ରାୟଗଡା ବିଷମକଟକ ବିଧାନସଭା କ୍ଷେତ୍ରରେ ବିଷମ ପରିସ୍ଥିତି । ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଟକ୍କର ଦେଉଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନୁଣ୍ଡୁକା

65

କନକ ବ୍ୟୁରୋ : ପୂର୍ବ ନିର୍ବାଚନ ଅପେକ୍ଷା ଅଧିକ ରୋଚକ ହେବ ଚଳିତ ନିର୍ବାଚନ । କାରଣ ବିଷମକଟକରେ ଜଗନ୍ନାଥ ବନାମ ଜଗନ୍ନାଥ ଲଢେଇ ଦେଖିବେ ଜନତା । ୨୦ ବର୍ଷର ସଂପର୍କ ତୁଟେଇ ପରସ୍ପର ବିରୋଧୀ ପ୍ରାର୍ଥୀ ହୋଇଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା ଓ ଜଗନ୍ନାଥ ନୁଣ୍ଡ୍ରୁକା । ବିଜେଡିର ଜଣେ ଟାଣୁଆ ନେତା ଭାବେ ୨୦୧୪ ଓ ୧୯ରେ ଜଗନ୍ନାଥ ସାରକଙ୍କ ପାଇଁ ଭୋଟ ମାଗୁଥିଲେ ଜଗନ୍ନାଥ ନୁଣ୍ଡ୍ରୁକା । ହେଲେ ଏଥର ସେ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ବିଜେଡି ସରକାରଙ୍କ ବିଫଳତା ବଖାଣିବା ସହ ଡବଲ ଇଂଜିନ୍ ସରକାର ଗଠନ ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି ।

ବିଜେଡିର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ସାରକା କହିଛନ୍ତି, ୨୪ ସିଂହାସନ ଲଢେଇରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ଭୋଟର ତାଙ୍କ ସହିତ ଅଛନ୍ତି, ବିଜେଡିର ନିଶ୍ଚୟ ବିଜୟ ହେବ । କିନ୍ତୁ ରାଜନୈତିକ ସମୀକ୍ଷକ କହିଛନ୍ତି ଦୁଇ ଜଗନ୍ନାଥ କଳିରୁ ଫାଇଦା ଉଠାଇପାରନ୍ତି ବିରୋଧୀ କଂଗ୍ରେସ ପ୍ରାର୍ଥୀ ନୀଳମାଧବ ହିକକା ।

ବିଷମକଟକ ବ୍ଳକର ଟାଣୁଆ ରାଜନେତା ଜଗନ୍ନାଥ ନୁଣ୍ଡ୍ରୁକା । ପୂର୍ବରୁ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଥିଲେ । ବର୍ତ୍ତମାନ ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦ୍ଧେଶକ ଅଛନ୍ତି । ଜଗନ୍ନାଥଙ୍କ ପତ୍ନୀ ଦୁଃଖିନୀ ନୁଣ୍ଡ୍ରୁକା ମୁନିଗୁଡା ବ୍ଳକ ଅଧ୍ୟକ୍ଷା ରହିଛନ୍ତି । ବିଜେଡି ଟିକେଟ ଆଶାୟୀ ଥିଲେ । ହେଲେ ଦଳ ଜଗନ୍ନାଥ ସାରକାଙ୍କୁ ପୁଣି ଥରେ ପ୍ରାର୍ଥୀ କରିବାରୁ ବିଜେଡି ଛାଡି ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଜଗନ୍ନାଥ ନୁଣ୍ଡ୍ରୁକା ।