ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ । ସାବିତ୍ରୀଙ୍କୁ ଟିକେଟ୍ ମିଳିବା ପରେ ଛାଡିଲେ ଦଳ । ଲେଖିଲେ ଲମ୍ବା ଇସ୍ତଫା ପତ୍ର…

1,887

କନକ ବ୍ୟୁରୋ: ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ । ଖଣ୍ଡପଡା ଆସନରୁ ଟିକେଟ ଆଶାୟୀ ଥିବା ଅନୁଭବ ପଟ୍ଟନାୟକ, ଟିକେଟ୍ ପାଇବାରୁ ବଞ୍ଚିତ ହେବା ପରେ ଦଳରୁ ଇସ୍ତଫା ଦେଇଛନ୍ତି । ଦଳର ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଅନୁଭବ ପଟ୍ଟନାୟକ ।

ନିଜ ଇସ୍ତଫା ପତ୍ରରେ ସେ ଲେଖିଛନ୍ତି, ଦୀର୍ଘ ୪୦ ବର୍ଷ ହେଲା ତାଙ୍କ ପରିବାର ଖଣ୍ଡପଡାରେ ଦଳର ସଙ୍ଗଠନକୁ ସୁଦୃଢ କରିବାକୁ ଚେଷ୍ଟିତ ରହିଚନ୍ତି । ପ୍ରତି ନିର୍ବାଚନରେ ମଧ୍ୟ ସେ ଦଳକୁ ଜିତାଇବାକୁ କାମ କରିଛନ୍ତି । ହେଲେ ଏହାସତ୍ତ୍ୱେ ମଧ୍ୟ ୨୦୧୯ରେ ତାଙ୍କୁ ଟିକେଟ୍ ଦିଆଯାଇନଥିଲା । ହେଲେ ତା ପରେ ବି ସେ ଦଳ ପାଇ ନିଜର କର୍ତ୍ତବ୍ୟ ପାଳନ କରିଆସୁଥିଲେ । ଖାଲି ସେତିକି ନୁହେଁ, ୨୦୨୪ରେ ମଧ୍ୟ ତାଙ୍କ ପ୍ରତି ପୁଣିଥରେ ଅନ୍ୟାୟ କରାଯାଇଛି । ଖଣ୍ଡପଡାରୁ ଦଳୀୟ ପ୍ରାର୍ଥୀ ଭାବେ ଲଢିବାରୁ ତାଙ୍କୁ ବଞ୍ଚିତ କରାଯାଇଛି ।

ଏଥିସହିତ ଗମ୍ଭୀର ଅଭିଯୋଗ ଆଣି ଅନୁଭବ କହିଛନ୍ତି, ବିଜୁ ଜନତା ଦଳର ଶୀର୍ଷ ନେତୃତ୍ୱ ସଦାସର୍ବଦା ତାଙ୍କୁ ଅସ୍ତ୍ର କରି ନିଜର ସ୍ୱାର୍ଥ ସାଧନ କରିଛନ୍ତି । ବର୍ଷ ବର୍ଷ ଧରି ଦଳରେ ରହିଲା ପରେ ବି, ଦଳ ଏକପ୍ରକାର ପକ୍ଷପାତିତା କରିଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଖଣ୍ଡପଡା ଆସନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ଏହି ଘୋଷଣାରେ ଖଣ୍ଡପଡା ଆସନରୁ ବିଜେଡି ପ୍ରାର୍ଥୀ ହେଇଛନ୍ତି ସାବିତ୍ରୀ ପ୍ରଧାନ । ତେଣୁ ସାବିତ୍ରୀଙ୍କୁ ଦଳ ପ୍ରାର୍ଥୀ କରିବା ପରେ ଅନୁଭବ ଦଳରୁ ଇସ୍ତଫା ଦେଇଛନ୍ତି ।