ଦିନେ ଥିଲା କଂଗ୍ରେସ ଗଡ଼, ଏବେ ଅମାନତ ହରାଇଲେ ପ୍ରାର୍ଥୀ । ଝାରସୁଗୁଡ଼ାରେ ଦୟନୀୟ ପ୍ରଦର୍ଶନ ପରେ ଉଠିଲା ପ୍ରଶ୍ନ । କୁଆଡେ ଗଲା ଦଳର ପାରମ୍ପରିକ ଭୋଟ ?

779

କନକ ବ୍ୟୁରୋ: ଝାରସୁଗୁଡ଼ା ନିର୍ବାଚନ ଫଳାଫଳର ତର୍ଜମା ଭିତରେ ପ୍ରଶ୍ନ ହେଉଛି କୁଆଡ଼େ ଗଲା କଂଗ୍ରେସ ଭୋଟ୍? ଏକଦା କଂଗ୍ରେସର ଗଡ଼ ଥିବା ଝାରସୁଗୁଡ଼ାରେ ଏକ ପ୍ରକାର ନିଶ୍ଚିହ୍ନ ହେବାକୁ ବସିଲାଣି କଂଗ୍ରେସ । ଯେଉଁ ବିଧାନସଭା ଆସନରେ ହଜାର ହଜାର ଭୋଟ୍ ବ୍ୟବଧାନରେ କଂଗ୍ରେସ ବିଜୟୀ ହେଉଥିଲା ସେହି ଆସନରେ ଏବେ ୫ ହଜାର ଭୋଟ୍ ପାଇବା ପାଇଁ ଦଳକୁ ସଂଘର୍ଷ କରିବାକୁ ପଡ଼ୁଛି । ବଡ଼ କଥା ହେଉଛି, ଆଉ କିଛି ମାସ ପରେ ଯେତେବେଳେ ସାଧାରଣ ନିର୍ବାଚନ ହେବାକୁ ଯାଉଛି, ଠିକ୍ ପୂର୍ବରୁ କଂଗ୍ରେସ ଦଳର ପରିଣାମ ଦଳୀୟନେତାଙ୍କୁ ଚିନ୍ତାରେ ପକାଇଛି ।

  • କୁଆଡ଼େ ଗଲା କଂଗ୍ରେସ ଭୋଟ୍?
  • କାହିଁକି ଭୁଷୁଡ଼ି ଗଲା କଂଗ୍ରେସ ଗଡ଼?

କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇଥିବାବେଳେ ତରୁଣ ପାଣ୍ଡେଙ୍କୁ ମିଳିଛି ମାତ୍ର ୪ ହଜାର ୪୯୬ ଭୋଟ୍ । ଗତ ନିର୍ବାଚନ ତୁଳନାରେ କଂଗ୍ରେସକୁ ୧୪ ହଜାର ୩୨୭ ଭୋଟ୍ କମ୍ ମିଳିଛି । ୧୯୭୧ ମସିହାରୁ ୧୨ଟି ବିଧାନସଭା ନିର୍ବାଚନ ଦେଖିଛି ଝାରସୁଗୁଡ଼ା । ଏଥିରୁ ୮ଥର କଂଗ୍ରେସ ଦଳ ବିଜୟୀ ହୋଇଛି । ଝାରସୁଗୁଡ଼ାରୁ ସର୍ବାଧିକ ଥର ବିଜୟୀ ହୋଇଥିବା ଦଳ ହେଉଛି କଂଗ୍ରେସ । ବିଜେପି-ବିଜେଡି ମେଣ୍ଟ ଥିବା ସମୟରେ ବି କଂଗ୍ରେସ କଡ଼ା ଟକ୍କର ଦେଇ ଆସୁଥିଲା । ହେଲେ ନବ ଦାସ କଂଗ୍ରେସ ଛାଡ଼ିବା ପରେ ଯେମିତି କଂଗ୍ରେସର ଝାରସୁଗୁଡ଼ା ଗଡ଼ ଯେମିତି ଭୁଷୁଡ଼ି ପଡ଼ିଛି ।

ଏପଟେ ବିଜେପି ଅଭିଯୋଗ କରିଛି-‘କଂଗ୍ରେସ ଭୋଟ୍ ବିକ୍ରି ହୋଇଯାଉଛି’ । ବିଜେଡି କହିଛି-କଂଗ୍ରେସ ନିଜ ଭୋଟ୍ ରଖିବାକୁ ସକ୍ଷମ ହେଉନାହିଁ । ଜବାବରେ କଂଗ୍ରେସ କହିଛି-‘ସରକାରୀ କଳ ଓ ଅର୍ଥବଳର ପରିଣାମ’ । ତେବେ ରାଜନୀତିର ଏହି ବୟାନବାଜି ଭିତରେ ବେଳ ଥାଉଁଥାଉଁ କଂଗ୍ରେସ ସତର୍କ ନହଲେ, ୨୪ ଲଢ଼େଇ ଆହୁରି କଷ୍ଟ ହୋଇଯିବ ।