ଭିଆଇପି ଓ ଭିଭିଆଇପି କାଟାଗୋରୀ ମଧ୍ୟରେ କଣ ରହିଛି ଫରକ । କେଉଁ ଆଧାରରେ ମିଳିଥାଏ ଭିଆଇପି ଓ ଭିଭିଆଇପି କାଟାଗୋରୀ

VIP ଓ VVIP ବ୍ୟକ୍ତି ମଧ୍ୟରେ ଫରକ କଣ ?

148

କନକ ବ୍ୟୁରୋ : ଛୋଟବେଳୁ ଆପଣ ଏମିତି ଏକ ଶବ୍ଦ ନିଶ୍ଚୟ ଶୁଣିଥିବେ ଯେଉଁଥିପାଇଁ ସମ୍ମାନ କିମ୍ବା ଗର୍ବ ଅନୁଭବ ହେବା ସହ ସେପରି ବଞ୍ଚିବାକୁ ଇଚ୍ଛା ମଧ୍ୟ ହୋଇଥାଏ । ସମାଜରେ ଏଥିପାଇଁ ମିଳିଥାଏ ଅନେକ ସମ୍ମାନ । ଏବଂ ମୌଳିକ ସ୍ତରରେ ଅନେକ ସୁବିଧା ସୁଯୋଗ ମିଳିଥାଏ । ସେହି ଶବ୍ଦଟି ହେଉଛି VIP ଏବଂ VVIP । ଯେତେବେଳେ ଆଖି ସାମ୍ନାକୁ ଏହି ଶ୍ରେଣୀରେ ଅର୍ନ୍ତଭୁକ୍ତ ଲୋକମାନେ , ଆସନ୍ତି ସେତେବେଳେ ସେମାନଙ୍କ ପାଇଁ ଅନେକ ସୁରକ୍ଷା କର୍ମୀ ତଥା ଉଚ୍ଚକୋଟୀର ବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳେ । ଏହି ଶ୍ରେଣୀର ଲୋକମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ସେମାନଙ୍କୁ ଭିନ୍ନ ଢଙ୍ଗରେ ବ୍ୟବହାର କରାଯାଇଥାଏ । ଆପଣ ନିଶ୍ଚିତ ଭାବେ ଏହି ଦୁଇଟି ଶବ୍ଦ ଶୁଣିଥିବେ । ଏହି ଶ୍ରେଣୀର ଲୋକମାନଙ୍କୁ ସମସ୍ତ ଉନ୍ନତ ଧରଣର ସୁବିଧା ଯୋଗ।ଇ ଦିଆଯାଇଥାଏ । ତେବେ ଏହି ଦୁଇଟି ଶବ୍ଦ ଏକାପରି ଲାଗୁଥିଲେ ମଧ୍ୟ ଏହା ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ । କଣ ରହିଛି ଏହି ଦୁଇଟି ଶବ୍ଦ ମଧ୍ୟରେ ପାର୍ଥକ୍ୟ? ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

ଭିଆଇପି କହିଲେ ସାଧାରଣତଃ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ଏବଂ ଭିଭିଆଇପି କହିଲେ ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ବୁଝାଯାଇଥାଏ । ଏହି ସର୍ଟ ଫର୍ମ ସେହି ବ୍ୟକ୍ତିମାନଙ୍କଠାରେ ବ୍ୟବହାର କରାଯାଇଥାଏ, ଯେଉଁମାନେ ସାଧାରଣ ପୁରୁଷ କିମ୍ବା ମହିଳା ମାନଙ୍କଠାରୁ ଭିନ୍ନ କିଛି ସୁବିଧା ପାଇଥାନ୍ତି । ଏବଂ ସେମାନଙ୍କ ପାଇଁ ସରକାରୀ ସ୍ତରରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ରହିଥାଏ । ସାଧାରଣ ବ୍ୟକ୍ତିଙ୍କ ଅପେକ୍ଷା ଭିଆଇପି ଅଧିକ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିବା ବେଳେ ଭିଭିଆଇପି ଲୋକଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ଭିଭିଆଇପି ମାନଙ୍କୁ ଭିଆଇପି ମାନଙ୍କ ତୁଳନାରେ ଅଧିକ ସୁବିଧା ଦିଆଯାଇଥାଏ ।
ତେବେ ଆମ ଦେଶରେ କେଉଁ ମାନଙ୍କୁ ଭିଆଇପି ଏବଂ ଭିଭିଆଇପି ବ୍ୟକ୍ତି ଭାବରେ ବିବେଚିତ କରାଯାଏ? ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳ, ଲେଫ୍ଟନାଣ୍ଟ ଗଭର୍ଣ୍ଣର, ରାଜ୍ୟସଭା, ଲୋକସଭା ଏବଂ ବିଧାନସଭାଗୁଡିକର ବକ୍ତାଗଣ, ସଂସଦର ସଦସ୍ୟ, ଆଇଏଏସ୍, ଆଇପିଏସ୍ ଅଧିକାରୀଙ୍କ ସମେତ ବିଦେଶରୁ ଆସିଥିବା ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ ଏହି ତାଲିକାରେ ଅର୍ନ୍ତଭୁକ୍ତ କରାଯାଇଛି    । ଏହାବ୍ୟତୀତ ମ୍ୟୁନିସିପାଲଟି କାଉନସିଲ୍, ବିଭିନ୍ନ ରାଜନୈତିକ ଦଳର ନେତା, ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତି ପ୍ରମୁଖଙ୍କୁ ମଧ୍ୟ ଏହି ଭିଆଇପି ଏବଂ ଭିଭିଆଇପି କାଟାଗୋରୀରେ ଅର୍ନ୍ତଭୁକ୍ତ କରାଯାଇଥାଏ ।

ଏହି ଶ୍ରେଣୀରେ ଅର୍ନ୍ତଭୁକ୍ତ ଥିବା ଲୋକମାନଙ୍କ ପାଇଁ ସୁରକ୍ଷା ବଳୟକୁ ବେଶ୍ କଡାକଡି କରାଯାଇଥାଏ । ଭିଆଇପି ବ୍ୟକ୍ତି ମାନଙ୍କ ତୁଳନାରେ ଭିଭିଆଇପି ବ୍ୟକ୍ତି ମାନଙ୍କୁ ଅଧିକ ଅଙ୍ଗରକ୍ଷୀ ଯୋଗାଇ ଦିଆଯାଇଥାଏ । ଏହାବ୍ୟତୀତ ବିଭିନ୍ନ କାର୍ଯ୍ୟକ୍ରମରେ ଭିଆଇପିଙ୍କୁ ତୁଳନାରେ ଭିଭିଆଇପି ମାନଙ୍କ ସଂଖ୍ୟା ଅଧିକ ରଖାଯାଇଥାଏ । ଏହି ଶ୍ରେଣୀର ଲୋକମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରୋଟୋକୋଲ୍ ମଧ୍ୟ ରଖାଯାଇଥାଏ । ଆପଣମାନେ ନିଶ୍ଚୟ ଦେଖିଥିବେ କି ଭିଆଇପି ଏବଂ ଭିଭିଆଇପି ଲୋକମାନଙ୍କ ପାଇଁ ସ୍ୱତନ୍ତ୍ର ଅଙ୍ଗରକ୍ଷୀ ଦିଆଯାଇଥାଏ । ତେବେ କେଉଁମାନେ କରିଥାନ୍ତି ଏହି ଶ୍ରେଣୀର ଲୋକମାନଙ୍କ ସୁରକ୍ଷା?

ଭିଭିଆଇପି ବ୍ୟକ୍ତି ମାନଙ୍କ ସୁରକ୍ଷା ସହ ଜଡିତ ସମସ୍ତ ନିଷ୍ପତ୍ତି ଇଣ୍ଟେଲିଜେନ୍ସ ବ୍ୟୁରୋ ଅଧିକାରୀ, ଗୃହ ସଚିବ ଏବଂ ଗୃହମନ୍ତ୍ରୀଙ୍କୁ ନେଇ ଗଠିତ ଏକ କମିଟି ଦ୍ୱାରା ନିଆଯାଇଥାଏ । ବେଳେ ବେଳେ ରାଜ୍ୟ ସରକାରଙ୍କ ସୁପାରିଶ ଆଧାରରେ ମଧ୍ୟ ଭିଭିଆଇପି ବ୍ୟକ୍ତିମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥାଏ । ଭାରତରେ ଭିଆଇପି ସ୍ଥିତି ସେହି ବ୍ୟକ୍ତିଙ୍କୁ ଦିଆଯାଇଥିବା ସଶସ୍ତ୍ର ସୁରକ୍ଷା କର୍ମଚାରୀଙ୍କ ସଂଖ୍ୟା ଆଧାରରେ ମୂଲ୍ୟାଙ୍କନ କରାଯାଏ, ଯାହାକି ୨ରୁ ୪୦ ପର୍ଯ୍ୟନ୍ତ ହୋଇଥାଏ । ଆମ ଦେଶରେ ଭିଭିଆଇପି ବ୍ୟକ୍ତିମାନଙ୍କୁ ଏସପିଜି ଏବଂ ଏନ୍ଏସ୍ଜି ସୁରକ୍ଷା ପ୍ରଦାନ କରାଯାଉଥିବା ବେଳେ Z+ ବର୍ଗ ଭିଆଇପି ବ୍ୟକ୍ତିମାନଙ୍କୁ NSG ସୁରକ୍ଷା ପ୍ରଦାନ କରାଯାଇଥାଏ । ଭାରତର ପ୍ରଧାନମନ୍ତ୍ରୀଙ୍କୁ ଏସପିଜି ସୁରକ୍ଷା ଦିଆଯାଇଛି ଏହାର ଅର୍ଥ ଏହି ସୁରକ୍ଷାକର୍ମୀ ମାନେ ପ୍ରଧାନମନ୍ତ୍ରୀମାନଙ୍କୁ ୨୪ଘଣ୍ଟା ସୁରକ୍ଷା ଯୋଗାଇଥାନ୍ତି ।