୨୪’ ମହାଲଢ଼େଇ । ପଲିଟିକ୍ସ ପଡ଼ିଆରେ ବିରୋଧୀ ଫିଙ୍ଗୁଛନ୍ତି ବାଉନ୍ସର, ସାମ୍ନା କରି ସଟ୍ ପରେ ସଟ୍ ଖେଳୁଛନ୍ତି କାର୍ତ୍ତିକ ପାଣ୍ଡିଆନ୍ ।

285

କନକ ବ୍ୟୁରୋ: ନିର୍ବାଚନ ଆସିଲେ ପଲିଟିକ୍ସର ପଡ଼ିଆରେ ଶାସକ ବିରୋଧୀଙ୍କ ମଧ୍ୟରେ ସବୁବେଳେ ବଡ଼ ବ୍ୟାଟେଲ୍ ଦେଖିବାକୁ ମିଳିଥାଏ । ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ‘ସମାଲୋଚନାର ସଟ୍’ ଖେଳିଥାନ୍ତି ଉଭୟ ଶାସକ ଏବଂ ବିରୋଧୀ । କ୍ରିକେଟ୍ ପଡ଼ିଆରେ ପ୍ରତିପକ୍ଷକୁ ଜବାବ୍ ଦେବା ପାଇଁ ଟିମରେ ଯେମିତି ଜଣେ ଫ୍ରଣ୍ଟ ଫୁଟକୁ ଆସି ବ୍ୟାଟିଂ କରନ୍ତି ଠିକ୍ ସେମିତି ବିଜେଡିରେ ଏବେ ଫ୍ରଣ୍ଟ ଫୁଟକୁ ଆସି ବିରୋଧୀଙ୍କ ସବୁ ସମାଲୋଚନାର ବଲକୁ ସାମ୍ନା କରୁଛନ୍ତି ଭି.କେ ପାଣ୍ଡିଆନ୍ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କଠୁ ଆରମ୍ଭ କରି ଅଲଗା ରାଜ୍ୟର ମୁଖ୍ୟମନ୍ତ୍ରୀ, ଯିଏ ବି ନବୀନଙ୍କୁ ଟାର୍ଗେଟ କରି ପଲିଟିକ୍ସର ପଡ଼ିଆକୁ ବଲ୍ ଫିଙ୍ଗୁଛନ୍ତି ତା’କୁ ସାମ୍ନା କରି ସଟ୍ ପରେ ସଟ୍ ଖେଳୁଛନ୍ତି ବିଜେଡିର ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ୍ ।

ପ୍ରଧାନମନ୍ତ୍ରୀ ମୋଦି ‘ଓଡ଼ିଆ ଅସ୍ମିତା’କୁ ପ୍ରସଙ୍ଗ କରି ଯେବେ ବିଜେଡି କୋର୍ଟକୁ ବଲ୍ ଫିଙ୍ଗିଥିଲେ ସେତେବେଳେ ଆଗକୁ ଆସିଥିଲେ ଭି.କେ ପାଣ୍ଡିଆନ୍, ଆଉ ଓଡ଼ିଆ ଭାଷା, ସଂସ୍କୃତି ପାଇଁ କେନ୍ଦ୍ର ସରକାରଙ୍କ ଅନୁଦାନକୁ ନେଇ ପ୍ରଶ୍ନ ପରେ ପ୍ରଶ୍ନ କରି ବିଜେପିର ଶୀର୍ଷ ନେତୃତ୍ୱଙ୍କୁ କଡ଼ା ଜବାବ୍ ଦେଇଥିଲେ । ଓଡ଼ିଶାରେ ସରକାର ଗଢ଼ିବା ଦମ୍ଭୋକ୍ତି ହେଉ କି ବିଜେଡିର ଏକ୍ସପାଏରୀ ଡେଟ୍, ଏସବୁର ଗୋଟି ଗୋଟି କରି ଜବାବ୍ ଦେଇ ବିରୋଧୀଙ୍କ ପ୍ରତି ବାଉନ୍ସରକୁ ପାଣ୍ଡିଆନ୍ ବିଫଳ କରିଦେଉଥିବା ମତ ରଖୁଛନ୍ତି ରାଜନୀତି ସମୀକ୍ଷକ ।

ଠିକ୍ ସେମିତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଯେବେ ଯେବେ ନବୀନଙ୍କୁ ନିଶାନା କରୁଛନ୍ତି, ସେତେବେଳେ ମଧ୍ୟ ସାମ୍ନା କରି ପାଲଟା ଉତ୍ତର ମାଗୁଛନ୍ତି ପାଣ୍ଡିଆନ୍ । ଚାଷୀଙ୍କ କଥା, ହେଉ କି ସଂସ୍କୃତି, ପର୍ଯ୍ୟଟନ ଏବଂ ଓଡ଼ିଶାର ବିକାଶକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଭିନ୍ନ ଜନସଭାରେ ସମାଲୋଚନା କରୁଛନ୍ତି କାର୍ତ୍ତିକ ପାଣ୍ଡିଆନ୍ । ୨୪ ମହାଲଢ଼େଇରେ ବିଜେପି ଓଡ଼ିଶାରେ ସରକାର ଗଢ଼ିବାକୁ ଆପ୍ରାଣ ଉଦ୍ୟମ କରୁଥିବା ବେଳେ ବିଜେଡିର ବଡ଼ ଅସ୍ତ୍ର ପାଲଟି କାର୍ତ୍ତିକ ପାଣ୍ଡିଆନ୍ ନିଜେ ଜନସଭା କରି ଶକ୍ତିପ୍ରଦର୍ଶନ କରୁଛନ୍ତି ।

କେବଳ ବିଜେପି ନୁହେଁ କଂଗ୍ରେସକୁ ମଧ୍ୟ କାଉଣ୍ଟର କରିବାକୁ ପଛାଉ ନାହାନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍ । ବିଜେପି-ବିଜେଡି ବାହାଘର ପ୍ରସଙ୍ଗକୁ ନେଇ ଓଡ଼ିଶାରେ ମୁହଁ ଖୋଲିଥିଲେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ । ଏନେଇ ମଧ୍ୟ ପାଣ୍ଡିଆନ ରାହୁଲଙ୍କୁ ସମାଲୋଚନା କରିଥିଲେ, ଏବଂ କହିଥିଲେ ଯିଏ ଅବିବାହିତ ସେ ବାହାଘର ବିଷୟରେ ପରାମର୍ଶ ନଦେବା ଉଚିତ ହେବ । ଏଭଳି ଢ଼ଙ୍ଗରେ ବିରୋଧୀଙ୍କ ସମସ୍ତ ସମାଲୋଚନାକୁ କଡ଼ା ଜବାବ୍ ଦେଇ ପାଣ୍ଡିଆନ୍ ନିରସ୍ତ୍ର କରୁଛନ୍ତି  ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି ।

ରୋଡ୍ ସୋ’ ହେଉ କି ସମାବେଶ, ନବୀନଙ୍କ ଶାସନ କାଳରେ ହୋଇଥିବା ଜନହିତକାରୀ ଯୋଜନାର ହିସାବ ଦେଉଛନ୍ତି କାର୍ତ୍ତିକ ପାଣ୍ଡିଆନ୍ । ୨୪ ରଣାଙ୍ଗନରେ ବିଜେଡିକୁ ମାତ୍ ଦେବାକୁ ବିରୋଧୀ ଯେତେ ବଳ କଷୁଛନ୍ତି, ତାକୁ ଫେଲ୍ କରିବାକୁ ମାଷ୍ଟର ଷ୍ଟ୍ରୋକ୍ ଖେଳିଚାଲିଛି ବିଜେଡି । ଏହା କେତେ ସଫଳ ହେବ ତାହା ଆସନ୍ତା ଜୁନ୍ ୪ ତାରିଖରେ ସ୍ପଷ୍ଟ ହେବ ।