କେନ୍ଦ୍ରମନ୍ତ୍ରୀ ଯେଉଁ ରାଜ୍ୟକୁ ଯାଉଛନ୍ତି ସେ ରାଜ୍ୟକୁ ନମ୍ବର-୧ କରିବେ କହୁଛନ୍ତି । ପ୍ରଥମେ ସ୍ଥିର କରନ୍ତୁ କେଉଁ ରାଜ୍ୟକୁ ନମ୍ବର-୧ କରିବେ? ବ୍ରହ୍ମଗିରିରୁ ବିଜେପି ନେତାଙ୍କୁ ବାଣ ମାରିଲେ ପାଣ୍ଡିଆନ । 

232

କନକ ବ୍ୟୁରୋ : ବ୍ରହ୍ମଗିରିରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ରୂପାନ୍ତରଣ ଦେଖି ବିରୋଧୀ ଛାନିଆ ହୋଇଯାଉଛନ୍ତି, ଅପପ୍ରଚାର କରୁଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ୪୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ମିଛ ଅପପ୍ରଚାର କରୁଛନ୍ତି । କିନ୍ତୁ ଏହି ପ୍ରକଳ୍ପ ପାଇଁ ପ୍ରାୟ ୩୫୦ କୋଟି ଖର୍ଚ୍ଚ ହୋଇଛି । ମିଛ କହିବାର ସୀମା ଥାଏ କିନ୍ତୁ ବିଜେପି ନେତାଙ୍କ ମିଛ କହିବାର କୌଣସି ସୀମା ନାହିଁ । ବିଜେପି ନେତା କେଉଁଠି କଣ ପ୍ରତିଶ୍ରୁତି ଦେଉଛନ୍ତି ତାହାକୁ ମନେ ରଖୁନାହାନ୍ତି । ବିଜେପିର ବଡ ବଡ ନେତା ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବୁ । ଆସାମର ମୁଖ୍ୟମନ୍ତ୍ରୀ କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବୁ । ତାହା ହେଲେ ଆସାମକୁ କେତେ ନମ୍ବର କରିବେ ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ ।

କେନ୍ଦ୍ରମନ୍ତ୍ରୀ ଯେଉଁଠିକୁ ଯାଉଛନ୍ତି ସବୁ ରାଜ୍ୟକୁ ଏକ ନମ୍ବର କରିବାକୁ କହୁଛନ୍ତି । କିନ୍ତୁ ସେମାନେ ପ୍ରଥମେ ସ୍ଥିର କରନ୍ତୁ କେଉଁ ରାଜ୍ୟକୁ ଏକ ନମ୍ବର କରିବେ । ୨୫ ବର୍ଷ ହେଲା ଗୁଜୁରାଟକୁ ଏକ ନମ୍ବର କରିପାରୁନାହାନ୍ତି । ତେଣୁ ଓଡ଼ିଶାବାସୀଙ୍କୁ କାହିଁକି ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ବିଜେପି ନେତା । ଓଡ଼ିଶାବାସୀଙ୍କ ପାଖରେ ମିଛ କଥା ଚଳିବନି । ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ନେତାଙ୍କ ଅସଭ୍ୟ ଭାଷାକୁ ବରଦାସ୍ତ କରିବେନି ଓଡ଼ିଶାବାସୀ । ଏହାର ଜବାବ ଭୋଟରେ ନିଶ୍ଚୟ ଦେବେ ।

ଆସନ୍ତା ଜୁନ୍ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ । ପ୍ରଥମ ୩ଟି ଦସ୍ତଖତରେ ମାଗଣା ବିଜୁଳି, ସମସ୍ତଙ୍କୁ ବିଏସକେୱାଇ ଓ ମିଶନ ଶକ୍ତି ମା’ଙ୍କୁ ଭତ୍ତା ପ୍ରଦାନ ନେଇ ମୋହର ମାରିବେ । ମାଗଣା ବିଜୁଳି କଥା ଶୁଣିକି ବିଜେପି ନେତାଙ୍କୁ କରେଣ୍ଟ ଲାଗୁଛି । ବିଜେପି ନେତାଙ୍କର ମିଛ କହିବାର ସୀମା ଟପିଗଲାଣି । ବ୍ରହ୍ମଗିରିର ବିକାଶ ପାଇଁ ବିଜେଡି ପ୍ରାର୍ଥୀ ଉମା ସାମନ୍ତରାୟଙ୍କୁ ଭରସା କରନ୍ତୁ, ସେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ କେମିତି କାମ ଅଣାଯାଏ ତାହା ଜାଣିଛନ୍ତି । ଯୁବପୀଢିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବଜେଟ ଆଣିବାକୁ ଯାଉଛନ୍ତି  ।ଯାହା ଦେଶରେ ଅନ୍ୟ କୌଣସି ରାଜ୍ୟରେ ହୋଇନି । ପ୍ରତିବର୍ଷ ୧୦ ହଜାର କୋଟି ଏହି ବଜେଟରେ ବ୍ୟୟବରାଦ ରହିବ । ଯାହା ଜରିଆରେ ଯୁବକଙ୍କୁ ଦକ୍ଷ କରିବା ସହ ସେମାନଙ୍କୁ ରୋଜଗାର ଦେବାରେ ସହାୟକ ହେବ । ଏଭଳି ବ୍ୟବସ୍ଥା ଅନ୍ୟ କୌଣସି ସରକାର ଆଣୁନାହାନ୍ତି । ସେହିଭଳି ୧୦୦୦ କୋଟିର ଅନ୍ୟ ଏକ ବଜେଟ ଆଣିବେ ସରକାର । ଯେଉଁଥିରେ କଲେଜ ଛାତ୍ରଛାତ୍ରୀ ସ୍ଥିର କରିବେ ଏହି ଅର୍ଥ କେଉଁ କ୍ଷେତ୍ରରେ ବିନିଯୋଗ ହେବ । ସମସ୍ତ କଲେଜ ଛାତ୍ରଛାତ୍ରୀଙ୍କୁ ନୂଆ-ଓରେ ବୃତ୍ତି ମିଳିବ । ଛାତ୍ରମାନଙ୍କୁ ୧୨ ହଜାର ଓ ଛାତ୍ରୀମାନଙ୍କୁ ୧୪ ହଜାର ଟଙ୍କାର ଛାତ୍ରବୃତ୍ତି ମିଳିବ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ମୁଣ୍ଡ ଉପରୁ ଆର୍ଥିକ ବୋଝ ହାଲୁକା କରୁଥିବା ବେଳେ ବିଜେପି ସରକାର ଏଲପିଜି ଦର, ପେଟ୍ରୋଲ ଦରରେ ବୃଦ୍ଧି କରି ସାଧାରଣ ଲୋକଙ୍କ ମୁଣ୍ଡରେ ବୋଝ ଲଦୁଛି । ତେଣୁ ଏହି ବୋଝରୁ ମୁକୁଳିବାକୁ ହେଲେ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଛନ୍ତି ଭିକେ ପାଣ୍ଡିଆନ ।