ସମୁଦ୍ରରେ ଦାନା ବାନ୍ଧୁଛି ବାତ୍ୟା । ଆଜି ନେଇପାରେ ବାତ୍ୟାର ରୂପ । ୫ ତାରିଖ ପୂର୍ବାହ୍ନରେ ଆନ୍ଧ୍ର ପଟ ଦେଇ ଅତିକ୍ରମ ଆଶଙ୍କା । ଓଡ଼ିଶାରେ ବର୍ଷା ସମ୍ଭାବନା ।

988

କନକ ବ୍ୟୁରୋ: ବଙ୍ଗୋପସାଗରରେ ଦାନାବନ୍ଧୁଛି ବାତ୍ୟା ।ସୃଷ୍ଟ ଲଘୁଚାପ ଘନିଭୂତ ହୋଇ ଗଭୀର ଅବପାତର ରୂପ ନେବା ପରେ ପଶ୍ଚିମ ଓ ଉତର-ପଶ୍ଚିମ ଦିଗରେ ଗତି କରୁଛି । ଏହା ଆହୁରି ଘନିଭୂତ ହୋଇ ଆଜି ବାତ୍ୟାର ରୂପ ନେଇପାରେ । ଏହା ଆସନ୍ତାକାଲି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ତତ୍ସଂଲଗ୍ନ ଉତର ତାମିଲନାଡୁ ଉପକୂଳ ମୁହାଁ ହେବ ବୋଲି ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ଏହା ପରେ ଦକ୍ଷିଣ ଆନ୍ଧ୍ର ଉପକୂଳର ସମାନ୍ତରାଳ ଭାବେ ଉତର ଦିଗରେ ଗତି କରିବାର ଆଶଙ୍କା ରହିଛି । ୫ ତାରିଖ ପୂର୍ବାହ୍ନରେ ଆନ୍ଧ୍ର ଉପକୂଳର ନେଲୋର ଓ ମଛିଲିପଟନମ୍ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନ ଘଂଟା ପ୍ରତି ୧୦୦ କିଲୋମିଟର ବେଗର ଝଟକା ଦେଇପାରେ । ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳବର୍ତି ଅଂଚଳ ପାଇଁ ବାତ୍ୟା ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

ସମ୍ଭାବ୍ୟ ବାତ୍ୟା ପାଇଁ ୫୪ଟି ଟ୍ରେନ ବାତିଲ କରାଯାଇଛି । ୫ ତାରିଖ ପୂର୍ବାହ୍ଣରେ ଦକ୍ଷିଣ ଆନ୍ଧ୍ର ଉପକୂଳରେ ବାତ୍ୟା ମାଡ଼ ହେବା ଆଶଙ୍କା ଥିବାରୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରେଳସେବା ପ୍ରଭାବିତ ହେବ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଡୁଚେରୀ, ତାମିଲନାଡୁ, ଆନ୍ଧ୍ର, ଓଡ଼ିଶା, ପଶ୍ଚିମବଙ୍ଗ ଦେଇ ଯାଉଥିବା ଟ୍ରେନ ବାତିଲ କରିବାକୁ ନିଷ୍ପତି ନେଇଛି ରେଳ ବିଭାଗ । ଏ ନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବତଟ ରେଳବାଇ ଅଂଚଳରୁ ଯାତ୍ରା ଆରମ୍ଭ କରୁଥିବା ୧୨ଟି ଟ୍ରେନ୍ ବାତିଲ ହୋଇଥିବା ବେଳେ ଏହି ଅଂଚଳ ଦେଇ ଯାଉଥିବା ୪୨ଟି ଟ୍ରେନ୍ର ଚଳାଚଳ ପ୍ରଭାବିତ ହେବ । ପୁରୀ-ଚେନ୍ନାଇ ଏକ୍ସପ୍ରେସ, ଭୁବନେଶ୍ୱର-ତିରୁପତି ଓ ଭୁବନେଶ୍ୱର-ବାଙ୍ଗାଲୋର ଏକ୍ସପ୍ରେସ୍ ବାତିଲ କରାଯାଇଛି । ହାୱଡ଼ା-ଚେନ୍ନାଇ ଏକ୍ସ୍ରପ୍ରେସ୍, ସାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ହାୱଡ଼ା-ପୁଡୁଚେରୀ ଏକ୍ସପ୍ରେସ, ଭୁବନେଶ୍ୱର-ତିରୁପତି ଏକ୍ସପ୍ରେସ ଆଦି ବାତିଲ କରିବାକୁ ନିଷ୍ପତି ନିଆଯାଇଛି ।