ଭାରତ ନିର୍ବାଚନ ଉପରେ ଚୀନର ନଜର । ‘ଏଆଇ’କୁ ଅସ୍ତ୍ର କରି ପ୍ରଭାବିତ କରିବାକୁ ଷଡ଼ଯନ୍ତ୍ର । ମାକ୍ରୋସଫ୍ଟ ରିପୋର୍ଟରେ ସାଂଘାତିକ୍ ତଥ୍ୟ

92

କନକ ବ୍ୟୁରୋ: ଭାରତର ଲୋକସଭା ନିର୍ବାଚନରେ ବାଧା ସୃଷ୍ଟି କରିବାକୁ ଚକ୍ରାନ୍ତ ଚଳାଇଛି ଚୀନ । ନିର୍ବାଚନ ପ୍ରଭାବିତ କରିବାକୁ ବଡ ଷଡଯନ୍ତ୍ର କରିଛି ପଡୋଶୀ ରାଷ୍ଟ୍ର । କୃତ୍ରିମ ବୁଦ୍ଧିମତା ବା ଏଆଇ ଦ୍ୱାରା ବିଭିନ୍ନ ବିଷୟବସ୍ତୁ ତିଆରି କରି ନିର୍ବାଚନକୁ ପ୍ରଭାବିତ କରିବାକୁ ଯୋଜନା କରିଛି ବେଜିଂ ।

ଏକାଧିକ ହ୍ୟାକର ଏ ଦିଗରେ ଦିନ-ରାତି କାମ କରୁଛନ୍ତି । ଏଭଳି କିଛି ଚିନ୍ତାଜନକ ତଥ୍ୟ ଦେଇଛି ବିଲ୍ ଗେଟ୍ସଙ୍କ ସଂସ୍ଥା ମାଇକ୍ରୋସଫ୍ଟ । ଚୀନ, ଉତ୍ତର କୋରିଆ ସହାୟତାରେ ପ୍ରସ୍ତୁତ କରିଥିବା ଏକ ସାଇବର ଗ୍ରୁପ୍ ନିର୍ବାଚନରେ କାରସାଦି କରିବାକୁ ଚକ୍ରାନ୍ତ କରିଛି । ନିର୍ବାଚନ ଫଳାଫଳରେ ଏହାର ପ୍ରଭାବ କମ ପଡିବ ବୋଲି ଜାଣିଥିଲେ ମଧ୍ୟ ପରୀକ୍ଷା ନିରୀକ୍ଷା ଜାରି ରଖିଛି ଚୀନ ।

ଭାରତ ନିର୍ବାଚନ ଉପରେ ଚୀନର ନଜର

  • ୨୦୨୪ ଲୋକସଭା ନିର୍ବାଚନ ପ୍ରଭାବିତ କରିବାକୁ ଚୀନ କରୁଛି ଷଡ଼ଯନ୍ତ୍ର
  • ଉତ୍ତର କୋରିଆ ସହ ମିଶି ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ସଇତାନ ଚୀନ
  • ନିର୍ବାଚନରେ ବିଭ୍ରାଟ ସୃଷ୍ଟି କରିବାକୁ ଲାଗିଛନ୍ତି ଚୀନ, ଉତ୍ତର କୋରିଆର ସାଇବର ଗ୍ରୁପ୍
  • ନିଜର ସ୍ୱାର୍ଥ ସାଧନ ପାଇଁ ଚୀନ ଏଆଇ ଆଙ୍କର ଦ୍ୱାରା କଟେଂଟ୍ ପ୍ରସ୍ତୁତ କରୁଛି
  • ମିମ୍ସ, ଭିଡିଓ, ଅଡିଓ ପ୍ରସ୍ତୁତ କରି ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା ଚଳାଇଛି
  • ‘ଏଆଇ’ ଦ୍ୱାରା ବିଭିନ୍ନ ବିଷୟବସ୍ତୁ ପ୍ରସ୍ତୁତ କରି ଜନମତ ପ୍ରଭାବିତ କରିବାକୁ ରଖିଛି ଲକ୍ଷ୍ୟ
  • ସୋସିଆଲ ମିଡିଆ ଜରିଆରେ ‘ଏଆଇ’ ପ୍ରସ୍ତୁତ ବିଷୟବସ୍ତୁ ପଠାଇବାକୁ ଚକ୍ରାନ୍ତ
  • ୨୦୨୪ର ହାଇପ୍ରୋଫାଇଲ ନିର୍ବାଚନକୁ ଟାର୍ଗେଟ୍ କରିବାକୁ ଲକ୍ଷ୍ୟ ରଖିଛି ଚୀନ

ଭାରତ ସମେତ ଆମେରିକା ଓ ଦକ୍ଷିଣ କୋରିଆରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଭ୍ରାଟ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି ଚାଇନା । ଚୀନ ନିଜର ସ୍ୱାର୍ଥ ପୂରଣ ପାଇଁ ଏଭଳି ଚକ୍ରାନ୍ତ ଚଳାଇଛି । ମାଇକ୍ରୋସଫ୍ଟ ରିପୋର୍ଟ ଅନୁସାରେ, ତାଇୱାନରେ ରାଷ୍ଟ୍ରପତି ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଏଆଇର ବ୍ୟବହାର କରିଥିଲା ଚାଇନା ।

  • ବିଭିନ୍ନ ଦେଶର ସାଧାରଣ ନିର୍ବାଚନ ଉପରେ ଚାଇନାର ଆଖି
  • ଭାରତ, ଦକ୍ଷିଣ କୋରିଆ ଓ ଆମେରିକା ନିର୍ବାଚନକୁ ଟାର୍ଗେଟ

ଚୀନର ଆଖି କେବଳ ଭାରତର ସାଧାରଣ ନିର୍ବାଚନ ଉପରେ ନାହିଁ ବରଂ ପ୍ରାୟ ସବୁ ବଡ ବଡ ପ୍ରଭାବଶାଳୀ ରାଷ୍ଟ୍ରର ସାଧାରଣ ନିର୍ବାଚନ ଉପରେ ରହିଛି । ଏଆଇ ମାଧ୍ୟମରେ ବିଭିନ୍ନ ରାଷ୍ଟ୍ରର ନିର୍ବାଚନକୁ ପ୍ରଭାବିତ କରିବାକୁ ଚାଇନା ଚକ୍ରାନ୍ତ ଚଳାଇଛି । ମାଇକ୍ରୋସଫ୍ଟର ବିପଦ ସଙ୍କେତ ଜାରି କରୁଥିବା ଗୁପ୍ତଚର ଟିମର ସୂଚନା ଅନୁସାରେ ଉତ୍ତର କୋରିଆ ସହାୟତାରେ ଚାଇନା ସମର୍ଥିତ ସାଇବର ଗ୍ରୁପଗୁଡିକ ୨୦୨୪ରେ ହେବାକୁ ଥିବା ବିଭିନ୍ନ ନିର୍ବାଚନକୁ ଟାର୍ଗେଟ କରିପାରନ୍ତି । ଏଆଇ ପ୍ରସ୍ତୁତ କଣ୍ଟେଣ୍ଟ ଦ୍ୱାରା ଏଭଳି କରିବାକୁ ପ୍ରୟାସ କରାଯାଉଛି ।

‘ଏଆଇ’କୁ ଅସ୍ତ୍ର କରିଛି ସଇତାନ ଚୀନ!

  • ବିଭିନ୍ନ ରାଷ୍ଟ୍ରର ନିର୍ବାଚନ ଉପରେ ଚୀନର ନଜର
  • ଚଳିତ ବର୍ଷ ୟୁରୋପୀୟ ୟୁନିୟନ୍ ସମେତ ବିଶ୍ୱର ପ୍ରାୟ ୬୪ଟି ଦେଶରେ ସାଧାରଣ ନିର୍ବାଚନ ହେବ
  • ଏହି ଦେଶଗୁଡ଼ିକ ସାମୂହିକ ଭାବେ ବିଶ୍ୱ ଜନସଂଖ୍ୟାର ୪୯%
  • ବଡ଼ ବଡ଼ ଦେଶର ସାଧାରଣ ନିର୍ବାଚନ ଫଳାଫଳ ନିଜ ଅନୁସାରେ ପ୍ରସ୍ତୁତ କରିବାକୁ ‘ଏଆଇ’କୁ ଅସ୍ତ୍ର କରିପାରେ ଚୀନ
  • ଲୋକଙ୍କୁ ପ୍ରାର୍ଥୀଙ୍କ ସମ୍ପର୍କରେ ବିଭ୍ରାନ୍ତୀକର ତଥ୍ୟ ଦେବାକୁ ପ୍ରମୁଖ ଭୂମିକା ଗ୍ରହଣ କରିପାରେ

ଜଣାପଡିଛି ଏଆଇ ଦ୍ୱାରା ନକଲି ରାଜନୀତିକ ବିଜ୍ଞାପନ ପ୍ରସ୍ତୁତ କରୁଛନ୍ତି ଚାଇନା ସମର୍ଥିତ ସାଇବର ଗ୍ରୁପ୍ । ମିଥ୍ୟା ବିଷୟବସ୍ତୁ ଓ ଡିଫେକ୍ ଦ୍ୱାରା ସୋସିଆଲ ମିଡିଆରେ ବିଭିନ୍ନ ଭିଡିଓକୁ ପ୍ରଚାର କରିବାକୁ ଷଡଯନ୍ତ୍ର ପ୍ରସ୍ତୁତ ହୋଇଛି । ନିର୍ବାଚନ ବର୍ଷରେ ଏଭଳି କାମ ନିଶ୍ଚିତ ଭାବେ ଭୋଟରଙ୍କୁ ପ୍ରଭାବିତ କରିବ ଏଥିରେ ସନ୍ଦେହ ନାହିଁ । ମାଇକ୍ରୋସଫ୍ଟ ରପୋର୍ଟରେ କୁହାଯାଇଛି ଯେ, ତାଇୱାନର ନିର୍ବାଚନ ସମୟରେ ଚାଇନାର ଗୋଟିଏ ସାଇବର ଗ୍ରୁପ୍ ବେଶ ସକ୍ରିୟ ରହିଥିଲା । ଏଆଇକୁ ବ୍ୟବହାର କରି ଅନେକ ନକଲି ଭିଡିଓ ପ୍ରସ୍ତୁତ କରାଯାଇଥିଲା । କିଛି ପ୍ରାର୍ଥୀଙ୍କୁ ବଦନାମ କରିବା ପାଇଁ ଚକ୍ରାନ୍ତ କରିଥିଲା ଚୀନ । ଭୋଟରଣଙ୍କ ଚିନ୍ତାଧାରାକୁ ପ୍ରଭାବିତ କରିବା ଲକ୍ଷ୍ୟରେ ଏଭଳି କରିଥିଲା ଚୀନ । ସମାନ ସ୍ଥିତି ଭାରତର ଲୋକସଭା ନିର୍ବାଚନ ସମୟରେ କରିବାକୁ ଚାଇନା ମସୁଧା କରୁଥିବା ଆକଳନ କରିଛି ମାଇକ୍ରୋସଫ୍ଟ ।

ଗତମାସରେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ ଗେଟ୍ସ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂଆଦିଲ୍ଲୀରେ ଭେଟିଥିଲେ । ଏହି ସମୟରେ ଉଭୟଙ୍କ ଭିତରେ ସାମାଜିକ, ମହିଳା ବିକାଶ, ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରର ବିକାଶରେ ଏଆଇର ବ୍ୟବହାର ଉପରେ ଆଲୋଚନା ହୋଇଥିଲା । ଆଉ ଏହି ଆଲୋଚନା ପରେ ମାଇକ୍ରୋସଫ୍ଟ ପକ୍ଷରୁ ଏଭଳି ଚିନ୍ତାଜନକ ରିପୋର୍ଟ ସାମ୍ନାକୁ ଆସିଛି । ଚାଇନାର ଯୋଜନା ସମ୍ପର୍କରେ ଭାରତ ସରକାରଙ୍କୁ ସତର୍କ କରାଇଛି ଏହି କମ୍ପାନୀ ।