ସତ ହେଲା କନକ ନ୍ୟୁଜର ଆକଳନ ! ଗ୍ରୀଷ୍ମରେ ଶୁଖିଗଲା ଇବ୍ ନଦୀ; ସୁନ୍ଦରଗଡ ସହରକୁ ଜଳ ଯୋଗାଣ ବନ୍ଦ କରିଛି ପିଏଚଡି

740

କନକ ବ୍ୟୁରୋ : ସତ ହେଲା କନକ ନ୍ୟୁଜର ଆକଳନ ! ଗ୍ରୀଷ୍ମରେ ଶୁଖିଗଲା ଇବ୍ ନଦୀ । ନଦୀରେ ପାଣି ନଥିବାରୁ ସୁନ୍ଦରଗଡ ସହରକୁ ଜଳ ଯୋଗାଣ ବନ୍ଦ କରିଛି ପିଏଚଡି । ଛତିଶଗଡର ଷଡଯନ୍ତ୍ର ଓ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଦଶା ଭୋଗୁଛନ୍ତି ଲୋକେ । ଇବନଦୀର ଉପରମୁଣ୍ଡ ସମଡମା, ବେନେ ଠାରେ ବ୍ୟାରେଜ୍ କରି ଇବ୍ ନଦୀର ପାଣିକୁ ଅଟକାଇ ଦେଇଛି ଛତିଶଗଡ । ଏହାସହ ଗୁଲ୍ଲୁ ଠାରେ ହାଇଡ୍ରୋ ପାୱାର ପ୍ରୋଜେକ୍ଟ କରି ନଦୀର ଗତିପଥକୁ ପରିବର୍ତ୍ତନ କରିଦେଇଛି । ତେଣୁ ଇବ୍ ନଦୀରେ ଧାରେ ଧାରେ ପାଣି ପ୍ରବାହିତ ହେଉଥିଲା ।

ସେଥିରେ ସୁନ୍ଦରଗଡ ସହରବାସୀଙ୍କ ଶୋଷ ମେଣ୍ଟୁଥିଲା । ହେଲେ ବର୍ତମାନର ପ୍ରବଳ ଖରା ଯୋଗୁଁ ନଦୀ ପୁରା ଶୁଖିଲା ପଡିଛି । ନଦୀକୁ ଖୋଳି ଗୋଟିଏ ସ୍ଥାନରେ ପାଣିକୁ ସଞ୍ଚୟ କରି ଦୀର୍ଘ ମାସେ ହେଲା ସହରକୁ ପାଣି ଯୋଗଇ ଆସୁଥିଲା ପିଏଚଡି । ହେଲେ ଏବେ ଆଉ ତାହା ବି ସମ୍ଭବ ହେଉନାହିଁ । ଖରା ଯୋଗୁଁ ସଞ୍ଚୟ ପାଣି ଶୁଖି ଯାଇଛି । ଜଳସ୍ତର ତଳକୁ ପଳାଇବା ଯୋଗୁଁ ପାଇପ୍ ମାଧ୍ୟମରେ ଆଉ ଜଳ ଉଠାଯାଇପାରୁନାହିଁ କି ସହରରେ ଯୋଗାଇ ହେଉନାହିଁ । ତେବେ ଆଗାମୀ ୫ ଦିନ ମଧ୍ୟରେ ବର୍ଷା ନହେଲେ ସ୍ଥିତି ଭୟଙ୍କର ହୋଇଯିବ ବୋଲି କହିଛନ୍ତି ପିଏଚଡି ଅଧିକାରୀ ।