୨୪ଦିନ ପରେ ବି ସ୍ପଷ୍ଟ ହେଉନି ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ? ମାନସିକ ରୋଗରେ ପୀଡିତ ଥିବା ଚର୍ଚ୍ଚା ଭିତରେ କନକ ନ୍ୟୁଜ୍ ହାତରେ ଲାଗିଲା ସାଂଘାତିକ ତଥ୍ୟ

311

କନକ ବ୍ୟୁରୋ: ନବ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳକୁ ମାନସିକ ରୋଗୀ ବୋଲି କହି ଆସୁଛି କ୍ରାଇମବ୍ରାଞ୍ଚ । ହେଲେ କନକ ନ୍ୟୁଜ ହାତରେ ଯେଉଁ ତଥ୍ୟ ଲାଗିଛି ତାହା ଚମକାଇ ଦେଲା ଭଳି । ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରୁଥିବା ଡାକ୍ତରୀ ଟିମ୍ ସୂତ୍ରରୁ ଏହି ତଥ୍ୟ ଜଣାପଡିଛି । ଗୋପାଳ ତାର ରୋଗ ସଂପର୍କରେ ଯେତିକି କହିପାରୁନି ତା ଠାରୁ ଅଧିକ ସ୍ପଷ୍ଟ ଭାବରେ କହିପାରୁଛି ସେ ମନ୍ତ୍ରୀଙ୍କୁ ମାରିଲା କାହିଁକି । ଏପରିକି ନବଙ୍କୁ ହତ୍ୟା କରିବା ପୂର୍ବରୁ ସମଲେଶ୍ୱରୀ ମନ୍ଦିର ଯାଇ ଗୋପାଳ ଦର୍ଶନ କରିଥିଲା । ବୁଡ ପକାଇଥିଲା ଓ ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଶପଥ ନେଇଥିଲା ବୋଲି କ୍ରାଇମବ୍ରାଞ୍ଚ ତଦନ୍ତ ଦ୍ୱାରା ନିଯୁକ୍ତ ଡାକ୍ତରୀ ଦଳକୁ କହିଛି । ତେଣୁ ଯୋଜନାବଦ୍ଧ ଭାବେ ମନ୍ତ୍ରୀଙ୍କୁ ମାରିଥିବା ବ୍ୟକ୍ତିଙ୍କୁ ପାଗଳ କହିବା ଅମୂଳକ ବୋଲି ଏହି ଟିମ୍ କହିଛି ।

  • ‘ଗୋପାଳ ଆଦୌ ପାଗଳ ନୁହେଁ’
  • ‘ଗୋପାଳକୁ ପାଗଳ କହିିବା ଅମୂଳକ’
  • ‘ହତ୍ୟା ସମ୍ପର୍କରେ ଗୋପାଳକୁ ସବୁ ଜଣା’
  • ‘କିନ୍ତୁ ନିଜ ରୋଗ ସମ୍ପର୍କରେ ଜଣାନାହିଁ କେମିତି?’

ଗୋପାଳ ଦାସର ମାନସିକ ରୋଗର ଲମ୍ବା ଇତିହାସ ଥିବା କ୍ରାଇମବ୍ରାଞ୍ଚ କହି ଆସୁଥିବା ବେଳେ କନକ ନ୍ୟୁଜକୁ ବିଶ୍ୱସ୍ତ ସୂତ୍ରରୁ ଏଭଳି କିଛି ତଥ୍ୟ ମିଳିଛି, ଯାହା ସମସ୍ତଙ୍କୁ ଚମକାଇ ଦେବ । ଗୋପାଳ ପାଗଳ ନୁହେଁ ଏବଂ ତାଙ୍କୁ ପାଗଳ କହିବା ଅମୂଳକ । ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚ ନିୟୋଜିତ କରିଥିବା ଡାକ୍ତରୀ ଟିମର ଅନୁଧ୍ୟାନ ପରେ ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁୁ ଆସିଛି ।

ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ଏଏସଆଇ ଗୋପାଳ ଦାସ ଜଣେ ମାନସିକ ରୋଗୀ ଥିବା ଦାବି ହେବା ପରେ, ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ପହଞ୍ଚିଥିଲା ଡାକ୍ତରଙ୍କ ଏକ ବିଶେଷଜ୍ଞ ଦଳ । ୪ ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ, ଗୋପାଳକୁୁ ପାଖରେ ବସାଇ ତାର ରୋଗ ଏବଂ ଚିକିତ୍ସା ନେଇ ଆଲୋଚନା କରିଥିଲେ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗୋପାଳ ତା’ର ରୋଗ ସମ୍ପର୍କରେ ଯେତିକି ନିଦ୍ଦିଷ୍ଟ ଭାବେ କହିପାରୁନଥିଲା, ତାଠୁ ଅଧିକ ସ୍ପଷ୍ଟ ଭାବରେ କହିପାରୁଥିଲା, ମନ୍ତ୍ରୀଙ୍କୁ ମାରିଲା କାହିଁକି? ପୂର୍ବରୁ ଦୁଇ ଥର ହତ୍ୟା ପାଇଁ ପ୍ରୟାସ କରି ଫେଲ ମାରିଥିବାରୁ ଏଥର ଯେମିତି ହେଲେ ହତ୍ୟା କରିବା ପାଇଁ ମନସ୍ଥ କରିସାରିଥିଲା । ଯୋଜନାବଦ୍ଧ ଭାବେ ମନ୍ତ୍ରୀଙ୍କୁ ମାରିଥିବା ବ୍ୟକ୍ତିକୁ ପାଗଳ କହିବା ଅମୂଳକ ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନବଙ୍କୁ ହତ୍ୟା କରିବା ପାଇଁ ମା’ ସମଲେଶ୍ୱରୀଙ୍କ ନିକଟରେ ଶପଥ କରିଥିଲା ଗୋପାଳ । କେବଳ ସେତିକି ନୁହେଁ, ଗୁଳି ମାରିବା ପୂର୍ବରୁ ବୁଡ଼ ପକାଇ ସମଲେଶ୍ୱରୀଙ୍କ ଦର୍ଶନ କରିଥିଲା । ମାନସିକ ସ୍ଥିତିର ଯାଞ୍ଚ କରିଥିବା ଡାକ୍ତରୀ ଟିମକୁ ଗୋପାଳ ଦେଇଥିବା ବୟାନ ଅନୁସାରେ- ନବ ଦାସଙ୍କ ସହ ଗୋପାଳର ବଡ଼ ଧରଣର ଶତ୍ରୁତା ନଥିଲା । ଗୋପାଳ ଫାଣ୍ଡି ଡ୍ୟୁଟିରେ ଥିବା ବେଳେ ନବ ଦାସଙ୍କ ଟ୍ରକ୍ ଗଲେ ଅଟକାଉଥିବାରୁ ଏକାଧିକ ଥର ମନ୍ତ୍ରୀଙ୍କ ସହଯୋଗୀଙ୍କ ସହ ବଚସା ହୋଇଥିଲା । ଯାହାକୁ ନେଇ ବିବ୍ରତ ଥିଲା ଗୋପାଳ । ତେବେ ନବଙ୍କୁ ମାରିବା ପୂର୍ବରୁ ସମଲେଶ୍ୱରୀ ମନ୍ଦିର ଯାଇ ଗୋପାଳ ଦର୍ଶନ କରିଥିଲା ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ତେଣୁ ଏଠି ପ୍ରଶ୍ନ ଉଠୁଛି…

  • ଯୋଜନାବଦ୍ଧ ଭାବେ ହତ୍ୟା କରିପାରୁଥିବା ଲୋକକୁ ମାନସିକ ରୋଗୀ କିମ୍ବା ପାଗଳ କୁହାଯିବ କି?
  • ହତ୍ୟା ପାଇଁ ଶପଥ ନେଉଥିବା ବ୍ୟକ୍ତି ମାନସିକ ସନ୍ତୁଳନ ହରାଇ ଗୁଳି ମାରି ପାରିବ କି?
  • ସାମାନ୍ୟ ବଚସା କିମ୍ବା ଧମକ୍ ପାଇଁ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଜଣେ ଏଏସଆଇ ସାହସ କରିପାରିବ କି?

ଏସବୁ ଭିତରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜରେ କୁହାଯାଇଛି ଯେ, ଗୋପାଳର ମାନସିକ ଅସୁସ୍ଥତାର ଲମ୍ବା ଇତିହାସ ରହିଛି । ଏପଟେ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚ କରିଥିବା ଆବେଦନକୁ ଖାରଜ କରିଛନ୍ତି ଝାରସୁଗୁଡ଼ା ଜେଏମଏଫସି । ବେଙ୍ଗାଲୁରୁର ନିମହାନ୍ସ ଠାରେ ଗୋପାଳର ମାନସିକ ଅବସ୍ଥା ଯାଞ୍ଚ ପାଇଁ କୋର୍ଟଙ୍କୁ ଅନୁରୋଧ କରିଥିଲା କ୍ରାଇମବ୍ରାଞ୍ଚ । ତେବେ ଗୋପାଳର ଯାହା କିଛି ବି ପରୀକ୍ଷା ନିରୀକ୍ଷାର ଆବଶ୍ୟକତା ରହିଛି, ତାହା ଚୌଦ୍ୱାର ଜେଲରେ କରାଯାଉ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।