ଗାଁ ମାଟିର ମୋହରେ ଛାଡିଲେ ଦାମୀ ଚାକିରି । ଇଞ୍ଜିନିୟରରୁ ଚାଷୀ ପାଲଟିଗଲେ ଅମର

153

କନକ ବ୍ୟୁରୋ: ଇଞ୍ଜିନିୟର ପାଠ ପଢା ଶେଷ ପରେ ବିଦେଶ ଗଲେ । ଲକ୍ଷାଧିକ ଟଙ୍କାରେ ଚାକିରି ବି କଲେ । ହେଲେ ଏଥିରେ ଶାନ୍ତି କିନ୍ତୁ ମିଳିଲାନି । ଗାଁ ମାଟିର ମୋହ ତାଙ୍କୁ ଟାଣିଆଣିଲା ବିଦେଶରୁ ଗାଁ ମାଟିକୁ । ଆଉ ନିଜ ଗୋଡରେ ଛିଡା ହେବାର ଇଚ୍ଛା ତାଙ୍କୁ ଅସ୍ଥିର କଲା ।ତ୍ତତାଙ୍କର ଦୃଢ ଇଚ୍ଛା ତାଙ୍କୁ ବାଟ ବି ଦେଖାଇଲା । ଫଳରେ ଜଣେ ଇଞ୍ଜିନିୟରରୁ ଆଜି ସେ ଜଣେ ସଫଳ ଚାଷୀ ।

ଆମେ କହୁଛୁ ରାଜକନିକା ବ୍ଲକ କୋଇଲିପୁର ପଞ୍ଚାୟତ ବିଶ୍ୱନାଥପୁର ଗାଁର ଯୁବ ଇଞ୍ଜିନିୟର ଅମର କୁମାର ରାଉତଙ୍କ କଥା । ପାଠପଢା ଶେଷ ପରେ ଏକାଧିକ ବିଦେଶରେ ଯାଇ ଚାକିରି କରିଥିଲେ । ଲକ୍ଷାଧିକ ଟଙ୍କା ଦରମା ପାଉଥିଲେ । ହେଲେ ଏସବୁରେ ତାଙ୍କ ମନ ଲାଗୁନଥିଲା । ଶେଷରେ ଚାକିରିର ମୋହ ଛାଡି ଚାଲିଆସିଥିଲେ ଗାଁକୁ । ଆଉ ନିଜେ ସ୍ୱାବଲମ୍ବି ହେବାକୁ ଆରମ୍ଭ କରିଥିଲେ ଚାଷ । ପ୍ରଥମେ ନିଜ ବିଲରେ ଗୋଟିଏ ପୋଖରୀରେ ମାଛ ଚାଷ ଆରମ୍ଭ କଲେ । ଏବେ ତାଙ୍କର ରହିଛି ୧୬ଟି ମାଛ ପୋଖରୀ । ମାଛ ଚାଷ ପାଇଁ ସିଫାରୁ ସ୍ୱତନ୍ତ୍ର ଟ୍ରେନିଙ୍ଗ ନେଇଛନ୍ତି ଅମର । କେବଳ ମାଛ ଚାଷ ନୁହେଁ କୁକୁଡା ଚାଷ, ସହ ଗୋପାଳନରେ ବି ଆଗେଇଛନ୍ତି ଅମର । ବିଭିନ୍ନ ଚାଷରୁ ତାଙ୍କୁ ବାର୍ଷିକ ମିଳୁଛି ୧୦ ଲକ୍ଷ ଟଙ୍କାର ଲାଭ ।

 ନିଜେ ସ୍ୱାବଲମ୍ବୀ ହେବା ସହ ୪ଜଣଙ୍କୁ ନିଯୁକ୍ତି ମଧ୍ୟ ଦେଇଛନ୍ତି । ତାଙ୍କ ଉତ୍ପାଦିତ ମାଛ ରାଜକନିକା, ଆଳି , ଚାନ୍ଦବାଲି, ଯାଜପୁର ବଜାରକୁ ରପ୍ତାନୀ ହେଉଛି । ମତ୍ସ୍ୟ ବିଭାଗ ପକ୍ଷରୁ ତାଙ୍କର ପାରଙ୍ଗମତାକୁ ଦୃଷ୍ଟିରେ ରଖି ‘ମୋ ପୋଖରୀ’ ଯୋଜନାରେ ୩ଲକ୍ଷ ଟଙ୍କାର ସାହାଯ୍ୟ କରାଯାଇଛି । ଅମରଙ୍କ ଭଳି ଜଣେ ଉଚ୍ଚ ଶିକ୍ଷିତ ଯୁବକଙ୍କ ଚାଷ ଦେଖିବାକୁ ଅନେକ ସମୟରେ ପାଖ ଚାଷୀଙ୍କ ଭିଡ ଜମୁଛି ।