ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ କିଏ କରୁଛି ଗୁଜବ? ବିଜେଡି ମୁଖପାତ୍ର କହିଲେ ଜଣେ ପୂର୍ବତନ ସାଂସଦ, ଜଣେ ବର୍ତମାନର ସାଂସଦଙ୍କ ରହିଛି ହାତ

191

କନକ ବ୍ୟୁରୋ: ଗୁଜବକୁ ହସରେ ଉଡାଇ ସୁସ୍ଥ ଥିବା ନେଇ ସାରା ଓଡିଶାକୁ ମୁଖ୍ୟମନ୍ତ୍ରୀ ବାର୍ତା ଦେବା ପରେ ଅତୀତର ବିତର୍କିତ ପୃଷ୍ଠା ପୁଣି ଚର୍ଚ୍ଚାକୁ ଆସିଛି । ଯେତେବେଳେ ୨୦୧୯ର ଠିକ୍ ନିର୍ବାଚନ ଆଗରୁ ନବୀନ ଏକ ସାକ୍ଷାତକାରରେ ସ୍ୱାସ୍ଥ୍ୟକୁ ନେଇ ଉଠିଥିବା ଗୁଜବ ପାଇଁ ବୈଜୟନ୍ତ ପଣ୍ଡାଙ୍କ ଆଡକୁ ଅଙ୍ଗୁଳି ଉଠାଇଥିଲେ ।

ନବୀନଙ୍କ ବକ୍ତବ୍ୟ ହୁଏତ ଦଳୀୟ କର୍ମୀଙ୍କ ମନରେ ଜୋଶ୍ ଭରି ଥାଇପାରେ ହେଲେ ଏହା ଅନେକ ଅସମାହିତ ପ୍ରଶ୍ନକୁ ସାମ୍ନାକୁ ଆଣିଛି, ଯାହାର ଉତର ଉଭୟ ସରକାର ଓ ଦଳକୁ ଦେବାକୁ ପଡିବ । କନକ ନ୍ୟୁଜର ବିତର୍କରେ ଦଳୀୟ ମୁଖପାତ୍ର ଲେନିନ୍ ମହାନ୍ତି ଜଣେ ପୂର୍ବତନ ସାଂସଦ ଏବଂ ଜଣେ ବର୍ତମାନର ସାଂସଦଙ୍କୁ ଗୁଜବକାରୀ ବୋଲି ଆକ୍ଷେପ କରିଥିଲେ । ହେଲେ କାହାର ନାଁ ନେଇନଥିଲେ ।

ଯଦିଓ ବିଜେଡି ମୁଖପାତ୍ର କାହାର ନାଁ ସିଧାସଳଖ ନେଇନଥିଲେ ତଥାପି ଦୁଇଟି ଦିଗକୁ ଇଙ୍ଗିତ କରିଥିଲେ । ଜଣେ ପୂର୍ବତନ ସାଂସଦ ଏବଂ ଗଣମାଧ୍ୟମ ସହ ସଂପର୍କ ଥିବା ନେତା ଏହା ପଛର ଚେହେରା ବୋଲି ସେ ଉଲ୍ଲେଖ କରିଥିଲେ । ହେଲେ ବାରମ୍ବାର ପଚରାଯିବା ସତ୍ୱେ ବି ସେ କାହା ନାଁ ନେଇନଥିଲେ ।

ଏବେ ଆମେ ଆପଣଙ୍କୁ ୨୦୧୯ରେ ମୁଖ୍ୟମନ୍ତ୍ରୀ ଦେଇଥିବା ଏକ ସାକ୍ଷାତକାରର କିଛି ଅଂଶ ଦେଖାଇବୁ । ଯେଉଁଥିରେ ସ୍ୱାସ୍ଥ୍ୟକୁ ନେଇ ହୋଇଥିବା ଗୁଜବ ପାଇଁ ବୈଜୟନ୍ତ ପଣ୍ଡାଙ୍କ ନାଁ ନେଇଥିଲେ ନବୀନ ପଟ୍ଟନାୟକ । ହେଲେ ଏହାକୁ ବୈଜୟନ୍ତ ଖଣ୍ଡନ କରିଥିଲେ ।

୨୦୧୯ ସାଧାରଣ ନିର୍ବାଚନ ବେଳେ ଏହି ବୟାନ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା । ଯେତେବେଳେ କେନ୍ଦ୍ରାପଡାରେ ରାଜ୍ୟ ଦେଖୁଥିଲା ସବୁଠାରୁ ବଡ ଲଢେଇ । ଠିକ୍ ସେତିକିବେଳେ ବୈଜୟନ୍ତଙ୍କ ନାଁ ନେଇ ମୁଖ୍ୟମନ୍ତ୍ରୀ କରିଥିଲେ ଶାଣିତ ଆକ୍ରମଣ । ଆଉ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ରଖିଥିବା ବୟାନ ପୁଣି ଚର୍ଚ୍ଚା ଆରମ୍ଭ କରିଛି, ଗୁଜବ ପଛରେ କାହାର ହାତ ରହିଛି? ହେଲେ ଏହି ଅପପ୍ରଚାରକୁ ନେଇ ଏବେ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି । ଯଦି ବିଜେଡି ଗୁଜବକାରୀଙ୍କୁ ଚିହ୍ନିଛି ତେବେ ନାଁନେବାରେ ସମସ୍ୟା କଣ ରହିଛି? କାହିଁକି ରାଜ୍ୟବାସୀଙ୍କ ଆଗରେ ସେହି ଅପପ୍ରଚାରକାରୀଙ୍କ ମୁଖା ଖୋଲୁନାହିଁ ।