୨୦୦୯ରୁ ବିଜେଡି ଦଖଲରେ ଥିବା ମହାକାଳପଡା ଏଥର ହାତେଇବ କିଏ ? ପୁଣି ଅତନୁ ସବ୍ୟସାଚୀ ନାୟକ ନା, ତ୍ରିମୁଖୀ ଲଢେଇ ଦେଖିବେ ଜନତା

356

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ନିର୍ବାଚନ ମଣ୍ଡଳି ୨୦୦୯ରୁ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଅକ୍ତିଆରରେ ରହିଛି । ଏଥର ମଧ୍ୟ ବିଜେଡି ତାଙ୍କୁ ଚତୁର୍ଥ ଥର ପାଇଁ ପ୍ରାର୍ଥୀ କରିଥିବା ବେଳେ ସେ ଆଜି ନାମାଙ୍କନ କରିଛନ୍ତି । ଅତନୁଙ୍କ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଛନ୍ତି, ବିଜେପିର ଯୁବନେତା ଦୁର୍ଗା ପ୍ରସନ୍ନ ନାୟକ ଓ କଂଗ୍ରେସରୁ ଲୋକନାଥ ମହାରଥୀ । ରାଜନୈତିକ ଦଳର ପ୍ରାର୍ଥୀମାନେ ବିଭିନ୍ନ ଅଂଚଳରେ କର୍ମୀ ସମ୍ମିଳନୀ, ରୋଡ୍ ସୋ କରିବା ସହିତ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ।

୨୦୦୯ରେ ରାଜନଗର ନିର୍ବାଚନ ମଣ୍ଡଳିରୁ ଅଲଗା ହୋଇ ମହାକାଳପଡା ଏକ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳି ହୋଇଥିଲା । ମହାକାଳଡା ବ୍ଲକର ୩୧ ପଂଚାୟତ ଓ ମାର୍ଶାଘାଈ ବ୍ଲକର ୧୭ ପଂଚାୟତକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳି । ସେବେଠୁ ଅତନୁଙ୍କ ହାତରେ ରହିଛି ମହାକାଳପଡ଼ା । ୩ ଥର ବିଧାୟକ ଏଥର ବି ବିଜୟୀ ହେବା ପାଇଁ ଅଂଟା ଭିଡିଛନ୍ତି ।

ଚଳିତ ନିର୍ବାଚନରେ ବିଜେଡି-ବିଜେପି ଓ କଂଗ୍ରେସ ପ୍ରାର୍ଥୀ ମଧ୍ୟ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ମହାକାଳପଡାର ୨ ଲକ୍ଷ ୫୦ ହଜାର ୪୧୭ ଭୋଟର ଏଥର କାହାକୁ ବାଛୁଛନ୍ତି, ତାହା ଜୁନ୍ ୪ରେ ସ୍ପଷ୍ଟ ହେବ ।