ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲ ଗିରଫ: ରିମାଣ୍ଡ ଆବେଦନ ରାୟ ସଂରକ୍ଷିତ

56

କନକ ବ୍ୟୁରୋ: ଗତକାଲି ବିଳମ୍ବିତ ରାତିରେ ଗିରଫ ହେବା ପରଠାରୁ ଇଡି ହେଫାଜତରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କେଜ୍ରିୱାଲଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା । ମଦ ଦୁର୍ନୀତି ମାମଲାରେ ଅଧିକ ଖୋଳତାଡ଼ ପାଇଁ ୧୦ଦିନିଆ ରିମାଣ୍ଡ ଆବେଦନ କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । କୋର୍ଟ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ଯଦି କେଜ୍ରିୱାଲଙ୍କ ବିରୋଧରେ ପ୍ରମାଣ ରହିଛି, ତେବେ ରିମାଣ୍ଡରେ ନେବାର କଣ ଆବଶ୍ୟକତା ରହିଛି ବୋଲି ତାଙ୍କ ଓକିଲ ଯୁକ୍ତି କରିଛନ୍ତି ।

ଭାରତୀୟ ରାଜନୀତି ପ୍ରଥମ ଥର ପାଇଁ ଏମିତି ଦୃଶ୍ୟର ସାକ୍ଷୀ ହୋଇଛି । ଦେଶରେ ନିର୍ବାଚନୀ ଆଚରଣ ବିଧି ଲାଗୁଥିବା ସମୟରେ କ୍ଷମତାସୀନ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି । ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ରାତି ଅଧିଆ ଗିରଫ ପରେ ପିଏମଏଲଏ କୋର୍ଟରେ ହାଜର କରିଥିଲା ଇଡି । ଅରବିନ୍ଦ କେଜ୍ରିୱାଲଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଥିବା ବେଳେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି ।

କୋର୍ଟରେ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ପ୍ରବର୍ତନ ନିର୍ଦ୍ଦେଶାଳୟ ଦର୍ଶାଇଛି । ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ବିନା ପ୍ରମାଣରେ, ବେଆଇନ ଭାବେ ଗିରଫ କରାଯାଇଥିବା କହିଛନ୍ତି ତାଙ୍କ ଓକିଲ ।

ଅରବିନ୍ଦ କେଜ୍ରିଓକ୍ୱାଲଙ୍କ ଗିରଫକୁ ବିରୋଧ କରି ଭାରତୀୟ ନିର୍ବାଚନ କମିସନଙ୍କୁ ଭେଟିଛନ୍ତି ଇଣ୍ଡିଆ ମେଂଟର ନେତା । ରାଜନୈତିକ ଆକ୍ରୋଶ ରଖି ମୋଦୀ ସରକାର ବିରୋଧୀ ଦଳ ନେତାଙ୍କୁ ଜେଲରେ ପୁରାଉଥିବା ଅଭିଯୋଗ କରିଛନ୍ତି । ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫକୁ ନେଇ ବୟାନବାଜି ତେଜିଛି ।

ଅରବିନ୍ଦ କେଜ୍ରିଓକ୍ୱାଲଙ୍କୁ ଗିରଫ ପରେ ଦିଲ୍ଲୀରେ ହଇଚଇ ଖେଳିଯାଇଛି । ଗୁରୁବାର ରାତିରୁ ଆପ ନେତା, କର୍ମୀ ଓ ସମର୍ଥକଙ୍କ ବିରୋଧ ପ୍ରଦର୍ଶନ ଶୁକ୍ରବାର ଆହୁରି ଉଗ୍ର ହୋଇଛି । ଦିଲ୍ଲୀ ସ୍ଥିତ ଇଡି ମୁଖ୍ୟାଳୟ, ବିଜେପି କାର୍ଯ୍ୟାଳୟ, ତିହାର ଜେଲ, ମେଟ୍ରୋ ରୁଟରେ ଆପ କର୍ମୀ ବିକ୍ଷୋଭ କରିଛନ୍ତି । କେଜ୍ରିୱାଲଙ୍କ ଗିରଫକୁ ନେଇ ଆକ୍ରୋଶ ବଢ଼ୁଥିବାରୁ ଦିଲ୍ଲୀରେ ସୁରକ୍ଷା କଡାକଡି କରାଯାଇଛି ।

ଗିରଫଦାରିକୁ ବିରୋଧ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟ ଯାଇଥିଲେ କିନ୍ତୁ ସେ ତାଙ୍କ ଆବେଦନକୁ ପ୍ରତ୍ୟାହାର କରିନେଇଛନ୍ତି । ଅନ୍ୟପଟେ ଗିରଫ ପରେ ତୁରନ୍ତ ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି ।