପଷ୍ଟ କରୁନାହାଁନ୍ତି । କିନ୍ତୁ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ଆଗରେ ଗୋପାଳ ହତ୍ୟାକାଣ୍ଡର ଗୁମର ଖୋଲିଥିବା ସୂଚନା ମିଳିଛି ।

କ୍ରାଇମବ୍ରାଞ୍ଚର ତଦନ୍ତକୁ ଏକ ସପ୍ତାହ ପୂରିଗଲା ପରେ ବି ଏହି ଦୁଇଟି ପ୍ରଶ୍ନର ଉତ୍ତର ଜାଣିବାକୁ ଅପେକ୍ଷା କରିଛି ସାରାରାଜ୍ୟ । ଗୁଳି ମାରିଥିବା ନେଇ ଅଭିଯୁକ୍ତ ଗୋପାଳ ଦାସ ସ୍ୱୀକାର କରିଥିବା କହିଥିଲା କ୍ରାଇମ୍ରବ୍ରାଞ୍ଚ, କିନ୍ତୁ କାହିଁକି ଗୁଳି ମାରିଲା, ଏ ନେଇ କିଛି ସ୍ପଷ୍ଟ କରିନାହିଁ ତଦନ୍ତକାରୀ ଟିମ୍ । କିନ୍ତୁ କୁହାଯାଉଛି, ଜେରା ବେଳେ କ୍ରାଇମବ୍ରାଞ୍ଚଙ୍କୁ ଅନେକ କଥା କହିଛି ଗୋପାଳ । ସେ କୁଆଡ଼େ କହିଛି…

  • ରାଜ୍ୟ ସରକାରଙ୍କୁ କିଛି ନେତା ବଦନାମ କରୁଛନ୍ତି
  • ଲୋକଙ୍କ ଦୁଃଖ ବୁଝିବା ବଦଳରେ ସେମାନଙ୍କ ଦୁଃଖର କାରଣ ପାଲଟିଛନ୍ତି
  • ଲୋକଙ୍କୁ ଆତଙ୍କିତ କରିବା ସହ ନେତା ଦେଉଛନ୍ତି ନିର୍ଯାତନା

ସେହି ନେତାମାନଙ୍କ ମଧ୍ୟରେ ନବ ଦାସ ଥିଲେ ବୋଲି କ୍ରାଇମବ୍ରାଞ୍ଚକୁ ଜେରା ବେଳେ ଗୋପାଳ କହିଥିବା ଚର୍ଚ୍ଚା ହେଉଛି । ତା’ ପକେଟରେ ଯେଉଁ କାଗଜ ରହିଥିଲା, ସେଥିରେ ସେ ଏସବୁ କଥା ଲେଖିଥିଲା ବୋଲି କୁହାଯାଉଛି । ଏପରିକି ଶୁଣିବାକୁ ମିଳୁଛି, ନବ ଦାସଙ୍କୁ ହତ୍ୟା କରିବା ପାଇଁ ଗତ ୪ ମାସ ହେଲା ସୁଯୋଗ ଅପେକ୍ଷାରେ ଥିଲା ଅଭିଯୁକ୍ତ । କିନ୍ତୁ ଏ ନେଇ କିଛି ବି କହୁନାହିଁ କ୍ରାଇମବ୍ରାଞ୍ଚ

ସେପଟେ ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ତନତନ କରି ଯାଞ୍ଚ କରାଯାଉଛି । ମନ୍ତ୍ରୀଙ୍କ ମୃତ୍ୟୁ ରହସ୍ୟ ଖୋଜିବାକୁ ଗୋପାଳଙ୍କୁ ପଚରାଉଚରା ଜାରି ରଖିଛି କ୍ରାଇମ୍ବ୍ରାଞ୍ଚ । ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଜାଣିବା ପାଇଁ ତଦନ୍ତ ପରିସରକୁ ଆହୁରି ବ୍ୟାପକ କରାଯାଇଛି । ଏସସିବିର ୫ ଜଣ ବିଶେଷଜ୍ଞ ଝାରସୁଗୁଡ଼ାରେ ପହଁଚି ଅଭିଯୁକ୍ତ ଗୋପାଳର ମାନସିକ ଅବସ୍ଥାର ପରୀକ୍ଷା କରୁଛନ୍ତି ।

ବିଶେଷଜ୍ଞ ଦଳ ଗୋପାଳର ପୂର୍ବ ପ୍ରେସକ୍ରିପସନକୁ ମଧ୍ୟ ଯାଞ୍ଚ କରିଛନ୍ତି । ଗୋପାଳର ମାନସିକ ସ୍ଥିତି ପରୀକ୍ଷା କରିବା ସମୟରେ ଭିଡିଓ ରେକର୍ଡିଂ ମଧ୍ୟ କରାଯାଇଛି । ଏହି ଭିଡିଓ ରେକର୍ଡିଂକୁ ବିଶେଷଜ୍ଞଙ୍କ ଦ୍ୱାରା ତର୍ଜମା କରାଯିବ । ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରାଯାଇ ମେଡିକାଲ ବୋର୍ଡର ରିପୋର୍ଟ ପରେ ହିଁ ସିନ୍ ରିକ୍ରିଏସନ୍ କରାଯିବା ସମ୍ଭାବନା ରହିଛି । ଏପଟେ ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ତେବେ ମର୍ଡର ମିଷ୍ଟ୍ରି ନ ଖୋଲିବା ପର୍ଯ୍ୟନ୍ତ ଲୋକଙ୍କ ସନ୍ଦେହ ବଢ଼ିବା ସହ ଏହା ରାଜ୍ୟ ରାଜନୀତିର କେନ୍ଦ୍ର ବିନ୍ଦୁ ପାଲଟିବ ।