ପୁଣି ସୁପରସୋନିକ ମିଜାଇଲ ଆକ୍ରମଣ କଲା ରୁଷ । ଛାରଖାର ହୋଇଗଲା ୟୁକ୍ରେନର ତୈଳ ଭଣ୍ଡାର

164

କନକ ବ୍ୟୁରୋ: ୟୁକ୍ରେନ-ରୁଷ ଯୁଦ୍ଧର ୨୫ ଦିନରେ ଘନ ଘନ ବୋମାମାଡ ଓ ମିଜାଇଲ ଆକ୍ରମଣ କରୁଛନ୍ତି ପୁଟିନ ସେନା । ରବିବାର ୟୁକ୍ରେନର ଦକ୍ଷିଣରେ ଥିବା ମାଇକୋଲାଇଭ ଅଞ୍ଚଳର ସୁପରସୋନିକ ମିଜାଇଲ ମାଡ କରି ତୈଳ ଭଣ୍ଡାରକୁ ଛାର ଖାର କରିଦେଇଛି । ବ୍ଲାକ ସିିରୁ ସୁପରସୋନିକ ମିଜାଇଲ ମିଜାଇଲ ମାଡରେ ତୈଳଭଣ୍ଡାର ନଷ୍ଟ ହେବା ସହ ଶହେରୁ ଅଧିକ ୟୁକ୍ରେନ ସେନା ନିହତ ହୋଇଥିବା ଦାବି କରିଛି ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ । ସେପଟେ ରୁଷ ଆକ୍ରମଣରେ ମେରିୟୁପୋଲ ସହରର ବଡ ଷ୍ଟିଲ କାରଖାନା କ୍ଷତିଗ୍ରସ୍ତ ହୋଇଛି ।

ରୁଷ ମିଜାଇଲ ମାଡ କରି ୟୁକ୍ରେନର ତୈଳଭଣ୍ଡାରକୁ ଛାରଖାର କରିବା ସହ ମିଜାଇ ଓ ଷ୍ଟିଲ ପ୍ଲାଣ୍ଟକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଛି । ଯୁଦ୍ଧର ଅବଧି ବଢୁଥିବା ଦେଖି ୟୁକ୍ରେନର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିବା ପାଇଁ ତୈଳଭଣ୍ଡାର ଓ ଷ୍ଟିଲ ପ୍ଲାଣ୍ଟ ଉପରେ ମସ୍କୋ ଆକ୍ରମଣ କରିଥିବା ଯୁଦ୍ଧ ବିଶାରଦମାନେ ମତ ରଖିଛନ୍ତି ।

ୟୁକ୍ରେନର ରାଜଧାନୀ କିଭ ଓ ମେରିୟୁପୋଲ ରୁଷ ସେନାର ଟାର୍ଗେଟରେ ରହିଛି । ମେରିୟୁପୋଲକୁ ତିନି ପଟୁ ଘେରି ଯାଇ ଘନ ଘନ ଆକ୍ରମଣ ଜାରି ରଖିଛି ମସ୍କୋ । ପୁଟିନ ସେନା ମେରିୟୁପୋଲର ଏକ ଆର୍ଟ ସ୍କୁଲ ଉପରେ ବୋମାବର୍ଷା କରିଛି, ଯେଉଁଠି ଜୀବନ ବଞ୍ଚାଇବାକୁ ଶିଶୁ, ବୃଦ୍ଧ, ବୃଦ୍ଧା ସମେତ ୪ଶହ ଲୋକ ଆଶ୍ରୟ ନେଇଥିଲେ । ରୁଷ ସେନାର ବୋମା ମାଡରେ ଆର୍ଟ ସ୍କୁଲ ଛାରଖାର ହୋଇଯାଇଛି, ମୃତାହତ ବାବଦରେ ସୂଚନା ମିଳି ନାହିଁ । ବର୍ତ୍ତମାନ ସୁଦ୍ଧା ରୁଷ ଆକ୍ରମଣରେ ମେରିୟୁପୋଲର ୨୩ ଶହ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ ପକ୍ଷରୁ ସୂଚନା ମିଳିଛି ।

ଖାରକିବରେ ରୁଷ ଆକ୍ରମଣରେ ରବିବାର ୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ୯ ବର୍ଷର ନାବାଳକ ମଧ୍ୟ ରହିଛି । ବର୍ତମାନ ସୁଦ୍ଧା ପୁଟିନ ସେନାଙ୍କ ଆକ୍ରମଣରେ ୧୧୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ୟୁକ୍ରେନ । ତେବେ ରାଜଧାନୀ କିଭକୁ ଦଖଲ କରିବା ପାଇଁ ପ୍ରାଣପ୍ରଣେ ଉଦ୍ୟମ କରୁଛନ୍ତି ପୁଟିନଙ୍କ ସେନା । କିଭ ନିକଟ ମିକୋଲେବ୍ ମିଲିଟାରୀ ବେସ୍ ଉପରେ ରୁଷ ସେନା ପକ୍ଷରୁ ହୋଇଥିବା ରକେଟ୍ ମାଡରେ ୫୦ ୟୁକ୍ରେନ୍ ସୈନିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।