ବଡମ୍ବା ରେଞ୍ଜର ହାତୀ ହତ୍ୟା ଅଭିଯୁକ୍ତକୁ ପିଟିପିଟି ମାରି ଦେଇଥିବା ଅଭିଯୋଗ । ପ୍ରତିବାଦରେ ରାସ୍ତାରୋକ , ଭଙ୍ଗାରୁଜା । ରେଞ୍ଜରଙ୍କ ସମେତ ୧୩ଜଣ ଅଟକ

104

କନକ ବ୍ୟୁରୋ: ମୃତକଙ୍କ ଶବକୁ ରାସ୍ତା ଉପରେ ରଖି ପ୍ରତିବାଦ କରିଛନ୍ତି ମୃତକଙ୍କ ପରିବାର ଓ ଗ୍ରାମବାସୀ । ଆଠଗଡ ବାରସିଂ ଛକର ବଡମ୍ବାରେ ହାତୀ ଶିକାର କରିବା ଅଭିଯୋଗରେ ଉଠାଇ ନେଇଥିବା ବ୍ୟକ୍ତିଙ୍କୁ ମାରି ଦେଇଥିବା କହିବା ସହ ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି ।

କେବଳ ରାସ୍ତା ଉପରେ ପ୍ରତିବାଦ କରିନାହାନ୍ତି, ବଡମ୍ବା ବାଣପୁର ବିଟ ହାଉସ ଭିତରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ଅଭିଯୋଗ କରି କହିଛନ୍ତି, ହାତୀକୁ ମାରିବା ଅଭିଯୋଗରେ ବଡମ୍ବା ଥାନା ଅନ୍ତର୍ଗତ ସାତଗୋଛିଆ ଗାଁର ଧନେଶ୍ୱର ବେହେରାଙ୍କୁ ରବିବାର ଉଠାଇ ନେଇଥିଲେ ବନବିଭାଗ କର୍ମଚାରୀ । କିନ୍ତୁ ସୋମବାର ସକାଳୁ ଆସିଥିଲା ଧନେଶ୍ୱରଙ୍କ ମୃତ ଖବର । ବନ ବିଭାଗ ହେପାଜତରେ ଥିବା ଧନେଶ୍ୱରଙ୍କ ମୃତ୍ୟୁ ଖବର ଆସିବା ପରେ ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନା ଅନୁସାରେ ଗତ ୩୦ ତାରିଖରେ ବଡମ୍ବା ରେଞ୍ଜର ମାଣିଆବନ୍ଧ ବିଟ ହିନ୍ଦୋଳନ ବଡରର ହିପିଣ୍ଡା ସଂରକ୍ଷିତ ଜଙ୍ଗଲରୁ ଏକ ଦନ୍ତା ହାତୀର ଗଳିତ ଶବ ଉଦ୍ଧାର ହୋଇଥିଲା । ଏହି ଘଟଣାରେ ବନ ବିଭାଗ କର୍ମଚାରୀ ଧନେଶ୍ୱରଙ୍କୁ ଗତକାଲି ଉଠାଇ ନେଇ ନିଜ ହେପାଜତରେ ରଖିଥିଲା । ହେଲେ, ତାଙ୍କର ଅଚାନକ ମୃତ୍ୟୁ ହୋଇଯାଇଛି । ଅଭିଯୋଗ ହେବା ପରେ, ଆଠଗଡ ପୋଲିସ ୨ଜଣ ଏସିଏଫ, ବଡମ୍ବା ରେଞ୍ଜରଙ୍କ ସମେତ ୧୦ଜଣ ବନ କର୍ମଚାରୀଙ୍କୁ ଅଟକ ରଖିଛି । ତେବେ ଏ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି, ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ । ଯଦି ଥାର୍ଡ ଡିଗ୍ରୀ ଦିଆଯାଇଥିବା ପ୍ରମାଣ ମିଳିବ, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ତେବେ ସହାୟତା ପ୍ରତିଶ୍ରୁତି ମିଳିବା ପରେ ଦିଆଯାଇଥିବା ଧାରଣା ହଟିଛି । ମୃତକଙ୍କ ପରିବାରକୁ ଚାକିରି ସହ ୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧରୁ ହଟିଛନ୍ତି ଆନ୍ଦୋଳନକାରୀ ।ପୂର୍ବରୁ ଏହି ରେଞ୍ଜରେ ବହୁ ହାତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଯାହାକୁ ନେଇ ବନବିଭାଗ କର୍ମଚାରୀ ନିଲମ୍ବନ ହେବା ସହ ଗିରଫ ବି ହୋଇଛନ୍ତି । ହେଲେ, ହାତୀ ଶିକାର ବନ୍ଦ ହୋଇନାହିଁ ।