ସହରଠୁ ଦୂର ନୁହେଁ, ବିକାଶଠୁ ଦୂରରେ ପଡାବାସୀ । ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଜୟପାଟଣା କୁସୁମଖୁଣ୍ଟି ବାସିନ୍ଦା

22

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଜୟପାଟଣା ବ୍ଳକ ଚିର୍କା ଗାଁର କୁସୁମଖୁଣ୍ଟି ପଡା । ବ୍ଲକ ଠାରୁ ମାତ୍ର ୪ କିଲୋମିଟ ଦୁରରେ ଜୟପାଟଣା ପଞ୍ଚାୟତ ୧୩ ନମ୍ବର ୱାର୍ଡର ଏହି ପଡାରେ ୩୦ ବର୍ଷ ହେଲା ବସବାସ କରୁଛନ୍ତି ୩୦ ପରିବାର । ରାସ୍ତା, ପାନୀୟ ଜଳ, ଶିକ୍ଷା ଭଳି ଅନେକ ମୌଳିକ ସୁବିଧା ପହଞ୍ଚି ନଥିବା ଅଭିଯୋଗ ହୋଇଛି । ଗୋଟିଏ ନଳକୂପ ରହିଥିବା ବେଳେ ଗ୍ରୀଷ୍ମ ଋତୁରେ ସେଥରୁ ଆବଶ୍ୟକ ପରିମାଣରେ ପାଣି ବାହରୁନାହିଁ, ସେପଟେ ଗାଁରେ ଥିବା ପୋଖରୀର ଅବସ୍ଥା ନକହିବା ଭଲ ।

କୁସୁମଖୁଣ୍ଟି ଚିର୍କା ଗାଁ ଠାରୁ ଦୁଇକିମି ଦୂରରେ ରହିଛି କୁସୁମଖୁଂଟି ପଡା । ଏହି ପଡାକୁ ମାଟି ରାସ୍ତା ଯାଇଥିବା ବେଳେ ବର୍ଷା ଦିନରେ କାଦୁଅରେ ହନ୍ତସନ୍ତ ହେବାକୁ ପଡିଥାଏ । ବର୍ଷା ଦିନେ ଆମ୍ବୁଲାନ୍ସ ଆସିପାରେ ନାହିଁ, ରୋଗୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ଯାଏଁ ନେବାକୁ ପଡିଥାଏ । ଏନେଇ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇନାହିଁ । ନିର୍ବାଚନ ବେଳେ ଅନେକ ରାଜନେତା ଭୋଟ ପାଇଁ ଆସନ୍ତି ଓ ପଡାର ସମସ୍ୟା ସମାଧାନର ପ୍ରତିଶ୍ରୁତି ଦିଅନ୍ତି । କିନ୍ତୁ ନିର୍ବାଚନ ସରିଗଲେ ସବୁ ପ୍ରତିଶ୍ରୁତି ଭୁଲି ଯାଆନ୍ତି ବୋଲି ପଡାବାସୀ ଅଭିଯୋଗ କରିଛନ୍ତି ।