ଟ୍ୱିଟର ଡିଲରେ ଆସିଲା ପରାଗ ଅଗ୍ରୱାଲ ବିନୀତାଙ୍କ ନାମ, କମ୍ପାନୀ କିଣିବାକୁ ବିନୀତାଙ୍କ ଠାରୁ ମସ୍କ ନେବେ ଋଣ

239

କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ ମସ୍କ ଖୁବଶୀଘ୍ର ମାଇକ୍ରୋ ବ୍ଲଗିଂ ସାଇଟ ଟ୍ୱିଟରକୁ କିଣିବାକୁ ଯାଉଛନ୍ତି । ଏନେଇ କିଛିଦିନ ହେବ ଗଣମାଧ୍ୟମରେ ମସ୍କ ଚର୍ଚ୍ଚାରେ ରହିଛନ୍ତି । କିଛି ରିପୋର୍ଟ ମୁତାବକ ଏଲନ ମସ୍କ ଟ୍ୱିଟରକୁ କିଣିବା ପରେ ଟ୍ୱିଟରର ସିଇଓ ଥିବା ପରାଗ ଅଗ୍ରୱାଲଙ୍କୁ ତାଙ୍କ ପଦରୁ ହଟାଇ ଦେବେ ବୋଲି ରିପୋର୍ଟ ପ୍ରକାଶ ପାଉଛି । ଏହାର ମଧ୍ୟରେ ଏବେ ଚର୍ଚ୍ଚାକୁ ଆସିଛନ୍ତି ପରାଗ ଅଗ୍ରୱାଲଙ୍କ ପତ୍ନୀ ବିନୀତା ଅଗ୍ରୱାଲ ।

କୁହାଯାଉଛି କି ମସ୍କ ଟ୍ୱିଟର କିଣିବା ପାଇଁ ଯେଉଁ ଡିଲ କରିଛନ୍ତି ସେଥିରେ ପରାଗ ଅଗ୍ରୱାଲଙ୍କ ପତ୍ନୀ ବିନୀତାଙ୍କର ବି ନାମ ରହିଛି । ହେଲେ ଟ୍ୱିଟର ସହ ବିନୀତାଙ୍କ ସଂପର୍କ ନେଇ ପରାଗଙ୍କର କିଛି ଭୂମିକା ନଥିବା କଥା କୁହାଯାଉଛି । କହିରଖୁ କି, ବିନୀତାଙ୍କ ଟ୍ୱିଟର ପ୍ରୋଫାଇଲ ମୁତାବକ ସେ ଜଣେ ଫିଜିସିଆନ । ସେ ଷ୍ଟାନଫର୍ଡ ସ୍କୁଲ ଅଫ୍ ମେଡିସିନରେ କ୍ଲିନିକାଲ ପ୍ରଫେସର ଭାବେ କାମ କରୁଛନ୍ତି । ଏହାସହ ସେ ଭେଞ୍ଚର କ୍ୟାପିଟାଲ କମ୍ପାନୀ ଆଣ୍ଡ୍ରେସେନ ହୋରୋୱିଚ ପାଇଁ ମଧ୍ୟ କାମ କରନ୍ତି ।

କୁହାଯାଉଛି କି ଏହି ଭେଞ୍ଚର କମ୍ପାନୀ ଆଣ୍ଡ୍ରେସେନ ହୋରୋୱିଚ ତରଫରୁ ମସ୍କଙ୍କୁ କିଛି ଫଣ୍ଡ ଋଣ ଆକାରରେ ପ୍ରଦାନ କରାଯିବ । ଏହି କମ୍ପାନୀ ମସ୍କଙ୍କ ଟ୍ୱିଟର ଡିଲରେ ୪୦୦ ମିଲିୟନ ଡଲାର ଦେବ ବୋଲି ଜଣାପଡିଛି । ଏହି ଖବର ଆସିବା ପରେ ଏବେ ପରାଗଙ୍କ ଠାରୁ ବିନୀତା ଅଧିକ ଚର୍ଚ୍ଚାକୁ ଆସିଛନ୍ତି ।