ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ତେଜୁଛି ବିବାଦ । ସ୍ପଷ୍ଟୀକରଣ ରଖିଲେ ଇସ୍କନର ଆଞ୍ଚଳିକ ସଂପାଦକ ।

419

କନକ ବ୍ୟୁରୋ: ଇସ୍କନ ଅଦିନିଆ ରଥଯାତ୍ରା ପାଳନ ନେଇ ପ୍ରଚାର ପ୍ରସାର କରିବା ପରେ ଏଥିପାଇଁ କିଏ ଅନୁମତି ଦେଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ଏହି ବିବାଦ ଭିତରେ ଇସ୍କନର ଆଞ୍ଚଳିକ ସମ୍ପାଦକ ସ୍ପଷ୍ଟିକରଣ ରଖି କହିଛନ୍ତି, ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଅନେକ ଥର ଗଜପତି ମହାରାଜ, ତକ୍ରାଳୀନ ଶ୍ରୀମନ୍ଦିର ପ୍ରଶାସକ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଚର୍ଚ୍ଚା ଆଲୋଚନା ହୋଇଛି ।

  • ଅଦିନିଆ ରଥଯାତ୍ରା ପଛରେ ରହିଛି କାହାର ଅନୁମତି?
  • ଅବେଳାରେ ରଥଯାତ୍ରା କରିବାକୁ କିଏ ଦେଇଥିଲେ ସ୍ୱୀକୃତି?

ଗ୍ୱାଲିୟର ଇସ୍କନ୍ ପକ୍ଷରୁ ଅଦିନିଆ ରଥଯାତ୍ରାର ତାରିଖ ସାମ୍ନାକୁ ଆସିବା ପରେ ଏଭଳି କିଛି ପ୍ରଶ୍ନ ଏବେ ସର୍ବସାଧାରଣରେ ଉଠୁଛି । ଆଉ ଏହି ବିବାଦ ଭିତରେ ଇସ୍କନର ଆଞ୍ଚଳିକ ସମ୍ପାଦକ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି । ଡକ୍ଟର ବନମାଳୀ ଦାଶ କହିଛନ୍ତି- ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଏକାଧିକ ଥର ଗଜପତି ମହାରାଜ, ତକ୍ରାଳୀନ ଶ୍ରୀମନ୍ଦିର ପ୍ରଶାସକ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଚର୍ଚ୍ଚା ଆଲୋଚନା ହୋଇଛି । ଏଥିରେ ଗୁଣ୍ଡିଚା ଯାତ୍ରାରୁ ବାହୁଡ଼ା ଯାତ୍ରା ଭିତରେ ରଥଯାତ୍ରା କରିବା ପାଇଁ ଗଜପତି ମହାରାଜ ଇସ୍କନ୍ କର୍ତୃପକ୍ଷଙ୍କୁ କହିଥିଲେ । ଗ୍ୱାଲିୟରରେ ଯେଉଁ ରଥଯାତ୍ରା ହେଉଛି ଏହି ସମୟ ଭିତରେ ହେଉଛି । ଏମିତି କି ବର୍ତ୍ତମାନ ୭୦ରୁ ୮୦% ଇସ୍କନ୍ ରଥଯାତ୍ରା, ପୁରୀ ରଥଯାତ୍ରା ସମୟରେ ହେଉଛି ବୋଲି ସ୍ପଷ୍ଟୀକରଣ ରଖିଛନ୍ତି ଇସ୍କନ ଆଞ୍ଚଳିକ ସମ୍ପାଦକ । ତେବେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସେଭଳି କିଛି ନିଷ୍ପତି ହୋଇନଥିବା କହିଛନ୍ତି ।

ଇସ୍କନ୍ କର୍ତୃପକ୍ଷଙ୍କ ସ୍ପଷ୍ଟୀକରଣରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅସହମତି ପ୍ରକାଶ କରିବା ପରେ ଡକ୍ଟର ବନମାଳୀ ଦାଶ ଆହୁରି କହିଛନ୍ତି- ରଥଯାତ୍ରା ସମୟ ବାହାରେ ରଥଯାତ୍ରା ବଦଳରେ ଶୋଭାଯାତ୍ରା କରିପାରିବେ ବୋଲି ଗଜପତି ମହାରାଜ କହିଥିଲେ । ତେବେ ଶୋଭଯାତ୍ରା ସମୟରେ ବିଗ୍ରହଙ୍କ ମୁର୍ତ୍ତିଙ୍କୁ ନିଆଯିବ ନାହିଁ ବୋଲି ସ୍ପଷ୍ଟୀକରଣ ରଖିଛନ୍ତି ଇସ୍କନ୍ ଆଞ୍ଚଳିକ ସମ୍ପାଦକ । ତେବେ ତାଙ୍କ ପାଖରେ କୌଣସି ଲିଖିତ୍ ତଥ୍ୟ ରହିଛି କି ବୋଲି ପ୍ରଶ୍ନ କରାଯିବାରୁ ସେ ସମ୍ପର୍କରେ ସନ୍ତୋଷଜନକ ଉତର ରଖିପାରିନାହାଁନ୍ତି ।

ଅଦିନିଆ ରଥଯାତ୍ର ବିବାଦ ପୁଣି ଥରେ ମୁଣ୍ଡ ଟେକି ଥିଲା ଯେତେବେଳେ ମଧ୍ୟପ୍ରଦେଶ ଗ୍ୱାଲିୟର୍ ଇସ୍କନ୍ ପକ୍ଷରୁ ଆସନ୍ତା ୨୪ତାରିଖରେ ରଥଯାତ୍ରା ଆୟୋଜନ ନେଇ ପୋଷ୍ଟର ସୋସିଆଲ୍ ମିଡିଆରେ ସାମ୍ନାକୁ ଆସିଥିଲା ।