ତେଲେଙ୍ଗାନାରେ ବିଆରଏସକୁ ପରାଜିତ କରିବ କଂଗ୍ରେସ ! ଏଗଜିଟ୍ ପୋଲ ରିପୋର୍ଟ ପରେ ହତାସ କେସିଆର

124

କନକ ବ୍ୟୁରୋ : ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ସରିଛି । ବାକି ରହିଛି ଫଳାଫଳ । ଫଳାଫଳ ଆସିବା ପୂର୍ବରୁ ଏଗଜିଟ୍ ପୋଲ ରିପୋର୍ଟ ସମସ୍ତଙ୍କ ନିଦ ହଜାଇ ଦେଇଛି । ଯଦି ଏଗଜିଟ୍ ପୋଲ ରିପୋର୍ଟ ସତ୍ୟ ହୁଏ ତେବେ ତେଲେଙ୍ଗାନାରେ ବିଆରଏସ ବା ଭାରତ ରାଷ୍ଟ୍ରସମିତି କ୍ଷମତଚ୍ୟୁତ ହେବାକୁ ଯାଉଛି ।

ଯଦି ଏଗଜିଟ୍ ପୋଲ ରିପୋର୍ଟକୁ ଦେଖିବା ତେବେ ମୋଟ ୧୧୯ ଆସନ: ଇଣ୍ଡିଆ ଟୁଡେ ସର୍ଭେ ମୁତାବକ ବିଆରଏସକୁ ୩୪-୪୪ , କଂଗ୍ରେସକୁ ୬୩-୭୩ ଓ ବିଜେପିକୁ ୪-୮ଟି ଆସନ ମିଳିବ । ପୋଲଷ୍ଟାର୍ଟ ରିପୋର୍ଟ ମୁତାବକ ବିଆରଏସକୁ ୪୮-୫୮, କଂଗ୍ରେସକୁ ୪୯-୫୬ ଓ ବିଜେପିକୁ ୫-୧୦ ଆସନ ମିଳିବ । ଅନ୍ୟପଟେ ଟୁଡେଜ ଚାଣକ୍ୟ ରିପୋର୍ଟ ମୁତାବକ ବିଆରଏସକୁ ୨୪-୪୨, କଂଗ୍ରେସକୁ ୬୨-୮୦ ଓ ବିଜେପିକୁ ୨-୧୨ ଆସନ ମିଳିବ । ମାଟ୍ରିଜର ରିପୋର୍ଟ ମୁତାବକ ବିଆରଏସକୁ ୪୬-୫୬, କଂଗ୍ରେସକୁ ୫୮-୬୮ ଓ ବିଜେପିକୁ ୪-୯ ଆସନ ମିଳିବ । ସେହିଭଳି ଜନ କି ବାତର ରିପୋର୍ଟ କହୁଛି ବିଆରଏସକୁ ୪୦-୫୫, କଂଗ୍ରେସକୁ ୪୮-୬୪ ଓ ବିଜେପିକୁ ୭-୧୩ ଆସନ ମିଳିପାରେ ।

ତେଲେଙ୍ଗାନା ରାଜ୍ୟ ଗଠନ ଠାରୁ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି କେସିଆର । ୨୦୧୮ରେ ଆଗୁଆ ବିଧାନସଭାକୁ ଭଙ୍ଗ କରି ୮୮ ଆସନ ସହ ଦ୍ୱିତୀୟ ଥର ସରକାର ଗଠନ କରିଥିଲା ଟିଆରଏସ । ଜାତୀୟ ରାଜନୀତିରେ ପ୍ରବେଶ ପାଇଁ ଟିଆରଏସର ନାମ ବଦଳାଇ ବିଆରଏସ କରିଥିଲେ କେସିଆର । ଯଦି ତୃତୀୟ ଥର ବିଆରଏସ ସଂଖ୍ୟା ଗରିଷ୍ଠତା ହାସଲ କରେ ତେବେ ଜାତୀୟ ରାଜନୀତିରେ କେସିଆରଙ୍କ ପ୍ରଭାବ ବଢିବ ବୋଲି ଆଲୋଚନା ହେଉଛି ।

ରାଜ୍ୟମାନଙ୍କରେ ବିଧାନସଭା ନିର୍ବାଚନ ହେଲେ ଆଞ୍ଚଳିକ ନେତାଙ୍କ ବ୍ୟତୀତ କେନ୍ଦ୍ରୀୟ ନେତାଙ୍କର ମଧ୍ୟ ପ୍ରଭାର ପଡିଥାଏ । ଏହି କ୍ରମରେ ବିଜେପି ସବୁବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦଳୀୟ ଚେହେରା ଭାବେ ଉପସ୍ଥାପନ କରିଥାଏ ଓ କଂଗ୍ରେସ ଭିନ୍ନ ଭିନ୍ନ କ୍ଷେତ୍ରରେ ରାହୁଲ ଗାନ୍ଧୀଙ୍କ ଚେହେରାକୁ ଭରସା କରେ । ଏହାକୁ ଯଦି ନଜର କରିବା ତେବେ ତେଲେଙ୍ଗାନା କ୍ଷେତ୍ରରେ ୨୦୧୪ରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ୩୩ ପ୍ରତିଶତ ଓ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ୧୯ ପ୍ରତିଶତ ଥିଲା । ହେଲେ ୨୦୧୯ ରେ ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ୩୯ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ୨୫ ପ୍ରତିଶତକୁ ବୃଦ୍ଧି ପାଇଥିଲା ।

ସେପଟେ ୨୦୧୪ ନିର୍ବାଚନ ବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ, ଚନ୍ଦ୍ରଶେଖର ରାଓଙ୍କ ଲୋକପ୍ରିୟତା ୪୬ ପ୍ରତିଶତ ଥିବା ବେଳେ ତାଙ୍କ ନେତୃତ୍ୱାଧୀନ ପାର୍ଟି ଟିଆରଏସକୁ ୩୪ ପ୍ରତିଶତ ଭୋଟ ମିଳିଥିଲା । ସେହିଭଳି ୨୦୧୮ ମସିହାରେ ତେଲେଙ୍ଗାନାରେ କେସିଆରଙ୍କ ଲୋକପ୍ରିୟତା ୪୬ ପ୍ରତିଶତ ଥିବା ବେଳେ ଟିଆରଏସକୁ ୪୭ ପ୍ରତିଶତ ଭୋଟ ମିଳିଥିଲା ।

ଚଳିତ ବିଧାନସଭା ନିର୍ବାଚନରେ ଏକ ବଡ ଫେକ୍ଟର ଉପରେ ସମସ୍ତ ରାଜନୈତିକ ଦଳ ଗୁରୁତ୍ୱ ଦେଇଛନ୍ତି । ତା ମଧ୍ୟରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରାଯାଇଛି । ତେଲେଙ୍ଗାନାରେ ବିଆରଏସ କ୍ଷମତାରେ ରହିଛି । ହେଲେ କ୍ଷମତା ହାତେଇବାକୁ ବିଜେପି ଓ କଂଗ୍ରେସ ମହିଳା ଭୋଟରଙ୍କ ପାଇଁ ପ୍ରତିଶ୍ରୁତିର ପେଡି ଖୋଲିଦେଇଛନ୍ତି ।

ପ୍ରତିଶ୍ରୁତି :
ତେଲେଙ୍ଗାନା କଂଗ୍ରେସ
– ସରକାରୀ ବସରେ ମହିଳାଙ୍କ ମାଗଣା ଯାତ୍ରା
– ୧୮ ବର୍ଷରୁ ଉଦ୍ଧ୍ୱର୍ ଯୁବତୀଙ୍କୁ ମାଗଣା ଇ-ସ୍କୁଟର୍
– ଗରିବ ଝିଅଙ୍କୁ ବିବାହ ସମୟରେ ୧୦ ଗ୍ରାମ୍ ସୁନା ଓ ୧ ଲକ୍ଷ ଟଙ୍କା
– ମହିଳାଙ୍କ ପାଇଁ ଦକ୍ଷତା ବିକାଶ କେନ୍ଦ୍ର
– ରାଜ୍ୟ ପୋଲିସ ଫୋର୍ସରେ ମହିଳାଙ୍କୁ ଅଧିକ ପ୍ରତିନିଧିତ୍ୱ

ତେଲେଙ୍ଗାନା ବିଜେପି
– ଜନ୍ମ ହେବା ମାତ୍ରେ ଝିଅଟିଏ ନାଁରେ ଫିକ୍ସ ଡିପୋଜିଟ୍
– ୨୧ ବର୍ଷ ହେବା ପରେ ଟଙ୍କା ଉଠାଇ ପାରିବେ
– ମହିଳାଙ୍କ ପାଇଁ ୧୦ ଲକ୍ଷ ଚାକିରି ସୃଷ୍ଟି
– ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧%ରେ ଋଣ
– ମହିଳା ଚାଷୀଙ୍କ ପାଇଁ ‘ମହିଳା ରାଇଥୁ କର୍ପୋରେସନ୍’ ଗଠନ