ବିନା ମିଟରରେ ଚାଲୁଛି ଅଟୋ, ଯାତ୍ରୀଙ୍କୁ ମନଇଚ୍ଛା ଲୁଟୁଛନ୍ତି ଅଟୋ ଚାଳକ ।  ପାଟିରୁ ଯେତିକି ଭଡା ବାହାରୁଛି, ଯାତ୍ରୀଙ୍କୁ ସେତିକି ଟଙ୍କା ଗଣିବାକୁ ପଡୁଛି । 

103

କନକ ବ୍ୟୁରୋ : କଟକ ସହର‌ର ଭିତରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିବା ବ୍ୟକ୍ତି ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସାଧାରଣ ଯାତ୍ରୀ ସେବା ବ୍ୟବସ୍ଥା ତ ସହର ଭିତରେ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନ୍ୟପଟେ ଅଟୋ ଚଳାଚଳ ବ୍ୟବସ୍ଥାକୁ ପୁଲିସ-ପ୍ରଶାସନ ବ୍ୟବସ୍ଥିତ କରୁ ନଥିବାରୁ ସାଧାରଣ ଯାତ୍ରୀ ଶୋଷଣର ଶିକାର ହେଉଛନ୍ତି। ଯେଉଁଠି ୨୦ ଟଙ୍କା ଖର୍ଚ୍ଚ ହେବା କଥା ସେଠି ସେମାନେ ଶହେ ଟଙ୍କା ଗଣୁଛନ୍ତି। ଏସବୁ ଜାଣି ବି ପୁଲିସ ପ୍ରଶାସନ ଚୁପ୍ କାହିଁକି, ତାହାକୁ ନେଇ ଏବେ ବିଭିନ୍ନ ମହଲରୁ ପ୍ରଶ୍ନ ଉଠୁଛି। ମାତ୍ର କିଛି ବର୍ଷ ପୂର୍ବରୁ ସହରରେ ରିକ୍ସା, ଟାଉନ ବସ୍ (ଉଭୟ ସରକାରୀ ଓ ବେସରକାରୀ) ଥିଲା ଗମନାଗମନର ମୁଖ୍ୟ ମାଧ୍ୟମ। ଧୀରେଧୀରେ ରିକ୍ସା ସହରରୁ ନିଶ୍ଚିହ୍ନ ହେବାକୁ ବସିଥିବା ବେଳେ ପୂର୍ବ ଟାଉନ ବସ୍ ସେବା ଆଉ ନାହିଁ। ଏବେ ସରକାର ଯେଉଁ ମୋ’ ବସ୍ ସେବା ଆରମ୍ଭ କରିଛନ୍ତି ତାହା ବାଦାମବାଡି, ଲିଙ୍କରୋଡ୍, ଓଏମପି, ସିଡିଏ, ଜଗତପୁର ଓ ମହାନଦୀ ବିହାର ଭଳି କେତେକ ପ୍ରମୁଖ ସ୍ଥାନକୁ ଯିବା ଆସିବା କରୁଛି। ଏହା ସହରବାସୀଙ୍କ ପାଇଁ ଆଦୌ ପର୍ଯ୍ୟାପ୍ତ ନୁହେଁ। ଏଭଳି ସ୍ଥିତିରେ ଘରୋଇ ଅଟୋ ସେବା ଉପରେ ପ୍ରାୟ ସମସ୍ତେ ନିର୍ଭରଶୀଳ। କିନ୍ତୁ ସହରର ସବୁ ଅଞ୍ଚଳକୁ ସେୟାର ଅଟୋ ସେବା ନାହିଁ। ସେୟାର ଅଟୋ ସେବା ତ ନାହିଁ, ଅନ୍ୟପଟେ ଅଟୋରେ ବି ମିଟର ବ୍ୟବସ୍ଥା ନାହିଁ। ଏଭଳି ସ୍ଥିତିରେ ସେୟାର ଅଟୋରେ ମାତ୍ର ଦେଢ ବା ଦୁଇ କିଲୋମିଟର ରାସ୍ତା ପାଇଁ ୨୦ ଟଙ୍କା ଭଡ଼ା ନିଆ ଯାଉଥିବା ଅଟୋ ରିଜର୍ଭ କଲେ ୧/୨ କି.ମି. ରାସ୍ତା ପାଇଁ ବି ଶହେ ଟଙ୍କା ଭଡ଼ା ଦେବାକୁ ପଡୁଛି।

ଯଦି ହସ୍ପିଟାଲ ଓ ରେଳ ଷ୍ଟେସନ ପାଇଁ ଅଟୋ ଭଡା କରିବେ ତେବେ ସମୟ ଆଉ ସ୍ଥିତି ଅନୁଯାୟୀ ଅଟୋ ଚାଳକଙ୍କ ପାଟିରୁ ବାହାରୁଥିବା ଭଡା ଅନୁଯାୟୀ ଦେବାକୁ ପଡିବ। ଏଥି ପାଇଁ କିଛି ନୀତି ନିୟମ ନାହିଁ। ଏଭଳି ସ୍ଥିତିରେ ସାଧାରଣ ଯାତ୍ରୀ ସିଧାସଳଖ ଶୋଷଣର ଶିକାର ହେଉଛନ୍ତି। ବରିଷ୍ଠ ନାଗରିକ, ମହିଳା, ଛାତ୍ରଛାତ୍ରୀ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। କଟକ ସହରକୁ ଡାକ୍ତରୀ ଚିକିତ୍ସା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଲୋକଙ୍କ ଅବସ୍ଥା ଏ କ୍ଷେତ୍ରରେ ଅଧିକ ସଙ୍ଗୀନ।

ରାଜ୍ୟର ସବୁ ପ୍ରମୁଖ ସହରରେ ରିହାତି ମୂଲ୍ୟର ସିଟି ବସ୍ ସେବା ରହିଛି। ପ୍ରାୟ ସବୁ ପ୍ରମୁଖ ସହରରେ ମିଟର ଯୁକ୍ତ ଅଟୋ ସେବା ବ୍ୟବସ୍ଥା ରହିଛି। ଫଳରେ ଗୋଟିଏ କିଲୋମିଟର ପାଇଁ ଯାତ୍ରୀଙ୍କୁ ହାରାହାରି ଭାବେ ଅଟୋ ଭଡ଼ା ୨୦ ଟଙ୍କା ଦେବାକୁ ପଡୁଛି। ମିଟରଯୁକ୍ତ ଅଟୋ ସେବା ଉପରେ ଅନ୍ୟ ସହରରେ ପୁଲିସ ପ୍ରଶାସନର କଡା ନଜର ରହିବା ସହିତ ଖିଲାପୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି।

କମିସନରରେଟ୍ ପୁଲିସ ଅଟୋ ଚଳାଚଳ ଶୃଙ୍ଖଳିତ କରିବା ପାଇଁ କିଛି ବର୍ଷ ପୂର୍ବରୁ କେତେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରି ସଫଳ ହୋଇଥିଲା। କିନ୍ତୁ ଅଟୋରେ ମିଟର ବାଧ୍ୟତାମୂଳକ ପ୍ରସଂଗକୁ ପୁଲିସ ପ୍ରଶାସନ କାହିଁକି ଏଡ଼ାଇ ଚାଲିଛି ତାହା ଏବେ ସମାଲୋଚନାର ପ୍ରସଙ୍ଗ ହୋଇଛି। ଟ୍ରାଫିକ ପରିଚଳାନା କମିଟି (ଟିଏମସି) ସଦସ୍ୟ ଆଇନଜୀବୀ ଜୟଦୀପ ପାଲ କହିଛନ୍ତି ଯେ ଅଟୋରେ ମିଟର ବାଧ୍ୟତାମୂଳକ ପ୍ରସଂଗରେ ଅତୀତରେ ୨୦୧୮ରୁ ବିଭିନ୍ନ ବୈଠକରେ ଆଲୋଚନା କରାଯାଇଛି। ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ। କିନ୍ତୁ ଏହି ପ୍ରସଂଗରେ ‌ଏ ପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନାହିଁ। ଟିଏମସି ପରବର୍ତ୍ତୀ ବୈଠକ‌ରେ ଏହି ପ୍ରସଂଗରେ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଟିଏମସିର ସଦସ୍ୟ ଥିବା ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆ କହିଛନ୍ତି ଯେ ଅଟୋରେ ମିଟର ବାଧ୍ୟତାମୂଳକ କରାଯିବା ଉଚିତ। ଏହି ପ୍ରସଂଗରେ ଟିଏମସି ବୈଠକରେ ଅନେକ ଥର ଆଲୋଚନା ବି ହୋଇଛି। କିନ୍ତୁ କିଛି ନିଷ୍ପତ୍ତି ବା ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏବେ ଟିଏମସି ବୈଠକ ନିୟମିତ ବସୁ ନାହିଁ। ଫଳରେ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପ୍ରସଂଗରେ ଆଲୋଚନା ହୋଇ ପାରୁ ନାହିଁ ବୋଲି ଅରୁଣ କୁମାର ବୁଦ୍ଧିଆ କହିଛନ୍ତି।