କେଉଁ ଆସନରୁ କାହାକୁ ଦିଆଯିବ ଟିକେଟ? କେଉଁ ଆସନରେ କେଉଁ ନେତାଙ୍କ ରହିଛି ଲୋକପ୍ରିୟତା?

337

କନକ ବ୍ୟୁରୋ: ରାଜନୀତିର ହଟଚମଟ ଭିତରେ ଜାରି ରହିଛି ବିଜେଡିର ଟିକେଟ୍ କସରତ । ଏହି କ୍ରମରେ ଆଜି ନବୀନ ନିବାସରେ ତିନିଟି ସଂସଦୀୟ କ୍ଷେତ୍ରର ବିଧାୟକ, ନେତା ଓ ପର୍ଯ୍ୟପେକ୍ଷକଙ୍କ ସହ ଚର୍ଚ୍ଚା କରିଛନ୍ତି ବିଜେଡି ସୁପ୍ରିମୋ । ପଶ୍ଚିମ ଓଡ଼ିଶାର ତିନି ତିନି ସଂସଦୀୟ କ୍ଷେତ୍ର, ବରଗଡ଼, କଳାହାଣ୍ଡି ଓ ବଲାଙ୍ଗୀରରେ ଦଳର କେଉଁ ନେତାଙ୍କୁ ଟିକେଟ୍ ଦିଆଯିବ ସେ ସଂକ୍ରାନ୍ତରେ ଚର୍ଚ୍ଚା ହୋଇଛି ।

ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡି । ଏହି ତିନି ଆସନର ସମାନତା ହେଉଛି, ତିନୋଟି ଯାକ ଲୋକସଭା କ୍ଷେତ୍ରରେ ଭାରତୀୟ ଜନତା ପାର୍ଟିରୁ ସାଂସଦ ନିର୍ବାଚିତ ହୋଇଛନ୍ତି ।ଯଦିଓ ବିଧାନସଭା କ୍ଷେତ୍ରରେ ଉଭୟ ବିଜେପି ଓ କଂଗ୍ରେସ ଠାରୁ ବହୁ ଆଗରେ ରହିଛି ବିଜୁ ଜନତା ଦଳ, ସଂସଦୀୟ କ୍ଷେତ୍ରରେ କିନ୍ତୁ ବାଜି ମାରି ନେଇଛି ବିଜେପି । ତେଣୁ ବିଜେଡିର ଟିକେଟ୍ କସରତ ଏଥର ମାପିଚୁପି କରିଛି । ଏଥର ଲୋକସଭା ଆସନ ପାଇଁ ବିଜେଡି, ଏଭଳି ନେତାଙ୍କୁ ଓହ୍ଲାଇବାକୁ ଯାଉଛି, ଯେଉଁମାନେ ୩ଟି ସଂସଦୀୟ କ୍ଷେତ୍ର ସହ ଏହା ଅଧିନରେ ଆସୁଥିବା ସମସ୍ତ ୨୧ ବିଧାନସଭାରେ ଦଳ ପାଇଁ ଭଲ ପ୍ରଦର୍ଶନ କରିବେ ।

୨୦୧୯ରେ ବରଗଡ଼ ଲୋକସଭାର ଫଳାଫଳ ଠିକ୍ ଭୁବନେଶ୍ୱର ଭଳି ଆସିଥିଲା । ଅର୍ଥାତ୍ ଲୋକସଭା ଆସନ ବିଜେପି ଜିତିଥିଲେ ମଧ୍ୟ ୭ରୁ ୭ ବିଧାନସଭା ଜିତିଥିଲା ବିଜୁ ଜନତା ଦଳ । ସମାନ ଢଙ୍ଗରେ କଳାହାଣ୍ଡି ଲୋକସଭା ଆସନରେ ୭ରୁ ବିଧାନସଭାରୁ ୫ଟି ବିଜେଡି ଏବଂ ଗୋଟିଏ ଲେଖାଏଁ ବିଜେପି ଓ କଂଗ୍ରେସକୁ ମିଳିଥିଲା । ବଲାଙ୍ଗୀର ଲୋକସଭାରେ ମଧ୍ୟ ଆଗରେ ଥିଲା ବିଜେଡି । ୭ ବିଧାନସଭା କ୍ଷେତ୍ରରୁ ୪ଟି ବିଜେଡି, ୨ଟି କଂଗ୍ରେସ ଏବଂ ଗୋଟିଏ ଆସନରେ ବିଜେପି ଜିତିଥିଲା । ତେଣୁ ନବୀନ ସରକାରଙ୍କ ସଫଳତା ନେଇ ଲୋକଙ୍କ ପାଖକୁ ଯିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବରଗଡ଼ ଲୋକସଭା        ବଲାଙ୍ଗୀର ଲୋକସଭା               କଳାହାଣ୍ଡି ଲୋକସଭା

ବିଜେଡି : ୦୭                   ବିଜେଡି: ୦୪                       ବିଜେଡି: ୦୫
ବିଜେପି : ୦୦                  ବିଜେପି: ୦୧                        ବିଜେପି: ୦୧
କଂଗ୍ରେସ : ୦୦                କଂଗ୍ରେସ: ୦୨                       କଂଗ୍ରେସ: ୦୧

ବରଗଡ଼, କଳାହାଣ୍ଡି ଓ ବଲାଙ୍ଗୀର ତିନୋଟି ସଂସଦୀୟ କ୍ଷେତ୍ରର ବିଧାୟକ, ନେତା ଓ ପର୍ଯ୍ୟପେକ୍ଷକଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେହିପରି
କେଉଁ ଆସନରୁ କାହାକୁ ଦିଆଯିବ ଟିକେଟ?
କେଉଁ ଆସନରେ କେଉଁ ନେତାଙ୍କ ରହିଛି ଲୋକପ୍ରିୟତା?
ସଂଗଠନ ମଜବୁତ କରିବା କ୍ଷେତ୍ରରେ କିଏ ଅଛନ୍ତି ସବୁଠୁ ଆଗରେ?
ଏହି ତମାମ୍ ଦିଗରେ ଆଲୋଚନା କରିବା ସହ ବିକାଶ ବାର୍ତା ନେଇ ଲୋକଙ୍କ ପାଖକୁ ଯିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।