ପଞ୍ଜାବ ଲୁଧିଆନାରେ ବିଷାକ୍ତ ଗ୍ୟାସ୍ ଲିକ୍, ୧୧ ଜଣଙ୍କର ମୃତ୍ୟୁ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗ୍ୟାସ୍ ସଂସ୍ପର୍ଶରେ ଆସିଲେ ଶରୀର ପଡିଯାଉଛି ନୀଳ ।

160

କନକ ବ୍ୟୁରୋ : ପଞ୍ଜାବର ଲୁଧିଆନାରେ ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ସେହିଭଳି ଏହି ଘଟଣାରେ ଅନେକ ଲୋକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସେମାନଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି । ଅନେକ ଲୋକ ବିଷାକ୍ତ ଗ୍ୟାସ୍ ପ୍ରଭାବରେ ଆସି ଚେତା ହରାଉଛନ୍ତି । ଏହି ଘଟଣାକୁ ଦୃଷ୍ଟିରେ ରଖି ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଘଟଣାସ୍ଥଳକୁ ପୂରା ସିଲ୍ କରାଯାଇଛି । ଗୁରୁତରଙ୍କୁ ହସ୍ପିଟାଲ ସ୍ତାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ରବିବାର ସକାଳ ସାଢ଼େ ୭ଟା ପାଖାପାଖି ସ୍ଥାନୀୟ ଅଂଚଳରେ ଥିବା ଏକ ଫ୍ରାକ୍ଟ୍ରିରୁ ଏହି ଗ୍ୟାସ ଲିକ୍ ହୋଇଥିଲା । ଯେଉଁଥିରେ କିଛି ଲୋକେ ଚେତାଶୂନ୍ୟ ହୋଇପଡ଼ିଥିଲେ । ସେପଟେ ଘଟଣାକୁ ନେଇ ଦୁଃଖ ପ୍୍ରକାଶ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭବୱନ୍ତ ସିଂ ମାନ୍ । କହିଛନ୍ତି, ପୂରା ଘଟଣା ଉପରେ ନଜର ରଖାଯାଇଛି । ମୃତକ ଓ ଆହତଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପୋଲିସ ଡ୍ରୋନ ସାହାଯ୍ୟରେ ଛାତ ଉପରେ ଗ୍ୟାସ ଉପରେ କେହି ଚେତାଶୂନ୍ୟ ହୋଇ ପଡିଛନ୍ତି କି ନାହିଁ ତାହା ଦେଖୁଛି । ତେବେ ଗ୍ୟାସ୍ ଲିକ୍ ହେବା ପରେ ଲୋକେ ତୁରନ୍ତ ଏହି ସ୍ଥାନ ଛାଡି ଦେଇଥିଲେ । କିନ୍ତୁ କିଛି ଲୋକ ଏହି ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି । ତେବେ କେଉଁ ଗ୍ୟାସ୍ ଲିକ୍ ହୋଇଛି ତାହା ଏଯାଏଁ ଜଣାପଡିନାହିଁ । ତେବେ ବିଶେଷଜ୍ଞ ଟିମ ଏହାର ଯାଞ୍ଚ କରୁଛି । ଯାଞ୍ଚ ପରେ ସ୍ପଷ୍ଟ ହେବ ଯେ, କେଉଁ ଗ୍ୟାସ୍ କାରଣରୁ ଏଭଳି ସ୍ଥିତି ଉପୁଜିଛି । ଏବେ ଉକ୍ତ ଘଟଣାସ୍ଥଳକୁ ଯିବାକୁ କାହାକୁ ଅନୁମତି ନାହିଁ । ଘଟଣାସ୍ଥଳରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏହି ଗ୍ୟାସ୍ ସଂସ୍ପର୍ଶରେ ଆସିବା କାରଣରୁ ଶରୀର ପୂରା ନୀଳ ପଡିଯାଉଛି । ତେଣୁ ଏହା ଅତି ମାରାତ୍ମକ ଗ୍ୟାସ୍ ବୋଲି କୁହାଯାଉଛି ।