କେମିତି ଜେଲରୁ ଚାଲିବ ଦିଲ୍ଲୀ ସରକାର? ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇନାହାନ୍ତି କେଜ୍ରିୱାଲ

164

କନକ ବ୍ୟୁରୋ: ପୂର୍ବରୁ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀମାନେ ପଦରୁ ଇସ୍ତାଫା ଦେଇ ଗିରଫ ହୋଇଛନ୍ତି । ସ୍ୱାଧୀନ ଭାରତରେ ପ୍ରଥମ ଥର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି । ଫଳରେ ଦିଲ୍ଲୀରେ ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଛି । ଆପ୍ କହିଛି ଜେଲରୁ ସରକାର ଚଳାଇବେ କେଜ୍ରୱାଲ । ଏହା କେମିତି ସମ୍ଭବ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହେବାପରେ, ସରକାର ପରିଚାଳନାରେ ସମସ୍ୟା ଉପୁଜିପାରେ । କାରଣ ବିଭିନ୍ନ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ମୁଖ୍ୟମନ୍ତ୍ରୀ ଗିରଫ ହେବା ପୂର୍ବରୁ ପଦରୁ ଇସ୍ତଫା ଦେଇଛନ୍ତି । ହେଲେ ସ୍ୱାଧୀନ ଭାରତର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପଦରେ ଥାଇ ଇଡି ଦ୍ୱାରା ଗିରଫ ହୋଇଛନ୍ତି କେଜ୍ରିୱାଲ । ଆଉ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଥିଲେ ଓ ରହିବେ । ଅର୍ଥାତ ଜେଲରେ ଥାଇ ସରକାର ଚଳାଇବେ ଅରବିନ୍ଦ କେଜ୍ରିୱାଲ । ତେବେ ଏହା କେମିତି ସମ୍ଭବ?

କେମିତି ଜେଲରୁ ସରକାର ଚଳାଇବେ କେଜ୍ରିୱାଲ?
ଜେଲ ମାନୁଆଲ ଅନୁସାରେ କଏଦୀ କୌଣସି ବୈଠକ କରିପାରିବେନି
କୋର୍ଟଙ୍କ ଅନୁମତିରେ କେବଳ ନ୍ୟାୟିକ ଦସ୍ତାବିଜରେ ଦସ୍ତଖତ କରିପାରିବେ
ସପ୍ତାହରେ ଦୁଇଥର କଏଦୀଙ୍କୁ ଭେଟିପାରିବେ ସଂପର୍କୀୟ
ଏଥିପାଇଁ କଏଦୀ ସର୍ବାଧିକ ୧୦ ଜଣଙ୍କ ନାମ ସୁପାରିସ କରିପାରିବେ
ଭେଟଘାଟ ତାରିଖ ଓ ସମୟ ନିର୍ଦ୍ଧାରଣ କରିବେ ଜେଲ ସୁପରିଣ୍ଟେଣ୍ଡେଣ୍ଟ

ଯଦିଓ ଜେଲ ମାନୁଆଲ ଅନୁସାରେ ଜେଲରୁ ସରକାର ଚଳାଇବା କେଜ୍ରିୱାଲଙ୍କ ପାଇଁ ସମ୍ଭବ ହେବନାହିଁ । କିନ୍ତୁ ସାହାରା ମାମଲାରେ ସୁବ୍ରତ ରାୟଙ୍କ ଉଦାହରଣ ଦେଉଛନ୍ତି ଆପ ନେତା । ତେଣୁ ଏଭଳି ସ୍ୱତନ୍ତ୍ର ସୁବିଧା ବାବଦରେ ସୂଚନା ଦେଇଛନ୍ତି ତିହାର ଜେଲର ପୂର୍ବତନ ପିଆରଓ ସୁନୀଲ ଗୁପ୍ତା ।

କେଜ୍ରିିୱାଲଙ୍କୁ ମିଳିବ କି ସ୍ୱତନ୍ତ୍ର ସୁବିଧା?
ଜେଲରେ ରହି ସରକାର ଚଳାଇ ପାରିବେ ଅରବିନ୍ଦ କେଜ୍ରିିୱାଲ
କୋର୍ଟଙ୍କ ଅନୁମତି ପରେ ସରକାର ଚଳାଇବା ସମ୍ଭବ ହେବ
ଏକ କୋଠାକୁ ସ୍ୱତନ୍ତ୍ର ଜେଲ ଘୋଷଣା କରିହେବ
ସ୍ୱତନ୍ତ୍ର ଜେଲରେ ମିଳିବ ଫୋନ୍ ଓ ଭିଡିଓ କଲର ସୁବିଧା
ପ୍ରତ୍ୟେକ ଦିନ ଭିଜିଟର୍ସଙ୍କୁ ଭେଟିପାରିବେ କେଜ୍ରିିୱାଲ
ସାହାରା ଟଙ୍କା ଠକେଇ ମାମଲାରେ ସୁବ୍ରତ ରାୟଙ୍କୁ ମଳିଥିଲା ସ୍ୱତନ୍ତ୍ର ସୁବିଧା

ନିକଟରେ ହେମନ୍ତ ସୋରେନ୍, ପୂର୍ବରୁ ଲାଲୁ ଯାଦବ, ଜୟଲଳିତା, ୟେଦିୟୁରପ୍ପା ଓ ଉମା ଭାରତୀଙ୍କ ଭଳି ମୁଖ୍ୟମନ୍ତ୍ରୀ ଦୁର୍ନୀତି ଅଭିଯୋଗରେ ଗିରଫ ହେବା ପୂର୍ବରୁ ଇସ୍ତଫା ଦେଇଥିଲେ । ହେଲେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରେ ଥାଇ ପ୍ରବର୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଛନ୍ତି । ଯାହା ବିରାଟ ସାମ୍ବିଧାନିକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।