ୟୁରୋପରେ ସାମୁଦ୍ରିକ ଝଡ଼ ୟୁନିସର ତାଣ୍ଡବ । ୧୫ଜଣଙ୍କ ମୃତ୍ୟୁ ।

112

କନକ ବ୍ୟୁରୋ : ୟୁରୋପରେ ତାଣ୍ଡବ କରୁଛି ସାମୁଦ୍ରିକ ଝଡ ୟୁନିସ । ବିଟ୍ରେନ ସମେତ ୟୁରୋପରେ ଅନେକ ଦେଶରେ ଝଡ ପ୍ରଭାବରେ ମୁସଳଧାରାରେ ବର୍ଷା ସହ ଘଣ୍ଟା ପ୍ରତି ୧୨୨ କିଲୋମିଟର ବେଗରେ ପବନ ବୋହୁଛି । ମଧ୍ୟ ଆଣ୍ଟଲାଟିକରେ ଆରମ୍ଭ ହୋଇଥିବା ଏହି ଝଡ ଆଗକୁ ବଡ କ୍ଷତି କରିବା ନେଇ ବ୍ରିଟେନ ପାଣିପାଗ ବିଭାଗ ଆଶଙ୍କା ପ୍ରକାଶ କରିଛି ।

ଅଶାନ୍ତ ପ୍ରକୃତି । ଖଣ୍ଡପ୍ରଳୟରେ ସବୁ ଧ୍ୱସ୍ତବିଧ୍ୱସ୍ତ । ଆଣ୍ଟଲାଟିକ ସମୁଦ୍ରରେ ସୃଷ୍ଟି ହୋଇଛି ଭୟଙ୍କର ଝଡ । ଶୁକ୍ରବାର ସୃଷ୍ଟି ହୋଇଥିବା ଏହି ପ୍ରଳୟଙ୍କାରୀ ଝଡ ଉତ୍ତରପୂର୍ବ ୟୁରୋପରେ ତାଣ୍ଡବ କରୁଛି । ପବନରେ ବେଗ ଘଣ୍ଟା ପ୍ରତି ୧୧୨ କିଲୋମିଟର ରହିଥିବାବେଳେ ଏବେ ସୁଦ୍ଧା ୨୦ଜଣଙ୍କ ପ୍ରାଣହାନି ହୋଇଥିବା ସୂଚନା ମିଳିଛି । ଝଡବର୍ଷା ଯୋଗୁଁ ସ୍ଥାନେ ସ୍ଥାନେ ଭାଙ୍ଗିଛି ବିଶାଳ ଗଛ, ଉଡିଯାଇଛି ଘରର ଛାତ । ପ୍ରାଣ ବିକଳରେ ଶହ ଶହ ସଂଖ୍ୟକ ଲୋକ ସେନା ପକ୍ଷରୁ ତିଆରି ଅସ୍ଥାୟୀ ଶିବିରରେ ଆଶ୍ରୟ ନେଇଛନ୍ତି ।

ସାମୁଦ୍ରିକ ଝଡ ୟୁନିସ କେନ୍ଦ୍ରିୟ ଆଣ୍ଟଲାଟିକ ସମୁଦ୍ରରେ ସୃଷ୍ଟି ହୋଇଥିବାବେଳେ କ୍ରମଶ ଏହା ୟୁରୋପ ମୁହାଁ ହୋଇଛି । ବ୍ରିଟେନ ପାଣିପାଗ ବିଭାଗ ଏହି ଝଡକୁ ଅତି ବିପଦ ଶ୍ରେଣୀରେ ରଖିଛି । ବିଶେଷ କରି ଏହି ଝଡ ପଶ୍ଚିମ ଲଣ୍ଡନରେ ମାଡ ହେବା ସହ ବିପୁଳ କ୍ଷୟକ୍ଷତି କରିଛି । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ମୁସଳଧାରାରେ ବର୍ଷା ହେବା ସହ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ସୂଚନା ମିଳିଛି । ସମୁଦ୍ରର ଉଚ୍ଚ ଜୁଆର ଆସିବା ଯୋଗୁଁ ଘର ଭିତରେ ପାଣି ପଶିଛି । ଭୟଙ୍କର ଝଡ ଓ ପବନ ଯୋଗୁଁ ବ୍ରିଟେନ ରେଳଷ୍ଟେସନ, ବିମାନବନ୍ଦରର ବ୍ୟାପକ କ୍ଷତି ହୋଇଛି । ଚଳାଚଳ ବାଧାପ୍ରାପ୍ତ ହୋଇଛି । ୟୁକେରେ ସମସ୍ତ ବିମାନବନ୍ଦରରେ ୪୩୬ଟି ବିମାନ ଉଡାଣ ବାତିଲ କରାଯାଇଛି । ନେଦରଲ୍ୟାଣ୍ଡରୁ ୩୯୦ ବିମାନ ଉଡାଣ ରଦ୍ଧ କରାଯାଇଛି । ଦେଶବାସୀଙ୍କୁ ସମ୍ବୋଧିତ କରି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସମସ୍ତ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।