ରାଷ୍ଟ୍ରପତି ପଦ ପାଇଁ ପଡିଲା ଭୋଟ: ମତଦାନ କଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ୪ହଜାର ୮ଶହରୁ ଅଧିକ ବିଧାୟକ ଓ ସାଂସଦ

123

କନକ ବ୍ୟୁରୋ: କିଏ ଯିବେ ରାଇସିନା ହିଲ । ଦେଶର ୧୫ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ହୋଇଛି ମତଦାନ । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ପାଇଁ ମତଦାନ କରିଛନ୍ତି ଦେଶର ପ୍ରାୟ ୪ ହଜାର ୮ଶହ ସାଂସଦ ଓ ବିଧାୟକ । ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟ ବିଧାନସଭାରେ ଭୋଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମିଧ୍ୟ ହ୍ୱିଲ ଚେୟାରରେ ଆସି ଦିଲ୍ଲୀ ସଂସଦ ଭିବନରେ ମତଦାନ କରିଛନ୍ତି । ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟିଂ ପାଇଁ ବ୍ୟବସ୍ଥା କରାଯାଇଥିଲା । ବିଜେଡିର ୧୧୩, ବିଜେପିର ୨୧ ଏବଂ କଂଗ୍ରେସର ୯ ଜଣ ବିଧାୟକ ବିଧାନସଭାରେ ଭୋଟ୍ ଦେଇଛନ୍ତି । ସ୍ୱାଧୀନ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ମକରନ୍ଦ ମୁଦୁଲି ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି ।

ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଯଶୱନ୍ତ ସିହ୍ନାଙ୍କୁ ଭୋଟ୍ ଦେଇଥିବା ଜଣାପଡିଛି । ତେବେ ଜେଲରେ ଥିବା ବିଧାୟକ ପ୍ରଶାନ୍ତ ଜଗଦେବ ଭୋଟ ଦେଇନାହାନ୍ତି । ଅସୁସ୍ଥତା କାରଣରୁ ଦିଲ୍ଲୀରେ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଦିଲ୍ଲୀ ସଂସଦ ଭବନକୁ ହ୍ୱିଲ ଚେୟାରରେ ଆସି ଭୋଟ୍ ଦେଇଥିଲେ । ତାଙ୍କର ଏକ ଫଟୋକୁ ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୀର୍ଘଦିନ ପରେ ତାଙ୍କୁ ଭେଟିଥିବାରୁ ଖୁସିବ୍ୟକ୍ତ କରିଛନ୍ତି ଧର୍ମେନ୍ଦ୍ର । ବିଜେଡିର ରାଜ୍ୟସଭା ଓ ଲୋକସଭା ସାଂସଦମାନେ ଦିଲ୍ଲୀରେ ଭୋଟ୍ ଦେଇଛନ୍ତି । ତେବେ ଏକାଧିକ ରାଜ୍ୟରେ ବିରୋଧୀ ଦଳର ବିଧାୟକମାନେ କ୍ରସ ଭୋଟିଂ କରିଥିବା ଜଣାପଡିଛି । ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହୁଇପ ନଥିବାରୁ ବିବେକ ଅନୁସାରେ ଏମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି । ଓଡିଶାରେ ମଧ୍ୟ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା ନିଜେ ସୂଚନା ଦେଇଛନ୍ତି । ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଜିତିବା ସମ୍ଭାବନା ଅଧିକ । ଆସନ୍ତା ଜୁଲାଇ ୨୧ ତାରିଖରେ ଭୋଟ ଗଣନା ହେବ । ଏବଂ ଜୁଲାଇ ୨୫ ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।