୧୦୭ ବର୍ଷରେ ଚାଲିଛି ଜଳସେବା: ଡହଡହ ଖରାରେ ଗାଁ ରାସ୍ତାକଡରେ ଖୋଲିଛନ୍ତି ଜଳଛତ୍ର 

94

କନକ ବ୍ୟୁରୋ: ବୟସ ଶହେ ଟପିଲାଣି । ତଥାପି ଚାଲିଛି ଜନସେବା । ସେବା କରିବା ପାଇଁ ବାଧାକ ସାଜିନି ବୟସ । ଚାଲିବା ଓ ଶୁଣିବାରେ ଅସୁବିଧା ହେଉଥିଲେ ମଧ୍ୟ ସେସବୁକୁ ଖାତିର ନକରି ଲୋକଙ୍କ ସେବାରେ ମନ ଦେଇଛନ୍ତି ବୃଦ୍ଧ । ଟାଣ ଖରାରେ ଯେପରି ବାଟୋଇଟିଏ ପାଣି ପାଇଁ ଡହଳ ବିକଳ ନହେବ ସେଥିପାଇଁ ବୃଦ୍ଧ ବୟସରେ ବେଶ ତତ୍ପର ଅଛନ୍ତି ରାୟଗଡ଼ା ମୁନିଗୁଡ଼ା ବ୍ଲକ କଦମଗୁଡ଼ା ଗାଁର ଚନ୍ଦନ ନାୟକ । ଲୋକଙ୍କୁ ଜଳଦାନ କରି ବାଟୋଇଙ୍କ ତୃଷା ମେଂଟାଉଛନ୍ତି ୧୦୭ ବର୍ଷିୟ ବୃଦ୍ଧ ଚନ୍ଦନ ନାୟକ ।

ଯେଉଁ ବୟସରେ ମଣିଷ ଅନ୍ୟମାନଙ୍କ ଠାରୁ ସେବା ଅଶା କରିଥାଏ । ସେହି ବୟସରେ ସେ ଅନ୍ୟମାନଙ୍କ ସେବା କରୁଛନ୍ତି । ରାସ୍ତାକଡ଼ରେ ମାଟି ମାଠିଆରେ ପାଣି ରଖି ବାଟୋଇଙ୍କୁ ଜଳଦାନ କରୁଛନ୍ତି  ରାୟଗଡ଼ା କଦମଗୁଡ଼ା ଗାଁ ର ୧୦୭ ବର୍ଷିୟ ବୃଦ୍ଧ ଚନ୍ଦନ ନାୟକ । ବୟସର ଅପରାହ୍ନରେ ବି ସେ କେବେ ଥକିନାହାନ୍ତି । ପ୍ରତିବର୍ଷ ଖରା ଦିନ ଆସିଲେ ରାସ୍ତାକଡ ଗଛ ତଳେ ଆରମ୍ଭ କରିଛନ୍ତି ଜଳଛତ୍ର । ତାଙ୍କର ଏହି ମହତ କାମ ପାଇଁ ସେ ସ୍ଥାନୀୟ ଅଂଚଳରେ ଖୁବ୍ ପରିଚିତ ।

ଜଙ୍ଗଲ ପାହାଡ଼ ଭରା ଏହି ଗାଁରେ ଆଗରୁ ପିଇବା ପାଣିର ସୁବିଧା ନଥିବାରୁ ବୃଦ୍ଧ ଜଣଙ୍କ ନିକଟରେ ଥିବା ଝରଣାରୁ ପାଣି ଆଣି ଲୋକଙ୍କୁ ଯୋଗାଉଥିଲେ । ଏବେ ଗାଁରେ ନଳକୂପର ସୁବିଧା ହେବାରୁ ସୁବିଧାରେ ପାନୀୟ ଜଳ ଯୋଗାଉଛନ୍ତି । ତେବେ ବୃଦ୍ଧଙ୍କର ଏହି କାମରେ ସହଯୋଗ କରନ୍ତି ଗ୍ରାମବାସୀ । କୁହନ୍ତି ସେ ଆମ ଗାଁ ପାଇଁ ଗୌରବ ।

ସ୍ୱାଭିମାନୀ ବୃଦ୍ଧ ଜଣଙ୍କ କେବେ ନିଜ କାମ ପାଇଁ ଅନ୍ୟ ଉପରେ ନିର୍ଭର କରନ୍ତି ନାହିଁ । ଆଗରୁ ଚାଷ କାମରେ ଏଭଳି ପ୍ରୟାସ ଆରମ୍ଭ କରିଥିଲେ ବୃଦ୍ଧ ଜଣଙ୍କ । ଆଉ ସେବେଠାରୁ ତାଙ୍କର ଏହି ସେବା ଆଜି ପର୍ଯ୍ୟନ୍ତ ଜାରି ରହିଛି ।