ପଶ୍ଚିମବଙ୍ଗରେ ଶିଶୁଙ୍କ ପାଇଁ କାଳ ସାଜିଛି ନୂଆ ଭାଇରସ ଏଡିନୋ । ୬ଶହରୁ ଉର୍ଦ୍ଧ ଶିଶୁ ସଂକ୍ରମିତ, ୮ଜଣଙ୍କ ମୃତ୍ୟୁକୁ ନେଇ ଚିନ୍ତାରେ ମମତା ସରକାର

201

କନକ ବ୍ୟୁରୋ : କରୋନା ପରେ ଏବେ ଏଡିନୋ ଭାଇରସ ପଶ୍ଚିମବଙ୍ଗରେ ହଇଚଇ ସୃଷ୍ଟି କରିଛି । ପିଲାଙ୍କ ମଧ୍ୟରେ ଏହି ଭାଇରସର ଲକ୍ଷଣ ଦେଖାଦେଉଥିବା ବେଳେ ସଂକ୍ରମଣ ମଧ୍ୟ ଦ୍ରୁତ ଗତିରେ ବଢିଚାଲିଛି । ରାଜଧାନୀ କୋଲକତା ସମେତ ପଶ୍ଚିମବଙ୍ଗର କେତେକ ଜିଲ୍ଲାରେ ଏଡିନୋ ଭାଇରସ୍ କାୟା ମେଳାଇଛି । ରବିବାର ୨ ଜଣ ଶିଶୁ ଏଥିରେ ସଂକ୍ରମିତ ହୋଇ ମୃତ୍ୟୁ ହେବା ପରେ ସଜାଗ ହୋଇପଡିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏନେଇ ନିର୍ଦ୍ଦେଶାବଳୀ ଜାରି ହୋଇଛି । ଭାଇରସରେ ଶିଶୁଙ୍କ ଠାରେ ଥଣ୍ଡା, ଜ୍ୱର, ଏବଂ ନିଶ୍ୱାସ ନେବାରେ ଅସୁବିଧା ହେବାର ଲକ୍ଷଣ ଦେଖାଦେଉଛି । ଯଦି ପିଲାକୁ ୩ରୁ ୫ ଦିନ ଜ୍ୱର ରହୁଛି, ତେବେ ତୁରନ୍ତ ହସ୍ପିଟାଲରେ ଭର୍ତି କରିବାକୁ କୁହାଯାଇଛି । ନିଶ୍ୱାସ ନେବାରେ ଅସୁବିଧା ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ପିଲାଙ୍କ ଠାରେ ଲକ୍ଷଣ ଦେଖାଗଲେ ସ୍କୁଲ ନ ପଠାଇବାକୁ କୁହାଯାଇଛି । ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ବ୍ଲଡ ଅକ୍ସିଜେନ ଲେବୁଲ ୯୨ ପ୍ରତିଶତରୁ କମ୍ ରହିଲେ, ତୁରନ୍ତ ହସ୍ପିଟାଲରେ ଭର୍ତି କରିବାକୁ ନିର୍ଦ୍ଦେଶାବଳୀ ଜାରି ହୋଇଛି । ଗତ ୨ ମାସ ମଧ୍ୟରେ ଏହି ଭୂତାଣୁରେ ୧୧ ଜଣ ଶିଶୁ ପ୍ରାଣ ହରାଇ ସାରିଲେଣି, ହେଲେ ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।