‘ଓଁ’ ଲେଖି ବାନ୍ଧକଳା କାରିଗରଙ୍କ ଇଣ୍ଡିଆ ବୁକ୍ ଅଫ ରେକର୍ଡ । ଗ୍ରାଫ୍ କାଗଜରେ ପେନସିଲ ସାହାଯ୍ୟରେ ଲେଖିଛନ୍ତି ୧୬୩୨ଟି ‘ଓଁ’ । 

142

କନକ ବ୍ୟୁରୋ : ଓଁ ଲେଖି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଓଡ଼ିଆ ପୁଅ । ଗ୍ରାଫ କାଗଜରେ ପେନସିଲ ସାହାଯ୍ୟରେ ବିଭିନ୍ନ ଡ଼ିଜାଇନର ଓଁ ଆଙ୍କି ଥାଆନ୍ତି ବାନ୍ଧକଳା କାରିଗର ଘନଶ୍ୟାମ ମେହେର । ଏହି ଗ୍ରାଫିକ୍ସ ଶାଢୀ ଡିଜାଇନରେ ବ୍ୟବହାର କରାଯାଏ । ସେଇ ଓଁ ଏବେ ତାଙ୍କୁ ଇଣ୍ଡିଆ ବୁକ୍ ଅଫ ରେକର୍ଡ଼ରେ ସାମିଲ କରିଛି । ଆଗକୁ ୫ ହଜାର ଓଁ ଲେଖି ଗିନିଜ ବୁକ୍ ଅଫ ୱାର୍ଲଡ଼ ରେକର୍ଡ଼ ପାଇଁ ଲକ୍ଷ୍ୟ ରଖିଛନ୍ତି ବରଗଡ଼ର ଘନଶ୍ୟାମ ।

ସମ୍ବଲପୁରୀ ହସ୍ତତନ୍ତ ବାନ୍ଧ କାରିଗର ଘନଶ୍ୟାମ ମେହେର ‘ଓଁ’ର ୧ ହଜାର ୬୩୨ ଗ୍ରାଫିକ୍ସ ଡିଜାଇନ ଆଙ୍କି ଇଣ୍ଡିଆ ବୁକ୍ ଅଫ ରେକର୍ଡ଼ରେ ସ୍ଥାନ ପାଇଛନ୍ତି । ସୋନପୁର ଜିଲ୍ଲାର ମୂଳ ବାସିନ୍ଦା ଘନଶ୍ୟାମ ବରଗଡ଼ ପୌରାଂଚଳ ଅନ୍ତର୍ଗତ ବ୍ରହ୍ମଚାରୀରେ ଭଡାରେ ରହୁଛନ୍ତି । ଘନଶ୍ୟାମଙ୍କ ଅଙ୍କିତ କଳାକୃତି ଓଁକୁ ଗ୍ରାଫିକ୍ସରେ ଡିଜାଇନ କରି ବାନ୍ଧ ଶାଢ଼ୀ ତିଆରି କରାଯାଏ । ତେବେ ୨୦୧୫ ମସିହାରେ ତାଙ୍କ ଦ୍ବାରା କରାଯାଇଥିବା ୮୧ ହଜାର ଶଙ୍ଖ ଚିନ୍ହର ଗ୍ରାଫିକ୍ସ ଡିଜାଇନ ପାଇଁ ତାଙ୍କ ନାମ ଲିମକା ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଥିଲା ।

ସମ୍ବଲପୁରୀ ଶାଢ଼ୀ ,ଗାମୁଛା ତଥା ଡ୍ରେସ କପଡା ବୁଣିବା ଘନଶ୍ୟାମଙ୍କ କୌଳିକ ବୃତ୍ତି । ହେଲେ ଗ୍ରାଫିକ୍ସ ଡିଜାଇନ୍ କ୍ଷେତ୍ରରେ ତାଙ୍କ ପ୍ରତିଭା ଲାଗି ସେ ସମଗ୍ର ଓଡିଶାରେ ପରିଚିତ । ତେବେ ଏବେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପକ୍କା କରିଥିବା ବେଳେ ଆଗକୁ ୫ ହଜାର ପ୍ରକାରର ଗ୍ରାଫିକ୍ସ ଡିଜାଇନରେ ଓଁ ଲେଖି ନିଜକୁ ଗିନିସ ବୁକ ଅଫ ରେକର୍ଡ୍ସ  ସ୍ଥାନ ପାଇବା ପାଇଁ ପ୍ରଚେଷ୍ଟା ଚଲାଇଛନ୍ତି ।

ବାନ୍ଧକଳାରେ ସିଦ୍ଧହସ୍ତ ଘନଶ୍ୟାମ ଏହାରି ଭିତରେ ୪ହଜାର ପ୍ରକାର ଡିଜାଇନ କରି ସାରିଛନ୍ତି । ଘନଶ୍ୟାମ ମେହେରଙ୍କ ଏହି ବିରଳ କୃତିତ୍ୱ ପାଇଁ ତାଙ୍କ ପାଖକୁ ଶୁଭେଛାର ସୁଅ ଛୁଟୁଛି ।