କାହିଁକି କଂଗ୍ରେସ ଛାଡୁଛନ୍ତି ନେତା? କାରଣ କହିଲେ କଂଗ୍ରେସ ସାଧାରଣ ସମ୍ପାଦକ । ୧୦ ବର୍ଷରେ ହାତ ଛାଡିଲେଣି ୫୦ରୁ ଅଧିକ ହେଭିୱେଟ ଚେହେରା

601

କନକ ବ୍ୟୁରୋ: ନିର୍ବାଚନ ପାଖଉଛି, ଦଳ ଡିଆଁ ପର୍ବ ବଢ଼ିବାରେ ଲାଗିଛି । ରାତାରାତି ନେତାଙ୍କ ଦଳ ବଦଳ ସମସ୍ତଙ୍କୁ କରୁଛି ଆଶ୍ଚର୍ଯ୍ୟ । ତେବେ କଂଗ୍ରେସ ଭଳି ପୁରୁଣା ଦଳର ନେତା ଅଧିକାଂଶ ଅନ୍ୟ ଦଳକୁ ଡେଇଁବା ଚିନ୍ତାର ବିଷୟ ପାଲଟିଛି । ହାତ ପାର୍ଟିର ସ୍ଥିତିକୁ ଦେଖିଲେ ଲାଗୁଛି ଆରମ୍ଭ ହୋଇଛି ‘କଂଗ୍ରେସ ଛାଡ’ ଅଭିଯାନ । ଏହାକୁ ନେଇ ସୋମବାର କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ବଡ ବୟାନ ଦେଇଛନ୍ତି ।

ବେଣୁଗୋପାଳ କହିଛନ୍ତି ବିଜେପିର ଇସାରାରେ ଚାଲିଛନ୍ତି ଦେଶର ସମସ୍ତ ତଦନ୍ତକାରୀ ସଂସ୍ଥା । ନିର୍ଦ୍ଦେଶ ମିଳିବା ମାତ୍ରକେ କଂଗ୍ରେସ ସମେତ ସମସ୍ତ ବିରୋଧୀ ନେତା, ମନ୍ତ୍ରୀ ଘରେ ଚଢ଼ାଉ ହେଉଛି । ଜେରା ପାଇଁ ନୋଟିସ ମିଳୁଛି । କେହି କିଛି ବୁଝିବା ଆଗରୁ ଗିରଫ ମଧ୍ୟ କରାଯାଉଛି । ତେଣୁ ବିରୋଧୀ ଶିବିରରେ ଏକ ଭୟର ବାତାବରଣ ରହିଛି । କହିବାକୁ ଗଲେ ପରିସ୍ଥିତି ଆଗରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଉଛନ୍ତି ।

  • ୧୦ ବର୍ଷରେ ଛାଡିଲେଣି ୫୦ରୁ ଅଧିକ ନେତା
  • ନେତୃତ୍ୱକୁ ଦାୟୀ କରି ଦଳ ଛାଡୁଛନ୍ତି ନେତା!

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଅନେକ ହେଭିୱେଟ ନେତା ଦଳ ଛାଡି ବିଜେପି ଶିବିରରେ ପହଞ୍ଚୁଛନ୍ତି । ଗୌରବ ବଲ୍ଲଭଙ୍କଠାରୁ ଆରମ୍ଭ କରି ମିଳିନ୍ଦ ଦେଓରାଙ୍କ ସମେତ ୧୦ବର୍ଷ ମଧ୍ୟରେ ୧୨ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ୫୦ରୁ ଅଧିକ ହାଇପ୍ରୋଫାଇଲ ନେତା ଦଳ ଛାଡିଛନ୍ତି । ଗତ ନିର୍ବାଚନରୁ ଏବେ ସୁଦ୍ଧା କଂଗ୍ରେସ ହାତ ଛାଡିଥିବା ଚେହେରାଙ୍କ ମଧ୍ୟରେ ୧୦ ବଡ ଚେହେରା ରହିଛନ୍ତି ।

ହରିଆଣାର ନବୀନ ଜିନ୍ଦଲ, ମହାରାଷ୍ଟ୍ରର ଚର୍ଚ୍ଚିତ ଚେହେରା ମିଳିନ୍ଦ ଦେଓରା ୨୦୨୪ ଜାନୁଆରୀ ୧୪ରେ କଂଗ୍ରେସ ଛାଡିଥିଲେ । ୨୦୨୨ରେ ପଟିଦାର ଯୁବନେତା ହାର୍ଦ୍ଦିକ ପଟେଲ ଅସନ୍ତୋଷ ବ୍ୟକ୍ତ କରି ହାତ ଛାଡିଥିଲେ । ୨୦୨୨ ଫେବ୍ରୁଆରୀରେ ତୁଙ୍ଗ ନେତା ଅଶ୍ୱିନୀ କୁମାର କଂଗ୍ରେସ ଯାତ୍ରା ଶେଷ କରିଥିଲେ । ସମାନ ବର୍ଷରେ ଦଳର ଅନ୍ୟତମ ହାଇଫ୍ରୋଫାଇଲ ଚେହେରା କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ଅନ୍ୟତମ ବଡ ଚେହେରା ଆରପିଏନ ସିଂ ୨୦୨୨ରେ ଦଳ ଛାଡିଥିଲେ । ବର୍ତମାନର କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନାଟକୀୟ ଢଙ୍ଗରେ କଂଗ୍ରେସ ଛାଡି ୨୦୨୦ରେ ବିଜେପିରେ ମିଶିଥିଲେ । ସେହିପରି ୨୦୨୧ରେ ଜିତିନ ପ୍ରସାଦ, ୨୦୧୯ରେ ଅଳ୍ପେଶ ଠାକୁର, ୨୦୧୩େରେ ଏକେ ଆନ୍ଥୋନୀଙ୍କ ପୁଅ ଅନିଲ ଆନ୍ଥୋନୀ କଂଗ୍ରେସ ଛାଡି ବିଜେପି ଶିବିରରେ ଯୋଗ ଦେଇଥିଲେ ।

  • ଖାଲି ହେଉଛି କଂଗ୍ରେସ ଶିବିିର
  • ଚିନ୍ତାରେ ଦଳ, ଆଗକୁ କ’ଣ ରହିବ ଆଭିମୁଖ୍ୟ?

କିଏ ଦଳୀୟ ନେତୃତ୍ୱକୁ କାରଣ କହି କଂଗ୍ରେସ ଛାଡୁଛନ୍ତି ତ ପୁଣି କିଏ ହାଇକମାଣ୍ଡଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ତେବେ କାରଣ ଯାହାବି ହେଉନା କାହିଁକି ୨୦୨୪ରେ ଟିମ ଏନଡିଏକୁ ମାତ ଦେବାକୁ ଟିମ ଇଣ୍ଡି ସହ ହାତ ମିଳାଇଛି କଂଗ୍ରେସ । ଏହା ଭିତରେ ପ୍ରଶ୍ନ ଉଠୁଛି ଆଗାମୀ ଲଢ଼େଇ ପାଇଁ କଂଗ୍ରେସକୁ କେବଳ ଇଣ୍ଡି ମେଣ୍ଟ ସାହାର ହେବ ନା ନିଜ ଦଳରୁ ପାଇବ ଶକ୍ତି ।