ବଲାଙ୍ଗୀରରେ କିଏ କରିବ ବାଜିମାତ? ବିଜେଡି, ବିଜେପି ନା କଂଗ୍ରେସ ? ଦଖଲ ପାଇଁ ତିନି ଦଳର କସରତ

113

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନରେ ବିଜେଡି ବାଜିମାତ କରିବା ପରେ ବଲାଙ୍ଗୀର ପୌର ପରିଷଦ ଦଖଲ କରିବା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ସବୁ ବଳ ଲଗାଇ ଦେଇଛନ୍ତି । ପୂର୍ବରୁ ତିନି ତିନି ଥର ବଲାଙ୍ଗୀର ପୌର ପରିଷଦ ବିଜେଡି ଦଖଲରେ ଥିବାରୁ ଏଥର ବି କ୍ଷମତା ବଜାୟ ରଖିବା ଲକ୍ଷ୍ୟରେ ରହିଛି । ବଲାଙ୍ଗୀର ସହରରେ ନିଜର ଦବଦବା ରଖିଥିବା ବରିଷ୍ଠ ବିଜେଡି ନେତା ଅନଙ୍ଗ ଉଦୟ ସିଂଦେଓ ଓ ତାଙ୍କ ଦୁଇ ପୁଅ କଳିକେଶ ସିଂଦେଓ ଓ ଅର୍କେଶ ସିଂଦେଓ ମଇଦାନକୁ ଓହ୍ଲାଇଛନ୍ତି । ଘରକୁ ଘର ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି ।

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଲାଙ୍ଗୀରରେ, କଂଗ୍ରେସ ପ୍ରାର୍ଥୀମାନେ ପରାଜିତ ହେବା ପରେ , ସହରାଞ୍ଚଳ ଯେମିତି ହାତ ଛଡା ନହେବ , ସେଥିପାଇଁ ଲାଗି ପଡିଛନ୍ତି ବିଧାୟକ ନରସିଂହ ମିଶ୍ର ଓ ତାଙ୍କ ପୁଅ ସମରେନ୍ଦ୍ର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଘର ଘର ବୁଲି ଭୋଟ ମାଗୁଛନ୍ତି ।

ପୌର ପରିଷଦ ଦଖଲ ପାଇଁ ବିଜେପି ମଧ୍ୟ ବଳ ଲଗାଇ ଦେଇଛି । ବଲାଙ୍ଗୀର ସାଂସଦ ସଂଗୀତା ସିଂଦେଓ , କନକ ବର୍ଦ୍ଧନ ସିଂଦେଓ ଓ ଝିଅ ନିବୃତି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଘର ଘର ବୁଲି ଭୋଟ ମାଗିଛନ୍ତି । ତେବେ ୨୧ଟି ୱାର୍ଡ ବିଶିଷ୍ଟ ବଲାଙ୍ଗୀର ପୌର ପରିଷଦକୁ ତିନି ତିନି ଥର ବିଜେଡି ନିଜ ଦଖଲରେ ରଖିଥିଲା । କିନ୍ତୁ ଏଥର ବଲାଙ୍ଗୀର ବାସୀ କାହା ଉପରେ ଭରସା କରୁଛନ୍ତି ତାହା ୨୬ ତାରିଖରେ ସ୍ପଷ୍ଟ ହେବ ।