କ୍ରିକେଟର ପୃଥୀବୀ ସଙ୍କ ବିରୋଧରେ ଏତଲା ଦେଲେ ଇଂଟରନେଟ୍ ସେନସେସନ ସପନା ଗିଲ । ଗିରଫ ପରେ ସୋମବାର ଜାମିନ ପାଇଥିଲେ ସପନା

292

କନକ ବ୍ୟୁରୋ : କ୍ରିକେଟର ପୃଥ୍ୱୀ ସଙ୍କୁ ମାରପିଟ୍ ମାମଲା । ଗିରଫ ହୋଇଥିବା ଇଂଟରନେଟ୍ ସେନସେସନ୍ ସପନା ଗିଲଙ୍କୁ ଜାମିନ୍ ମିଳିଛି । ଜାମିନ୍ ମିଳିବା ପରେ ସପନା ଏବେ ପୃଥ୍ୱୀ ଓ ତାଙ୍କ ସାଙ୍ଗଙ୍କ ବିରୁଧରେ ପାଲଟା ଆକ୍ରମଣ ଅଭିଯୋଗ ଆଣିଛନ୍ତି । ଏନେଇ ମୁମ୍ବାଇ ପୋଲିସ ନିକଟରେ ସେ ମାମଲା ରୁଜୁ କରିଛନ୍ତି । ସପନାଙ୍କ ଅଭିଯୋଗ ମୁତାବିକ, ଘଟଣା ଦିନ ପୃଥ୍ୱୀ ତାଙ୍କ ସାଙ୍ଗକୁ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରୁଥିଲେ । ସପନା ନିଜ ବନ୍ଧୁଙ୍କ ବଞ୍ଚାଇବାକୁ ଯାଇଥିବା ବେଳେ ସେ ତାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିଥିବା କହିଛନ୍ତି । ସେଲଫି ପାଇଁ ପୃଥ୍ୱୀ ଶ’ ଙ୍କ ସହ ତାଙ୍କ ମାରପିଟ୍ ହୋଇଥିଲା । ସପନା ଓ ତାଙ୍କ ଗ୍ୟାଙ୍ଗ ମାରପିଟ୍ କରିଥିବା ନେଇ ଥାନାରେ ଏତଲା ଦେଇଥିଲେ ପୃଥ୍ୱୀ ଶ’ଙ୍କ ବନ୍ଧୁ ଆଶିଷ ସୁରେନ୍ଦ୍ର ଯାଦବ ।

ଫେବୃୟାରୀ ୧୫ ତାରିଖ ମୁମ୍ବାଇର ଏକ ପଂଚତାରକା ହୋଟେଲ ସାମ୍ନାରେ ଘଟିଥିଲା ଏହି ଆକ୍ରମଣ । ପୃଥ୍ୱୀ ଶ’ ତାଙ୍କ ବନ୍ଧୁଙ୍କ ସହ ହୋଟେଲକୁ ଡିନର ପାଇଁ ଆସିଥିଲେ । ଏତିକିବେଳେ ସପନା ଓ ତାଙ୍କ ଗ୍ୟାଙ୍ଗ ସେଲଫୀ ନେବାକୁ ଆସିଥିଲେ । ସପନା ପ୍ରଥମେ ସେଲଫୀ ନେଇଯିବା ପରେ ପୁଣିଥରେ ଆଉ କିଛି ବନ୍ଧୁଙ୍କ ସହ ଆସି ସେଲଫି ନେବାକୁ ଚାହିଁଥିଲେ । ହେଲେ କ୍ରିକେଟର ମନା କରିବାରୁ ଆକ୍ରମଣ କରିଥିଲେ ସପନାଙ୍କ ଗ୍ୟାଙ୍ଗ ।